Home ଓଡ଼ିଶା ଯୋଡା : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ଦେଶ...

ଯୋଡା : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ଦେଶ ପାଳନ କରୁଥିବା ବେଳେ ଖଣି ଅଞ୍ଚଳ ଗ୍ରାମରେ ନାହିଁ ମୌଳିକ ସୁବିଧା

50

ଯୋଡା, ୮ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦୀପ ତଳ ଅନ୍ଧାର ଭଳି ଯୋଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତର ଗୁରୁତୁଆଁ ଗ୍ରାମର ବଡବିଲସାହି, ଯେଉଁଠି ଲୋକଙ୍କ ପାଇଁ ନାହିଁ କୌଣସି ମୌଳିକ ସୁବିଧା। ଏହି ଗ୍ରାମର ଚତୁପାଶ୍ୱର୍ରେ ଜେଏସ୍‌ଡବ୍ଲୁ, ଟାଟା ଭଳି ବହୁରାଷ୍ଟ୍ରୀୟ ଖଣି କମ୍ପାନୀ ଏବଂ ସରକାରଙ୍କ ଅଧିନ ଓଏମ୍‌ସି ଖଣି କମ୍ପାନୀ ଅବସ୍ଥିତ। ଏହି ଗ୍ରାମରେ ପ୍ରାୟ ୨୫ଟି ପରିବାର ବସବାସ କରନ୍ତି, ଯାହାର ଲୋକ ସଂଖ୍ୟା ୩ଶହରୁ ଉର୍ଦ୍ଧ୍ୱ ହେବ। ଏହି ଗ୍ରାମରେ ଲୋକଙ୍କ ଚଳଣୀ ଅତ୍ୟନ୍ତ ନିମ୍ନମାନର। ଚାରିପଟେ ଖଣି ଥାଇ ସେମାନଙ୍କ ପାଇଁ ନିଯୁକ୍ତିର କୌଣସି ସୁଯୋଗ ନାହିଁ। ଦିନ ମଜୁରିଆ ଭାବେ କାର୍ଯ୍ୟ କରି ସେମାନେ ପେଟ ପୋଷନ୍ତି। କେତେକ ଜଙ୍ଗଲରୁ କାଠ ଓ ଜଙ୍ଗଲ ଯାତ ଦ୍ରବ୍ୟ ସଂଗ୍ରହ କରି ବାହାରେ ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଗ୍ରାମର ଅଧିକାଂଶ ଲୋକଙ୍କ ଘରେ ବିଜୁଳି ଆଲୁଅ ନାହିଁ। ସଞ୍ଜ ନଇଲେ ହାତୀ ଭୟ। ଗ୍ରାମରେ କିଛି ସ୍ଥାନରେ ଦିଆଯାଇଥିବା ସୌରଚଳିତ ଷ୍ଟ୍ରିଟ ଲାଇଟ ଅଚଳ ହୋଇପଡିଛି। ପିଇବା ପାଇଁ ମଧ୍ୟ ଟୋପାଏ ପାଣି ନାହିଁ। ଗାଁ ଲୋକେ ୨ କିମି ଦୂର ପାଦରେ ଚାଲି ବୈତରଣୀ ନଦୀରୁ ଡେକଚିରେ ପାଣି ମୁଣ୍ଡରେ ବୋହି ଆଣିଲେ ପିଇବା, ରୋଷେଇ ଏବଂ ଅନ୍ୟାନ୍ୟ ଦୈନଦିନ ବ୍ୟବହାର କରିଥାନ୍ତି। ଛୋଟ ଛୋଟ ଛୁଆଙ୍କୁ କାଖରେ ଧରି ଦୁଇ ଓଳି ନଦୀରୁ ଧାଡି ବାନ୍ଧି ପାଣି ଆଣି ଗାଁକୁ ଫେରୁଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ବର୍ଷା ହେଲେ ବୈତରଣୀ ନଦୀର ଜଳ ଗୋଳିଆ ହୋଇପଡୁଥିବା ବେଳେ ଗ୍ରାମବାସୀମାନେ ଏହି ଜଳକୁ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି। ଏହି ଗାଁ ଭିତରେ ଗଭୀର ନଳକୂପର ବ୍ୟବସ୍ଥା ବହୁଦୀନ ପୂର୍ବେ ଟାଟା କମ୍ପାନୀ ସାମାଜିକ ଦାୟିତ୍ୱବୋଧ ଲିଭାଇବା କ୍ଷେତ୍ରରେ ସ୍ଥାପନ କରିଥିଲେ। ଗ୍ରାମବାସୀମାନେ ଏହି ଜଳ ବ୍ୟବହାର କରି ଆସୁଥିବା ବେଳେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ନଳକୂପଟି ଅଚଳ ହୋଇପଡିଛି। ବାରମ୍ବାର ଗ୍ରାମବାସୀଙ୍କର ଅନୁରୋଧ ପରେ ମଧ୍ୟ ଟାଟା କମ୍ପାନୀଙ୍କର ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‌ଆରଡିଏସ୍‌) ଏଥିପ୍ରତି କର୍ଣ୍ଣପାତ କରୁନାହିଁ। ଫଳରେ ଏହି ଗ୍ରାମବାସୀମାନେ ନଦୀର ଦୂଷିତ ଜଳ ବ୍ୟବହାର କରି ବିଭିନ୍ନ ପେଟ, ଚର୍ମ ଜନୀତ ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଝାଡା ବାନ୍ତି ରୋଗ ଏହି ଗାଁର ଚିରସହଚର। ଜନଶୁଣାଣୀ ସମୟରେ ବିଭିନ୍ନ ଖଣି କମ୍ପାନୀ ଗ୍ରାମବାସୀମାନଙ୍କୁ ବଡ ବଡ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପରବର୍ତ୍ତି ସମୟରେ ପାଳନ କରୁନଥିବା ନେଇ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲା ଖଣିଜ ପାଣ୍ଠୀରେ କୋଟି କୋଟି ଟଙ୍କା ଥାଇ ତାହା ଆବଶ୍ୟକ ସ୍ଥଳେ ଖର୍ଚ୍ଚ କରାନଯାଇ ବିଭିନ୍ନ ସ୍ଥାନରେ ଅପବ୍ୟୟ କରାଯାଉଥିବା ଅନେକ ନଜିର ରହିଛି। ଜଜାଙ୍ଗ ଅଞ୍ଚଳର ତିନିଧାରିଆ ଠାରେ ଏକ ପୁରାତନ ଶିବ ମନ୍ଦିର କେଉଁ କାଳରୁ ପ୍ରତିଷ୍ଠା ହୋଇ ପୂଜା ପାଇଆସୁଛନ୍ତି। ଜଜାଙ୍ଗର ଠିକ୍ ପାଦଦେଶରେ ଏକ ରାଧାକୃଷ୍ଣ ମନ୍ଦିର ମଧ୍ୟ ଅବସ୍ଥିତ। ଏହି ମନ୍ଦିର ଦୁଇଟି ସ୍ଥାନୀୟ ବାସିନ୍ଦାଙ୍କ ଧର୍ମଭାବନା ସହିତ ବର୍ଷ ବର୍ଷ ଧରି ଜଡିତ ହୋଇରହିଛି। ଏବେ ଉକ୍ତ ମନ୍ଦିରରେ ଥିବା ପୂଜକମାନେ ସେମାନଙ୍କ ପ୍ରାପ୍ୟ ନପାଇ ଗ୍ରାମବାସୀମାନଙ୍କ ଠାରୁ ଚାନ୍ଦା ଭିକ୍ଷା କରି ଚଳିବାକୁ ବାଧ୍ୟ ହେଉଛନ୍ତି। ତେବେ ପୂର୍ବରୁ ଜଜାଙ୍ଗ ଠାରେ ରୁଙ୍ଗଟା କମ୍ପାନୀ ଖଣି କାର୍ଯ୍ୟ ତୁଲାଇଆସୁଥିବା ବେଳେ ଏହି କମ୍ପାନୀ ସ୍ଥାନୀୟ ବାସିନ୍ଦାଙ୍କୁ ଅଧିକାଂଶ ମୌଳିକ ସୁବିଧା ଯୋଗାଇଆସୁଥିଲେ। ୨ ବର୍ଷ ପୂର୍ବେ ନିଲାମ ପ୍ରକ୍ରିୟାରେ ନୂତନ ଖଣି ଆବଣ୍ଟନ ହେବା ପରେ ଏହି ଖଣି କମ୍ପାନୀମାନେ ଲୋକଙ୍କ ମୌଳିକ ସୁବିଧା ପ୍ରତି ସମ୍ପୂର୍ଣ୍ଣ ଆଖିବୁଜିଦେଇଥିବା ଅଭିଯୋଗ ହୋଇଛି। ରୁଙ୍ଗଟା ଗଲା ପରେ ଗାଁରୁ ଲକ୍ଷୀ ଛାଡି ଯାଇଛି ବୋଲି ଗ୍ରାମବାସୀମାନେ ଗଣମାଧ୍ୟମକୁ କହିଛନ୍ତି। ଚାରି ଆଡେ ପ୍ରାଚୁଯ୍ୟ ଭିତରେ ଦାରିଦ୍ରତାର ଏକ ପ୍ରତିଛବି ଏହି ଗାଁରେ ଦେଖିବାକୁ ମିଳୁଛି। ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ଦେଶ ପାଳନ କରୁଥିବା ବେଳେ ଅଧିକାଂଶ ଗ୍ରାମ ଯେ ମୌଳିକ ସୁବିଧାରୁ ଏବେବି ବଞ୍ଚିତ ଏହା ଏକ ବିଡମ୍ବନାର ବିଷୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.