Home ଓଡ଼ିଶା ଯୋଡା ପୁଲିସର ବଡ ସଫଳତା, ୩ ଲକ୍ଷ ଟଙ୍କାର ଗହଣା ଜବତ, ୪ ଅଭିଯୁକ୍ତ ଗିରଫ

ଯୋଡା ପୁଲିସର ବଡ ସଫଳତା, ୩ ଲକ୍ଷ ଟଙ୍କାର ଗହଣା ଜବତ, ୪ ଅଭିଯୁକ୍ତ ଗିରଫ

186

ଯୋଡା, ୩୦/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୁଲିସକୁ ଏକ ବଡ ସଫଳତା ମିଳିଛି । ଗତ ଜୁନ ମାସ ୯ ତାରିଖରେ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବନେଇକଳାବସ୍ତିରେ ଏକ ବଡଧରଣର ଚୋରି ହୋଇଥିବା ବେଳେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩ଲକ୍ଷ ଟଙ୍କା ମୂଲ୍ୟର ସୁନା, ରୂପା ଗହଣା ଜବତ କରିଥିବା ଜଣାପଡିଛି । ଏହି ଚୋରି ମାମଲାରେ ଗିରଫ ଅଭିଯୁକ୍ତମାନେ ହେଲେ ଯୋଡା ମୁଖାର୍ଜି ହଟିଂର ଆକାଶ ତନ୍ତି ଓରଫ କ୍ରିଷ୍ଣା, ନେପାଳୀ ହାଟିଂର ରୁପେଶ ନାଏକ ଓରଫ ଟିପଲି, ଜାହିରା ହାଟିଂର ଅଞ୍ଚଳର ଏମ୍‌.ଡି. ଛୋଟୁ ଓରଫ ସାଜିଦ୍ ଏବଂ ଚୋରି ଜିନିଷ କିଣିଥିବା ଆଜାଦବସ୍ତି ଅଞ୍ଚଳର କାଳିଚରଣ ମାଝି ଓରଫ କାଣ୍ଡେ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ କେତେ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ଜଣାପଡିଛି । ଜବତ ଜିନିଷ ଗୁଡିକ ମଧ୍ୟରେ ୨ଟି ସୁନା ଚେନ, ୨ଟି ସୁନା ମୁଦି, ୨ହଳ ସୁନା ଚୁଡି, ୩ଟି ମଙ୍ଗଳସୂତ୍ର, ୨ହଳ ରୁପା ଚୁଢି, ୪ହଳ ପାଉଁଜ, ୧ଟି ରୁପା ଚେନ, ୫ଟି ଗୋଡ ମୁଦି, ୨ଟି ରୁପା କଏନ, ଗୋଟିଏ ହାତ ଘଣ୍ଟା ଓ ଗୋଟିଏ ମୋବାଇଲ ରହିଛି । ପୁଲିସ ସୂତ୍ରରୁ ପ୍ରକାଶ ଜୁନ ୯ ତାରିଖ ବିଳମ୍ବିତ ରାତ୍ରୀରେ ବନେଇକଳାବସ୍ତିର ପୁରୁଷୋତ୍ତମ ବାରିକଙ୍କ ଘରେ ଭଡାରେ ରହୁଥିବା ସାବରମଲ ବର୍ମାଙ୍କ ଘରେ ଏହି ଚୋରମାନେ କଳାକନା ବୁଲାଇ ସୁନା ଗହଣା ସହ ନଗଦ ୮୦ ହଜାର ଟଙ୍କା ନେଇଥିବା ଯୋଡା ଥାନାରେ ଏତଲା ହୋଇଥିଲା । ସବରମଲ ବର୍ମା ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ଏହି ଦୁର୍ବୁତ୍ତମାନେ ଘରର ଝରକା ତାଡି ଘର ଭିତରେ ପଶି ଗହଣା ଓ ଟଙ୍କା ଭର୍ତ୍ତି ଥିବା ସୁଟକେଶ ଏବଂ ବ୍ୟାଗ ନେଇ ସେଠାରୁ ଚମ୍ପଟ ମାରିଥିଲେ । ତେବେ ପତି-ପତ୍ନୀ ସକାଳୁ ଉଠି ତାଙ୍କ ଘରୁ ସବୁ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେମାନେ ଯୋଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ପ୍ରକାଶ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.