Home ଓଡ଼ିଶା ଯୋଡା : ଯୋଡା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯାତ୍ରାରେ ବିଘ୍ନ, ଟାଟା କମ୍ପାନୀ ଅବହେଳାରୁ...

ଯୋଡା : ଯୋଡା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯାତ୍ରାରେ ବିଘ୍ନ, ଟାଟା କମ୍ପାନୀ ଅବହେଳାରୁ ଭାଙ୍ଗିଲା ରଥ ଚକ, ହଜାର ହଜାର ଶ୍ରଦ୍ଧାଳୁ ନିରାଶ

91

ଯୋଡା, ୧ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାରେ ୨୦୦୫ ମସିହା ଠାରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତେବେ ଏହି ଲୁହା ରଥର ରକ୍ଷଣା ବେକ୍ଷଣର ଦାୟିତ୍ୱ ଏ ଅଞ୍ଚଳର ପ୍ରମୁଖ ଖଣି ଏବଂ ଶିଳ୍ପ ସଂସ୍ଥା ଟାଟା କମ୍ପାନୀ ବହନ କରିଆସୁଥିବା ବେଳେ କମ୍ପାନୀର ଅବହେଳା ଯୋଗୁଁ ଏହା ମରାମତି କରାନଯାଇ ରଥ ଯାତ୍ରା ସମ୍ପନ୍ନ କରାଯାଉଥିବାରୁ ରଥ ଆଗ ଅଖର ଡାହାଣ ଚକଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିବା ଶ୍ରଦ୍ଧାଳୁଙ୍କ ମନରେ ନୈରାଶ୍ୟର ଭାବ ଦେଖାଦେଇଛି। ପ୍ରତି ବର୍ଷ ରଥ ଯାତ୍ରା ପୂର୍ବରୁ ଏହି ରଥର ମରାମତି କାର୍ଯ୍ୟ କରାଯାଇଆସୁଥିବା ବେଳେ ୨ ବର୍ଷ କରୋନା କଟକଣା ଯୋଗୁଁ ରଥ ଯାତ୍ରା ସମ୍ପନ୍ନ ହୋଇନଥିଲା। ଚଳିତ ବର୍ଷ ରଥ ଯାତ୍ରା ପୂର୍ବରୁ ଏହି ରଥର ମରାମତି ଆବଶ୍ୟକ ରହିଥିଲା। ତେବେ କମ୍ପାନୀର ଅବହେଳା ଯୋଗୁଁ ଚଳିତ ବର୍ଷ ଏହା ମରାମତି କରାନଯାଇ ରଥ ଯାତ୍ରା ସମ୍ପନ୍ନ କରାଯାଉଥିଲା। ପୂର୍ବ ଯୋଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏହି ରଥ ପଶ୍ଚିମ ଯୋଡାର ମାଉସୀ ମା’ ମନ୍ଦିରଙ୍କୁ ଯାଇଥାନ୍ତି। ତେବେ ମନ୍ଦିର ଠାରୁ ମାତ୍ର ୫୦ ମିଟର ଦୂରରେ ରଥ ଚକଟି ଭାଙ୍ଗି ଯାଇଥିଲା। ଫଳରେ କମ୍ପାନୀ ପକ୍ଷରୁ ଏହାକୁ ମରାମତି କରାଯାଇ ରଥା ଟାଣିବାର ବ୍ୟବସ୍ଥା କରାଯାଉଥିବା ବେଳେ ଏଥିପାଇଁ ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରଥ ଟଣା ହୋଇପାରିନଥିଲା। ତେବେ ଖବର ଲେଖାଯିବା ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହି ଯାତ୍ରା ସ୍ଥଗିତ ରହିଥିଲା। ନିର୍ଦ୍ଧାରିତ ସମୟରେ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ସହିତ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁଙ୍କୁ ପହଣ୍ଡି ବିଜେରେ ୪.୧୫ମି. ସମୟରେ ରଥାଋଢ କରାଯାଇ ଭକ୍ତମାନଙ୍କ ଗହଣରେ ପଶ୍ଚିମ ଯୋଡାସ୍ଥିତ ମାଉସୀ ମା ମନ୍ଦିର ଅଭିମୁଖେ ଅପରାହ୍ନ ୫ଟା ସମୟରେ ଯାତ୍ରା ଆରମ୍ଭ କରାଯାଇଥିଲା। ତେବେ ଯାତ୍ରା ଆରମ୍ଭର ମାତ୍ର କେଇ ମିନିଟ ପରେ ଏହାର ରଥ ଚକଟି ଭାଙ୍ଗି ଯାଇଥିଲା। ଶ୍ରୀ ଜଗନ୍ନାଥ ସେବା ସମିତି ଯୋଡା ସଭାପତି ଡକ୍ଟର ଏ.କେ. ଦାସ ମହାପ୍ରଭୁଙ୍କର ରଥ ଯାତ୍ରାରେ ଏହି ବିଘ୍ନ ପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ଆୟୋଜିତ ଏହି ରଥ ଯାତ୍ରା ନିମନ୍ତେ ସୁମନ ଭଟ୍ଟାଚାର୍ଯ୍ୟ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଚତୁର୍ଦ୍ଧା ମୂର୍ତ୍ତି ରଥାଋଢ ହୋଇ ସନ୍ଧ୍ୟା ସାଢେ ୬ଟା ସମୟରେ ମାଉସୀ ମା ମନ୍ଦିରରେ ପହଞ୍ଚିବାର ସମୟ ଧାର୍ଯ୍ୟ କରାଯାଇଥିଲା। ମାଉସୀ ମା ମନ୍ଦିରରେ ଆଜି ଠାରୁ ୯ ଦିନ ପାଇଁ ଶ୍ରୀ ଜୀଉ ମାନଙ୍କର ପୂଜା ଅର୍ଚ୍ଚନା ଯଥା ରିତି କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଏହି ବିଘ୍ନ ଯୋଗୁଁ ଶ୍ରୀ ଜୀଉ ମାନଙ୍କର ଆଳତି ରଥ ଉପରେ ସମ୍ପାଦନ କରାଯାଇଥିଲା। ୨ ବର୍ଷ ପରେ ଏହି ରଥ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଯୋଡା ତଥା ଯୋଡା ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ରଥ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏଠାରେ ସୂଚନା ଯୋଗ୍ୟ, ୨ ଦଶନ୍ଧୀରୁ ଉର୍ଦ୍ଧ୍ୱ ଧରି ଶ୍ରୀ ଜୀଉ ମାନଙ୍କର ପୂଜା ଅର୍ଚ୍ଚନା ଏହି ମନ୍ଦିରରରେ ହୋଇଆସୁଥିବା ବେଳେ ରଥ ଯାତ୍ରା ପୂର୍ବରୁ ଦେବସ୍ନ୍ନାନ ପୂର୍ଣ୍ଣିମା, ଦେବ ଅନବସର, ନେତ୍ରୋତ୍ସବ, ନବଯୈାବନ ଦର୍ଶନ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ସମସ୍ତ ଦେବ କାର୍ଯ୍ୟ ପୂରୀ ଶ୍ରୀମନ୍ଦିର ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ। ଏ ନେଇ ସମଗ୍ର ଯୋଡା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.