Home ଓଡ଼ିଶା ଯୋଡା : ୪ମାସ ହେଲା ଟ୍ରକ ମାଲିକଙ୍କ ପରିବହନ ପ୍ରାପ୍ୟ ବାକି ପଡିଛି, ୨ ଠିକା...

ଯୋଡା : ୪ମାସ ହେଲା ଟ୍ରକ ମାଲିକଙ୍କ ପରିବହନ ପ୍ରାପ୍ୟ ବାକି ପଡିଛି, ୨ ଠିକା ସଂସ୍ଥାକୁ ସଂଘ ପକ୍ଷରୁ ଚରମ ପତ୍ର

48

ଯୋଡା, ୨୪ା୮(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ଖଣି କ୍ଷେତ୍ରରେ ଏକ ଅଚଳା ଅବସ୍ଥା ଦେଖାଦେଇଛି । ଲୁହାପଥର ପରିବହନ ବନ୍ଦ ଯୋଗୁଁ ଟ୍ରକ ଚଳାଚଳ ବନ୍ଦ ରହିଛି । ଏ ଅଞ୍ଚଳରେ ଟ୍ରକ ଯୋଗେ ଲୁହାପଥର ପରିବହନ ରୋଜଗାରର ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ହଜାର ହଜାର ଟ୍ରକ ମାଲିକ, ଚାଳକ, ସହଚାଳକଙ୍କ ପରିବାର ଏହାରି ଉପରେ ନିର୍ଭରଶୀଳ । ଏପରିକି ଏହି ଟ୍ରକ ଚଳାଚଳ ଯୋଗୁଁ ଏ ଅଞ୍ଚଳର ଦୋକାନ ବଜାର, ଗ୍ୟାରେଜ, ଟାୟାର ଦୋକାନ, ଢାବା ପ୍ରଭୁତି ବ୍ୟବସାୟ କରି କେତେକ ଜୀବିକା ନିର୍ବାହ କରିଥାନ୍ତି । କିଛି ମାସ ହେବ ସେୟାର ବଜାର ମାନ୍ଦା ଚାଲୁଥିବାରୁ ବାହାର ଦେଶକୁ ଲୁହାପଥର ରପ୍ତାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି । ଫଳରେ କିଛି ଗାଡି ମାଲିକ ଏବେ ଟାଟା କମ୍ପାନୀଙ୍କ ଖଣ୍ଡବନ୍ଧ ଲୌହ ଖଣି ଏବଂ କାଟାମାଟି ଲୌହ ଖଣି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ଏହି ଦୁଇଟି ଖଣିରୁ ଲୁହାପଥର ମେରାମୁଣ୍ଡୁଳିସ୍ଥିତ ଟାଟା ଷ୍ଟିଲ ଭୂଷଣ ନିଜ କାରଖାନାକୁ ଯାଉଥିବା ବେଳେ ଏହି ଖଣିରୁ ବ୍ରଜ ମାଇନିଙ୍ଗ କର୍ପୋରେସନ ପ୍ରାଃ ଲିଃ ଏବଂ ନର୍ଥ ଇଷ୍ଟର୍ଣ୍ଣ କ୍ୟାରିଙ୍ଗ ପ୍ରାଃ ଲିଃ ନାମକ ୨ଟି ଠିକା ସଂସ୍ଥା ପରିବହନ କାର୍ଯ୍ୟ ନେଇଛନ୍ତି । ତେବେ ଅନ୍ୟ ଖଣିରୁ ପରିବହନ ବନ୍ଦ ରହିଥିବା ବେଳେ ଏହାରି ସୁଯୋଗରେ ଏମାନେ ଗତ ୪ମାସ ହେବ ଟ୍ରକ ମାଲିକଙ୍କର ପରିବହନ ପ୍ରାପ୍ୟ ପ୍ରଦାନ କରୁନଥିବା ଆଞ୍ଚଳିକ ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି । ଗତ ମେ ମାସ ଠାରୁ ଟ୍ରକ ମାଲିକମାନେ ସେମାନଙ୍କର ପ୍ରାପ୍ୟ ପାଇନଥିବା ବେଳେ ଗତ ୦୯.୦୬.୨୦୨୧ରେ ଉକ୍ତ ୨ଟି ପରିବହନ ଠିକା ସଂସ୍ଥାକୁ ସେମାନେ ପତ୍ର ମାଧ୍ୟମରେ ଏହା ଜଣାଇଥିଲେ । ତେବେ ଅଭିଯୋଗର ୨ମାସ ବିତିବାକୁ ବସିଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥା ସେମାନଙ୍କର ପ୍ରାପ୍ୟ ପୈଠ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଫଳରେ ଗାଡି ମାଲିକମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚାଳକ ଓ ସହଚାଳକଙ୍କ ଦରମା, ଡିଜେଲ ମୂଲ୍ୟ, ଗାଡିର ମରାମତି ଖର୍ଚ୍ଚ, ସରକାରୀଙ୍କ ସମସ୍ତ କର ପୈଠ ଏବଂ ଗାଡିର ଋଣ କିସ୍ତି ଦେବାରେ ସେମାନେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ପରିବହନ ଠିକା ସଂସ୍ଥା ଟାଟା କମ୍ପାନୀ ଠାରୁ ତାର ସମସ୍ତ ପ୍ରାପ୍ୟ ପାଇଥିଲେ ମଧ୍ୟ ଟ୍ରକ ମାଲିକଙ୍କ ପ୍ରାପ୍ୟ ଜାଣିଶୁଣି ପ୍ରଦାନ କରିବାରେ ଅବହେଳା କରୁଥିବାରୁ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏ ନେଇ ଆଞ୍ଚଳିକ ଟ୍ରକ ମାଲିକ ସଂଘ (ଆଟୋଆ) ପରିବହନ ଠିକା ସଂସ୍ଥା ୨ଟିକୁ ମଙ୍ଗଳବାର ଆଉ ଏକ ଚରମ ପତ୍ର ଦେବା ସହ କାଟାମାଟି ଲୌହ ଖଣିର ମୁଖ୍ୟ ଏବଂ ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି । ୨ଦିନ ମଧ୍ୟରେ ଏହାର ଅଗ୍ରଗତି ସମ୍ବନ୍ଧରେ ଲିଖିତ ଭାବେ ସଂଘକୁ ଜଣାଇବା ସହ ୭ଦିନ ମଧ୍ୟରେ ସମସ୍ତଙ୍କର ପ୍ରାପ୍ୟ ପୈଠ କରିବା ପାଇଁ ଏହି ଚରମ ପତ୍ରରେ ଉଲ୍ଲେଖ ରହିଛି । ନଚେତ୍ ଟ୍ରକ ମାଲିକମାନେ ବାଧ୍ୟ ହୋଇ ଏହି ପରିବହନକୁ ଅଚଳ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.