Home ଓଡ଼ିଶା ଯୋଡା : ହାତୀମାନଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ, ଚିକିତ୍ସାଧିନ ଦନ୍ତା ହାତୀର ମୃତ୍ୟୁ

ଯୋଡା : ହାତୀମାନଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ, ଚିକିତ୍ସାଧିନ ଦନ୍ତା ହାତୀର ମୃତ୍ୟୁ

12

ଯୋଡା, ୧ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲାରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚକ ଚିହ୍ନ ଲଗାଇଦେଇଛି। ଆଉ ଏକ ଦନ୍ତା ହାତୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ୍ ଚମକପୁର ଜଙ୍ଗଲରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆହତ ଦନ୍ତା ହାତୀଟିକୁ ହାତୀ ପଲ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଯୋଗୁଁ ତାର ମୃତ୍ୟୁ ଘଟିଥିବା ବନବିଭାଗ କହିଛି। ଏହି ଗୋଠ ଛଡା ଦନ୍ତା ହାତୀଟିକୁ ଗତ ଅକ୍ଟୋବର ମାସ ୨୬ ତାରିଖ ବନ ବିଭାଗ ଠାବ କରିଥିଲା। ଦନ୍ତାର ଆଗପଟ ଡାହାଣ ଗୋଡରେ ଗଭୀର କ୍ଷତ ହେବା ଫଳରେ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲା। ଫଳରେ ହାତୀଟି ଛୋଟେଇ ହୋଇ ଚାଲୁଥିବା ବନ ବିଭାଗ ଜାଣି ତା’ର ଚିକିତ୍ସା ଆରମ୍ଭ କରିବା ସହ ହାତୀଟି ଉପରେ ତୀକ୍ଷ୍‌ଣ ନଜର ରଖିଥିଲା। ଅକ୍ଟୋବର ୨୬ ତାରିଖରେ ଡବ୍ଲୁଟିଆଇ, ଓୟୁଟି ଓ ନନ୍ଦନକାନନର ବିଶେଷଜ୍ଞ ଦଳ ହାତୀଟିକୁ ନିଶ୍ଚେତକ ଦେଇ ତା’ର ଚିକିତ୍ସା ଆରମ୍ଭ କରିଥିଲେ। ହାତୀଟିର ନିୟମିତ ଭାବେ ଖୋଜ ଖବର ରଖାଯାଇ ଚିକିତ୍ସା କରାଯାଉଥିଲା। ହାତୀଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ବୋଲି ବନବିଭାଗ ଦୃଢୋକ୍ତି ପ୍ରଦାନ କରିଥିବା ବେଳେ କେନ୍ଦୁଝର ଡିଏଫ୍‌ଓଙ୍କ ସୂଚନା ଅନୁଯାୟୀ ଏହି ଗୋଠ ଛଡା ଆହତ ଦନ୍ତାଟି ଗତ ୨୭ ତାରିଖରେ ସାମାନ୍ୟ ସୁସ୍ଥ ହେବା ପରେ ଚମକପୁର ଜଙ୍ଗଲରେ ପୁନଃରାଏ ୧୮ ଟିକିଆ ହାତୀ ପଲ ସହ ମିଶିଥିଲା। ଗତ ମାସ ୨୮ ତାରିଖରେ ଦଳର ଅନ୍ୟ ହାତୀମାନେ ଆହତ ଦନ୍ତାକୁ ଆକ୍ରମଣ କରିଥିଲେ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି। ଯାହା ଫଳରେ ହାତୀର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇ ପ୍ରବଳ ରକ୍ତ ଶ୍ରାବ ଜନୀତ ମୃତ୍ୟୁ ଘଟିଥିଲା। ୨ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଗୁରୁବାର ସକାଳେ ଆହତ ଦନ୍ତା ହାତୀଟି ଆଖିବୁଜିଥିଲା। ଏହି ଘଟଣାଟି ପରିବେଷବିତ୍‌ଙ୍କୁ ଅତ୍ୟନ୍ତ ମର୍ମାହତ କରିଛି। ଘଟଣାସ୍ଥଳରେ ରାଉରକେଲାର ଆର.ସି.ସି.ଏଫ୍‌. ଡଃ ଅରୁଣ କୁମାର ମିଶ୍ର, ଏସିଏଫ୍ ଅଶୋକ କୁମାର ଦାସ, ଘନଶ୍ୟାମ ମହାନ୍ତ, ଡିଏଫ୍‌ଓ ଧନରାଜ ହନୁମନ୍ତ, ଭଣ୍ଡା ପ୍ରାଣୀ ଚିକିତ୍ସକ ପ୍ରକାଶ ଚନ୍ଦ୍ର ଘଡେଇ, ଯୋଡା ପ୍ରାଣୀ ଚିକିତ୍ସକ ସତ୍ୟନାରାୟଣ ଜେନା, କେନ୍ଦୁଝର ଡବ୍ଲୁଆଇଟିର ଡାକ୍ତର ବର୍ଜରାଜ ସିଂ ଯାଦବ, ବଡବିଲ ରେଞ୍ଜର ରଞ୍ଜନ ପାଢୀ, ଚମ୍ପୁଆ ରେଞ୍ଜର ସଞ୍ଜିବ୍ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ମୃତ ହାତୀଟିର ଶବ ବ୍ୟବଚ୍ଛେଦ ପରେ ଉକ୍ତ ଜଙ୍ଗଲରେ ପୋତି ଦିଆଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.