Home ଜିଲ୍ଲା ପରିକ୍ରମା ଯୌତୁକ ନିର୍ଯ୍ୟାତିତା ଯମଜ ମା’ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

ଯୌତୁକ ନିର୍ଯ୍ୟାତିତା ଯମଜ ମା’ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

84

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକ ମହିଳା ଯୌତୁକ ନିର୍ଯ୍ୟାତନା ସହିନପାରି ନିଜ ପିତ୍ରାଳୟକୁ ପଳାଇଆସି ପରବର୍ତ୍ତୀ ସମୟରେ ଯମଜ ଶିଶୁ ଜନ୍ମ କରିବା ପରେ ଏବେ ନିଜ ସହ ସେମାନଙ୍କର ଜୀବନ-ଜୀବିକା ଜନିତ ନ୍ୟାୟ ପ୍ରଦାନ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବର ମୂଳେ ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ କାଦବରାଙ୍ଗ ପଂଚାୟତ ବାଙ୍କତିରା ଗ୍ରାମର ନିତ୍ୟାନନ୍ଦ ରାଉତଙ୍କ କନ୍ୟା ମାମାଲି (୨୩) କେନ୍ଦୁଝର ଝିଲା ଷଢା ପଂଚାୟତ ଅଧୀନସ୍ଥ ପଦାରୁଖା ଗ୍ରାମନିବାସୀ କାର୍ତ୍ତିକ ଜେନାଙ୍କ ଜ୍ୟେଷ୍ଠ ପୁତ୍ର ରମେଶଙ୍କୁ ଗତ ୨୦୧୮ ମସିହା ଜୁଲାଇ ୪ ତାରିଖରେ ଆଗରପଡାର ଜଗନ୍ନାଥ ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟା ପକ୍ଷଙ୍କ ପକ୍ଷରୁ ଯୌତୁକ ବାବଦ ବରପକ୍ଷଙ୍କୁ ସେମାନଙ୍କର ଦାବି ମୁତାବକ ଟଙ୍କା ସମେତ ସ୍ୱର୍ଣ୍ଣ ଅଳଙ୍କାର ଓ ଆସବାବ ପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ବିବାହର କିଛିଦିନ ପରେ ମାମାଲିଙ୍କ ଶ୍ୱଶୁର, ଶାଶୁ ଓ ଦିଅର ସମସ୍ତେ ମିଶି ଅଧିକ ଯୌତୁକ ଦାବିରେ ମାମାଲି ପ୍ରତି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ମାମାଲିଙ୍କ ପିତା ଦରିଦ୍ର ଥିବାରୁ ସେ ଉକ୍ତ ଟଙ୍କା ଦେଇନପାରିବାରୁ କହିବାକୁ କେନ୍ଦ୍ର କରି ତାର ଶ୍ୱଶୁରଘର ଲୋକେ ମାମାଲିକୁ ଖାଇବା ପିଇବାକୁ ନଦେଇ ଅଧିକ ନିର୍ଯ୍ୟାତନା ଦେଇଥିଲେ । ପରେ ମାମାଲିଙ୍କ ପିତ୍ରାଳୟ ପକ୍ଷରୁ ତାର ଶ୍ୱଶୁରଘରକୁ ଆସି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ରମେଶ ତାମିଲନାଡୁରେ ରହି କାର୍ଯ୍ୟ କରୁଥିଲେ ସୁଦ୍ଧା ମୋବାଇଲ୍ ଯୋଗେ ନିଜ ପିତା-ମାତା ଓ ପରିବାର ଲୋକଙ୍କୁ ଯୌତୁକ ନଆଣିଲେ ମାମାଲିକୁ ହତ୍ୟା କରିବା ବିଷୟ କହୁଥିବା ନେଇ ସେ ଜାଣିବାକୁ ପାଇଥିଲା । ଏପରିକି ଗତ ୨୦୧୯ ମସିହା ଜୁନ୍ ୨ ତାରିଖରେ ଶାଶୁ-ଶ୍ୱଶୁର ଓ ଦିଅର ମାମାଲି ଶୋଇଥିବା ଅବସ୍ଥାରେ ତା ମୁହଁରେ ତକିଆ ପକାଇ ସଂଘବଦ୍ଧ ଭାବେ ହତ୍ୟା ମଧ୍ୟ କରିବାର ଚେଷ୍ଟା କରିଥିଲେ । ଫଳରେ ମାମାଲି କୌଣସି ମତେ ଜୀବନ ବଂଚାଇ ନିଜ ପିତ୍ରାଳୟକୁ ଆସି ୨ଟି ଯାଆଁଳା ଶିଶୁ ଜନ୍ମ କରିଥିଲେ । ଏ ଖବର ତାଙ୍କ ଶ୍ୱଶୁରଘର ଲୋକଙ୍କୁ ଜଣାଇ ଦିଆଯାଇଥିଲେ ବି ସେମାନେ ତାଙ୍କ ପୁତ୍ର ରମେଶକୁ ଅନ୍ୟତ୍ର ବିବାହ କରାଇବାର ଚେଷ୍ଟା କରୁଥିବା ବିଷୟ ମାମାଲି ଥାନାରେ ଅଭିଯୋଗ କରିଛନ୍ତି । ଏବଂ ଦୁଇଟି ଯାଆଁଳା ଶିଶୁଙ୍କ ସମେତ ନିଜକୁ ନ୍ୟାୟ ପ୍ରଦାନ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ମୂଳେ ଥାନାଧିକାରୀ ସୁକାନ୍ତୀ କେରେଇଙ୍କୁ ଏ ନେଇ ଯୋଗାଯୋଗ କରିବାରୁ ମାମାଲିଙ୍କ ଅଭିଯୋଗ ମୂଳେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ଦିଅରଙ୍କ ନାମରେ ଆଗରପଡା ଥାନାରେ କେଶ୍ ନଂ ୮୭/୨୦ ମୂଳେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.