Home କେନ୍ଦୁଝର ଯୋଡା : ନିଶା ଛଡାଇବାକୁ ଯାଇ ନିଶା ନିବାରଣ କେନ୍ଦ୍ରରେ ବନ୍ଧା ପଡିଲେ ଯୁବକ

ଯୋଡା : ନିଶା ଛଡାଇବାକୁ ଯାଇ ନିଶା ନିବାରଣ କେନ୍ଦ୍ରରେ ବନ୍ଧା ପଡିଲେ ଯୁବକ

85

– ମା’ ପରଘରେ ପାଇଟି କଲେ ପରିବାର ଚଳେ
– ପୁଅର ନିଶା ଛଡାଇବାକୁ ନିଶା ନିବାରଣ କେନ୍ଦ୍ରକୁ ଦେଇସାରିଲେଣି ୧ଲକ୍ଷ ୩୨ ହଜାର ଟଙ୍କା
– ଆଉ ୮୪, ୭୩୦ ଟଙ୍କା ଦେଲେ ମୁକୁଳିବେ ଯୁବକ
– ଟଙ୍କା ନଦେଇପାରିବାରୁ ସଂସ୍ଥାରେ କାମ କରି ସୁଝିବାକୁ କହିଛନ୍ତି ପରିଚାଳକ
ଯୋଡା, ୨୯ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ପ୍ରତିବର୍ଷ ୨୬ ଜୁନ କୁ ବିଶ୍ୱସ୍ଥରରେ ନିଶା ଔଷଧର ଦୁରୁପଯୋଗ ଏବଂ ଅବୈଧ କାରବାରର ବିରୋଧରେ ଆନ୍ତର୍ଜୀତିକ ଡ୍ରଗ୍ସ ଦିବସ ରୂପେ ପାଳନ କରାଯାଉଥିବା ବେଳେ ନିଶା ଦ୍ରବ୍ୟ ବିକ୍ରି କଲାବାଲାଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏହା କେବଳ କାଗଜପତ୍ରରେ ସିମିତ ରହି ବିଭିନ୍ନ ସ୍ଥାନରେ ଅବାଧରେ ନିଶା କାରବାର ଚାଲି ଆସୁଥିବା ଦେଖିବାକୁ ମିଳିଛି। ଯୁବ ପୀଢି ଏହି ନିଶା କବଳରେ ପଡି ସର୍ବଶାନ୍ତ ହେଉଥିବା ବେଳେ ଏହାର କବଳରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରି ମଧ୍ୟ ମୁକୁଳିପାରିନଥାନ୍ତି। ନିଶା ଖାଉଥିବା ନିଶା ଖୋର ଲୋକଙ୍କୁ ନିଶା ପାଖରୁ ଦୂରେଇ ରଖି ଏକ ଦାୟିତ୍ୱ ସମ୍ପନ୍ନ ମଣିଷ ଭାବେ ଗଢି ତୋଳିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ସ୍ୱୀକୃତି ପ୍ରାପ୍ତ ନିଶା ନିବାରଣ କେନ୍ଦ୍ରମାନ ପ୍ରତିଷ୍ଠା ହୋଇଛି। ତେବେ ନିଶା ଅଭ୍ୟାସ ଛଡାଇବାର ଆକର୍ଷଣୀୟ ବିଜ୍ଞାପନ ଦେଖି କେତେକ ଏଥିପ୍ରତି ଆକୃଷ୍ଠ ହେଉଥିବା ବେଳେ ଏହି କେନ୍ଦ୍ରକୁ ଯାଇ କେତେକ ସେଠିକାର ପ୍ରାପ୍ୟ ଦେଇନପାରି ବନ୍ଧକ ରହୁଥିବା ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଯୋଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯୋଡା ପୌରପାଳିକା ଅନ୍ତର୍ଗତ ମୁସଲିମ ବସ୍ତିର ପାୱନ ରବି ଦାସ (୩୨) ନାମକ ଜଣେ ଯୁବକ ମୟୁରଭଞ୍ଜ ଜିଲା ବାରିପଦାର ପ୍ରତିଜ୍ଞା ନାମକ ଏକ ନିଶା ନିବାରଣ କେନ୍ଦ୍ରକୁ ଯାଇ ଏବେ ସେଠିକାର ପ୍ରାପ୍ୟ ପୈଠ କରିନପାରି ବନ୍ଧକ ରହିଥିବା ଜଣାପଡିଛି। ସମ୍ପୃକ୍ତ ଯୁବକଙ୍କର ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କର ମା’ ଯଶୋଦା ଦାସ ପରଘରେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ୨ଟି ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ଝିଅଟିର ବିବାହ ହୋଇଯାଇଛି। ବଡ ପୁଅ ପାୱନ ଦିନ ତମାମ ନିଶାଗ୍ରସ୍ତ ରହୁଥିବା ବେଳେ ପରିବାର ପ୍ରତି ତାଙ୍କର କୌଣସି ଯୋଗଦାନ ନାହିଁ। ଏଭଳି ସ୍ଥିତିରେ ମା ଯଶୋଦା ତାଙ୍କୁ ଏହି ନିଶା ନିବାରଣ କେନ୍ଦ୍ରକୁ ପଠାଇଦେଇଥିଲେ। ଭାବିଥିଲେ ପୁଅ ସୁସ୍ଥ ହୋଇଆସିଲେ ପରିବାରର ଦାୟିତ୍ୱ ସମ୍ଭାଳିବ। ବିଜ୍ଞାପନରେ ଏହା ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ଥିବା ଜାଣି ସେ ତାଙ୍କ ପୁଅକୁ ସେଠାରେ ଛାଡିଦେଇଥିଲେ। କିଛି ଦିନ ରହିବା ପରେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ରହିବା, ଖାଇବା ଏବଂ ଔଷଧ ନିମନ୍ତେ ତାଙ୍କ ଠାରୁ ଅର୍ଥ ଦାବି କରାଯାଇଥିଲା। ତେବେ ପ୍ରଥମ ପର୍ଯ୍ୟୟରେ ସେ ୪୭ ହଜାର ଟଙ୍କା ନିଶା ନିବେରଣ କେନ୍ଦ୍ରରେ ପୈଠ କରିଥିବା ବେଳେ ୨୨.୦୬.୨୦୨୧ରେ ୬୦ ହଜାର ଟଙ୍କା ଓ ୧୮.୧୨.୨୦୨୧ରେ ୨୫ ହଜାର ଟଙ୍କା ପୈଠ କରିଥିଲେ। ଏହିପରି ମୋଟ ୧ଲକ୍ଷ ୩୨ ହଜାର ଟଙ୍କା ପୈଠ କରି ତାଙ୍କ ପୁଅକୁ ଘରକୁ ନେଇଆସିଥିଲେ। ତେବେ କିଛି ଦିନ ଘରେ ରହିବା ପରେ ଏହି ନିଶା ନିବାରଣ କେନ୍ଦ୍ରରୁ ଏକ ଦଳ ଯୋଡାସ୍ଥିତ ତାଙ୍କ ଘରେ ପହଞ୍ଚି ତାଙ୍କୁ ପୁନଃର୍ବାର ଗାଡିରେ ନିଶା ନିବେରଣ କେନ୍ଦ୍ରକୁ ନେଇଯାଇଥିଲେ। ଏବଂ ତାଙ୍କର ମା ଙ୍କୁ ସୂଚନା ଦେଇଥିଲେ ଯେ, ତାଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ହୋଇନଥିବା ବେଳେ ସେ ସେବନ କରୁଥିବା ଔଷଧର ଅବଧି ସରିନାହିଁ। ତେଣୁ ତାଙ୍କୁ ଆଉ କିଛି ଦିନ ସେଠାରେ ରହିବାକୁ ପଡିବ ବୋଲି କହିଥିଲେ। ତେବେ ପରବର୍ତ୍ତି ସମୟରେ ତାଙ୍କର ମା ଯଶୋଦା ପୁଅକୁ ଫେରାଇଆଣିବାକୁ ଯାଇଥିବା ବେଳେ ତାଙ୍କୁ ଆଉଥରେ ୮୪ହଜାର ୭୩୦ଟଙ୍କା ପୈଠ କରିବାକୁ ସଂସ୍ଥା ପକ୍ଷରୁ କୁହାଯାଇଥିଲେ। ଏଥିରେ ମାସିକ ୬୫୫୦ଟଙ୍କା ଖାଇବା ଖର୍ଚ୍ଚ ବାବଦକୁ ୧୪ମାସ ପାଇଁ ୭୮ ହଜାର ୬ଶହ ଟଙ୍କା, ଗାଡି ଭଡା ବାବଦକୁ ୫ହଜାର ଟଙ୍କା, ଲୁଗାପଟା ବାବଦକୁ ୧୧୩୦ଟଙ୍କା ଏହିପରି ମୋଟ ୮୪, ୭୩୦ଟଙ୍କା ପୈଠ କରି ପୁଅକୁ ନେଇଯିବା ପାଇଁ ନିଶା ନିବାରଣ କେନ୍ଦ୍ର କହିଥିଲେ। ଏହି ଅର୍ଥ ପୈଠ କରିବା ପାଇଁ ମା ଅସମର୍ଥ ଥିବା ବେଳେ ଏହା ଏକ ଠକେଇ ସଂସ୍ଥା ବୋଲି ଜାଣିବାକୁ ପାଇଥିଲେ। ଏବେ ପୁଅକୁ ନେବା ପାଇଁ ଜିଦ୍ ଧରିବାରୁ ଏହି ସଂସ୍ଥାର ପରିଚାଳକ ଅବନି ରାହୁଳପତି ତାଙ୍କ ପୁଅକୁ ବନ୍ଧକ ରଖି ତାଙ୍କୁ ସମ୍ପୃକ୍ତ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ତାଙ୍କର ପାରିଶ୍ରମିକ ବାବଦକୁ ଏହି ଅର୍ଥ ଭରଣା କରିବା ପାଇଁ କହିଛନ୍ତି। ଅର୍ଥ ଭରଣା ନହେଲା ପର୍ଯନ୍ତ ତାଙ୍କୁ ଛଡା ଯିବନାହିଁ ବୋଲି ସେ ପରିସ୍କାର ଭାବେ ମନା କରିଦେଇଥିବା ବେଳେ ଏବେ ତାଙ୍କର ବିଧବା ମା ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି। ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଦର୍ଶାଇ ଏହିଭଳି ଠକେଇ ସଂସ୍ଥା ଚାଲୁଥିବା ବେଳେ ସେମାନଙ୍କ ପ୍ରତି ରାଜ୍ୟ ସରକାର କଠୋର କାର୍ଯ୍ୟାନୁାଷ୍ଠାନ ଗ୍ରହଣ କରିବା ପାଇଁ ଯୋଡା ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.