Home କେନ୍ଦୁଝର ଯୋଡା: ଶେଷ ସୋମବାର ମୂର୍ଗାମହାଦେବରେ କାଉଡିଆଙ୍କ ଜଳାଭିଷେକ

ଯୋଡା: ଶେଷ ସୋମବାର ମୂର୍ଗାମହାଦେବରେ କାଉଡିଆଙ୍କ ଜଳାଭିଷେକ

60

ଯୋଡ଼ା, ୮-୮ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ୨ବର୍ଷର କରୋନା କଟକଣା ପରେ ଶ୍ରାବଣ ମାସର ଶେଷ ସୋମବାର ଭକ୍ତମାନଙ୍କର ଜଳାଭିଷେକ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି। ଯୋଡ଼ା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ମୁର୍ଗାଠାରେ ଅବସ୍ଥିତ ରାଜ୍ୟର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ଏ ନେଇ ଶିବ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରାବଣ ମାସର ଶେଷ ସୋମବାରରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ମହାଦେବଙ୍କ ମସ୍ତକରେ ଜଳାଭିଷେକ କରି କୃତାର୍ଥ ଲାଭ କରିଛନ୍ତି। ଏହି ଜଳାଭିଷେକ ଶ୍ରାବଣ ମାସର ୪ ସପ୍ତାହ ଧରି ଅନୁଷ୍ଠିତ ହୋଇଥାଏ। ଏଥିରେ ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ଗୋଆ, ମେଘାତବୁରୁ, କିରିବୁରୁ, ଚାଇଁବାସା, ଚକ୍ରଧରପୁର, ମନୋହରପୁର, ନୁଆମୁଣ୍ଡି ଏପରିକି ବିହାରର ବିଭିନ୍ନ ପ୍ରାନ୍ତରୁ ଅଧିକାଂଶ କାଉଡ଼ିଆ ପୂଣ୍ୟତୋୟା ବୈତରଣୀ ନଦୀର କଣ୍ଡରା ଘାଟ ନିକଟରୁ ଜଳ ଉତ୍ତୋଳନ କରି ପ୍ରଥମେ ମହାଦେବନାଶା ସ୍ଥିତ ବୁଢା ମହାଦେବଙ୍କ ଲିଙ୍ଗରେ ଜଳ ଲାଗି କରିବା ପରେ ମୂର୍ଗା ମହାଦେବଙ୍କ ପୀଠରେ ଜଳ ଲାଗି କରିଥାନ୍ତି। ମୂର୍ଗା ମହାଦେବସ୍ଥିତ ଧବଳେଶ୍ୱର ଶୈବ ପୀଠରେ ଡାକ ବୋଲବମ ଭକ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦେଖାଯାଇଥିଲା। ରାତି ପ୍ରାୟ ୩ଟା ପରେ ମନ୍ଦିର ଭକ୍ତମାନଙ୍କ ନିମନ୍ତେ ଖୋଲାଯାଇ ପ୍ରାଥମିକ ପୂଜାର୍ଚ୍ଚନାରେ ଏହି ଜଳ ଲାଗି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତୁହାକୁତୁହା ବର୍ଷା ଲାଗି ରହିଥିବା ବେଳେ ଭକ୍ତମାନେ ବର୍ଷାରେ ଭିଜି ବୈତରଣୀ ନଦୀରୁ ପ୍ରାୟ ୧୩ କିମି ଦୂର ପାଦରେ ଚାଲି ମୂର୍ଗା ମହାଦେବ ମନ୍ଦିର ପର୍ଯ୍ୟନ୍ତ ଆସି ଜଳ ଲାଗି କରିଥିଲେ। ଶାନ୍ତି ସୃଙ୍ଖଳା ରକ୍ଷା ନିମନ୍ତେ ଯୋଡ଼ା ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ବିଶ୍ରାମ ନିମନ୍ତେ ରାସ୍ତାରେ କୌଣସି ଠାରେ ବ୍ୟବସ୍ଥା କରାଯାଇନଥିବା ବେଳେ ଭକ୍ତମାନଙ୍କ ଗନ୍ତବ୍ୟ ପଥରେ ଗୋଟିଏ ହେଲେ ସୌଚାଳୟର ବ୍ୟବସ୍ଥା କରାଯାଇନଥିଲା, ସେଥିପାଇଁ କାଉଡିଆମାନେ କ୍ଷୋଭ ପ୍ରକାଶ କରିଥିଲେ। ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ଓ ନିଶୁଳ୍କ ପ୍ରସାଦ ବିତରଣର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ପରିଚାଳନା କମିଟିର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ସୁଚାରୁ ପରିଚାଳନା କରାଯାଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.