Home ଓଡ଼ିଶା ଯୋଡା : ୨ ହାତୀ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ଯୋଡା : ୨ ହାତୀ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

119

ଯୋଡା, ୧୯ା ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗତ ୧୩.୦୬.୨୦୨୦ ବୈତରଣୀ ସଂରକ୍ଷିତ ଜଙ୍ଗଲ (ବି) ସ୍ଥିତ ଗୁରୁବେଡା ପମ୍ପ ହାଉସ ନିକଟରେ ୨ଟି ହାତୀକୁ ଉଚ୍ଚ ଶକ୍ତି ସମ୍ପନ୍ନ ଇଲେକ୍ଟ୍ରି କରେଣ୍ଟ ଦେଇ ହତ୍ୟା କରିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଜଙ୍ଗଲ ବିଭାଗ ପକ୍ଷରୁ ଏହି ଘଟଣାଟି ପରେ ବିଭିନ୍ନ ସ୍ଥାନରେ ଚଢୋଉ କରାଯାଇ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଘଟଣାର ମାଷ୍ଟରମାଇଣ୍ଡ ଶ୍ରୀଧର ମୁଣ୍ଡା (୩୨), ମାତୁଲୁ ମୁଣ୍ଡା (୨୪), ବିନ୍ଦ୍ରାଇ ମୁଣ୍ଡା (୨୫) ବୋଲି ଜଣାପଡିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କ ଘର ଘଟଣା ନିକଟସ୍ଥ ଭୋଳବେଡା ଗ୍ରାମରେ ବୋଲି ଜଣାପଡିଛି । ତେବେ ଦନ୍ତା ହାତୀ ଠାରୁ କାଟି ନିଆଯାଇଥିବା ଦାନ୍ତ ୨ଟିକୁ ଅଦ୍ୟାବଧି ବନ ବିଭାଗ ଜବତ କରିବାରେ ସକ୍ଷମ ହୋଇପାରିନାହିଁ । ଖୁବ୍ ଶୀଘ୍ର ଦାନ୍ତ ଦୁଇଟି ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ତେବେ ଏହି ଗିରଫ ୩ଜଣ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ, ରଜ ଭୋଜି ପାଳନ ନିମନ୍ତେ ବାରହା ଶୀକାର କରିବା ପାଇଁ ସେମାନେ ଜଙ୍ଗଲ ମଧ୍ୟରେ ୧୧ କେଭି ବିଦ୍ୟୁତ ତାରରେ ହୁକ ପକାଇ ଜଙ୍ଗଲ ଭିତରେ ଖୋଲା ତାର ବିଛାଇ ରଖିଥିଲେ । ତେବେ ବାରହା ବଦଳରେ ହାତୀ ଦୁଇଟି ମରିଥିବା ସକାଳୁ ଦେଖି ସେମାନେ ଘଟଣା ସ୍ଥଳରୁ ପଳାଇଯାଇଥିଲେ । ଦାନ୍ତ ୨ଟିକୁ କିଏ କାଟି ନେଇଛି ସେ କଂକ୍ରାନ୍ତରେ ସେମାନେ କିଛି ଜାଣିନଥିବା ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ, ଗତ ଶନିବାର ଗୁରୁବେଡା ଜଙ୍ଗଲରେ ଦୁର୍ବୁତ୍ତମାନେ ତାର ବିଛାଇ ୧୧ କେଭି ବିଦ୍ୟୁତ୍ ସଂଯୋଗ କରିଥିଲେ । ଏହି ତାର ସଂସ୍ପର୍ଶରେ ଆସି ୨ଟି ନୀରିହ ହାତୀର ଜୀବନ ଯାଇଥିଲା । ୨ଟି ହାତୀ ମଧ୍ୟରେ ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ଦନ୍ତା ହାତୀ ଥିବା ଜଣାପଡିଥିଲା । ଦୁର୍ବୁତ୍ତମାନେ ଏହି ଦନ୍ତା ହାତୀର ଦାନ୍ତ ଦୁଇଟିକୁ ମଧ୍ୟ କାଟିନେଇଥିବା ଜଣାପଡିଥିଲା । ଏ ନେଇ ସୋମବାର ଦିନ ଭୁବନେଶ୍ୱରସ୍ଥିତ ଅତିରିକ୍ତ ପ୍ରମୁଖ ବନ ସଂରକ୍ଷକ ଶଶି ପାଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ଜିଲ୍ଲା ବନ ଅଧିକାରୀ ସନ୍ତୋଷ ଜୋଶୀ, ସହକାରୀ ବନସଂରକ୍ଷକ ଅଜୟ ସାହୁ, ବଡବିଲ ବନରକ୍ଷୀ ମଧୁସୁଦନ ପାତ୍ର, ଯୋଡା ବନପାଳ ପିଅନ ନାଏକ, ବାଲିବନ୍ଧ ବନପାଳ ଖଗେଶ୍ୱର ବାରିକ୍‌, କେନ୍ଦୁଝର ବନପାଳ ଶରତ ପଟ୍ଟନାୟକ, ଉଖୁଣ୍ଡା ବନପାଳ ଭାଗିରଥି ମିଶ୍ର, ଚମ୍ପୁଆ ବନପାଳ କ୍ଷୀରୋଦ ଦାସ, ବଡବିଲ ବନପାଳ ଜତୀନ୍ଦ୍ର ସାହୁ, ଚମ୍ପୁଆ ବନରକ୍ଷୀ କାଶିନାଥ ହେମ୍ବ୍ରମ, ସ୍ପେଶାଲ ଟାକ୍ସ ଫୋର୍ସ ଅଶୋକ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଘଟଣାଟିରେ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ଜିଲ୍ଲା ବନ ଅଧିକାରୀ ଯୋଡା ବନପାଳ ପିଅନ ନାଏକ ଓ ଜୁରୁଡି ବିଟ୍ ହାଉସ ଗାର୍ଡ ଦୋଳଗୋବିନ୍ଦ ଦେଓଙ୍କୁ ନିଲମ୍ବନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.