Home ଓଡ଼ିଶା ଯୋଡା : ଭିଣେଇ କାଣ୍ଡେ ମାଝୀ ହତ୍ୟା ଘଟଣାରେ ୩ ଶାଳକ ଗିରଫ

ଯୋଡା : ଭିଣେଇ କାଣ୍ଡେ ମାଝୀ ହତ୍ୟା ଘଟଣାରେ ୩ ଶାଳକ ଗିରଫ

98

ଯୋଡା, ୧୮ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦୁର୍ଦାନ୍ତ ଅପରାଧି କାଳିଚରଣ ମାଝୀ ଓରଫ କାଣ୍ଡେ ହତ୍ୟା କାଣ୍ଡ ଘଟଣାରେ ପୁଲିସ ତାର ୩ ଜଣ ଶାଳକକୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯୋଡା ଆଜାଦବସ୍ତିର ଦିଗାମ୍ବର ମାଝୀ, ରାମ ମାଝୀ ଓ ମନୋହର ମାଝୀ । ତେବେ କାଣ୍ଡେ ର ସ୍ତ୍ରୀ ସୁକୁମାରୀ ମାଝୀକୁ ପଚରା ଉଚରା ପରେ ପୁଲିସ ଛାଡିଦେଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ, କାଳିଚରଣ ୨୦୦୨ ମସିହାରେ ସୁକୁମାରୀ ମାଝୀଙ୍କୁ ବିବାହ କରିଥିଲେ । କାଳିଚରଣର କାଳିଆବେଡା ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ଥିବାରୁ ସୁକୁମାରୀ ମାଝୀଙ୍କୁ ସେ ୨୦୧୪ ପର ଠାରୁ ଛାଡିଦେଇଥିଲେ । ଫଳରେ ସୁକୁମାରୀ ସେଠାରୁ ୨ଶହ ମିଟର ଦୂରରେ ଥିବା ତାଙ୍କ ବାପ ଘରେ ରହିଆସୁଥିଲେ । ସୁକୁମାରୀଙ୍କର ୧୭ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି । ସୁକୁମାରୀଙ୍କ ଘର କାଳିଚରଣଙ୍କ ଘର ଠାରୁ ଅଳ୍ପ ଦୂରରେ ଅବସ୍ଥିତ ଥିବା ବେଳେ ସେ ମଝିରେ ମଝିରେ କାଳିଚରଣ ତାଙ୍କ ଘରକୁ ଯାଇ ସୁକୁମାରୀଙ୍କ ସହିତ ଝଗଡା ଝାଣ୍ଟି ଏବଂ ମାରଧର ମଧ୍ୟ କରୁଥିଲା । ତେବେ ଘଟଣା ଦିନ କାଳିଚରଣ ସୁକୁମାରୀଙ୍କ ଘର ପଛପଟେ ଥିବା ଏକ ବାଉଁଶ ବୁଦାରେ ଲୁଚି ରହିଥିବା ବେଳେ ସୁକୁମାରୀଙ୍କ ଭାଇମାନେ ଦେଖିପାରି ଏହାର ବିରୋଧ କରିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେବା ସହ ମାଡପିଟ ହୋଇଥିଲା । ଶେଷରେ ତାଙ୍କର ୩ଜଣ ଶାଳକ ମିଶି କାଳିଚରଣକୁ ହତ୍ୟା କରି ସୁନା ନଦୀ କଡରେ ପୋତି ଦେଇଥିବା ସେ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ, କାଳିଚରଣ ଓରଫ କାଣ୍ଡେ ଜଣେ ପେଶାଦାର ଅପରାଧି ଭାବେ ସମଗ୍ର ଖଣି ଅଞ୍ଚଳରେ ବେସ ଜଣାଶୁଣା । ବାଂଶପାଣି ଅଞ୍ଚଳରେ ରେଳ ବୋଝେଇକୁ କେନ୍ଦ୍ରକରି ଏକ ହତ୍ୟା କାଣ୍ଡ ଘଟଣାରେ ସେ ମୁଖ୍ୟ ଆସାମୀ ଭାବେ ୫ ବର୍ଷ ଜେଲରେ ସଜା କାଟି ଫେରିଥିଲେ । ଗତ ୨୦୨୦ ମସିହା ଜୁଲାଇ ମାସ ୩୦ ତାରିଖରେ ସୁନା ଅଳଙ୍କାର ଚୋରି ର‌୍ୟାକେଟର ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ ତାକୁ ଗିରଫ କରି ତା ନିକଟରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରିଥିଲେ । ତାଙ୍କ ନାମରେ ଡକାୟତି, ରାହାଜାନୀ, ନିଶା କାରବାର, ହତ୍ୟା, ଦାଦାବଟି ଆଦାୟ ଭଳି ଅନେକ ସଙ୍ଗିନ ମାମଲା ବିଚାରଧିନ ରହିଛି । ଖଣି ଅଞ୍ଚଳରେ ଏକ ବଡଧରଣ ଡକାୟତ ର‌୍ୟାକେଟ କାମ କରୁଥିବା ବେଳେ କାଳିଚରଣ ସେମାନଙ୍କର ସର୍ଦାର ଥିଲେ । ଖଣି ଅଞ୍ଚଳରେ ହେଉଥିବା ପ୍ରତ୍ୟେକ ଚୋରି, ଡକାୟତି, ଲୁଟ, ନିଶା କାରବାର, ଦାଦା ବଟି ଆଦାୟରେ ତାଙ୍କର ସିଙ୍ଘ ଭାଗ ରହୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.