Home ଓଡ଼ିଶା ଯୋଡା : ନଦୀ ଖୋଳି ପାଇପ ବିଛାକୁ ନେଇ ଜିନ୍ଦଲ କମ୍ପାନୀକୁ ଜିଲାପାଳଙ୍କ ତାଗିଦ୍‌

ଯୋଡା : ନଦୀ ଖୋଳି ପାଇପ ବିଛାକୁ ନେଇ ଜିନ୍ଦଲ କମ୍ପାନୀକୁ ଜିଲାପାଳଙ୍କ ତାଗିଦ୍‌

58

ଯୋଡା, ୧୦-୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଲୁହାପଥର ଗୁଣ୍ଡ ପରିବହନ ନିମନ୍ତେ ଜିନ୍ଦଲ କମ୍ପାନୀ ଦେଓଝରସ୍ଥିତ ପିଲେଟ ପ୍ଲାଣ୍ଟରୁ ଅନୁଗୁଳସ୍ଥିତ ନିଜ କାରଖାନା ପର୍ଯ୍ୟନ୍ତ ଏକ ପାଇପ ଲାଇନ ବିଛା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚଳାଇଆସିଥିବା ବେଳେ ଯୋଡା ଠାରେ ଯୋଡାର ଲାଇଫ ଲାଇନ କୁହାଯାଉଥିବା ଚିରସ୍ରୋତା ସୁନା ନଦୀ ଜଳକୁ ଅବରୋଧ କରି ଏହାର ମଧ୍ୟ ଭାଗକୁ ବଡ ବଡ ମେସିନ ଲଗାଇ କାଟି ଏହି ପାଇପ ଲାଇନ ବିଛାଉଥିବା ବେଳେ ଏହାକୁ ଟ୍ରକ ମାଲିକ ସଂଘ ଓ ଯୋଡା ଜନସାଧାରଣ ତୀବ୍ର ବିରୋଧ କରିଛନ୍ତି। ଏପରିକି ନଦୀ ବଞ୍ଚାଓ ଅଭିଯାନ ପକ୍ଷରୁ ଘଟଣାସ୍ଥଳର ପରିଦର୍ଶନ ପରେ ସଦସ୍ୟମାନେ ଆବଶ୍ୟକ ପଡିଲେ ଏଥିପାଇଁ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଫଳରେ ପରିସ୍ଥିତି ଏପରି ହୋଇଛି ଯେ ଜିନ୍ଦଲ କମ୍ପାନୀ କାମଟିକୁ ବନ୍ଦ କରି ରାତି ଅଧିଆ ତାର ମେସିନ ଗୁଡିକୁ ନେଇ ପଳାଇବାକୁ ବାଧ୍ୟ ହୋଇଛି। କମ୍ପାନୀ ନଦୀ ଭିତରେ ଏହି ସ୍ଲରି ପାଇପ ଲାଇନ ବିଛାଇବାକୁ ଜିଲା ପ୍ରଶାସନ ନିକଟକୁ କୌଣସି ଅନୁମତି ପ୍ରାପ୍ତ କରିନଥିବା ଜଣାପଡିଛି। ଫଳରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଗୁରୁବାର ଦିନ ତାଙ୍କର ଯୋଡା ଗସ୍ତ ସମୟରେ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଏହି ମନମୁଖି କାର୍ଯ୍ୟ ପାଇଁ ତାଗିଦ କରିଥିବା ଜଣାପଡିଛି। ଏପରିକି ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି କୌଣସି ନିର୍ମାଣ କାର୍ଯ୍ୟ କରାଗଲେ ସମ୍ପୃକ୍ତ କର୍ତ୍ତୁପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅତ୍ୟନ୍ତ ନିର୍ଦ୍ଦୟ ଭାବେ କମ୍ପାନୀ ଏସଆର କଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥା ମାଧ୍ୟମରେ ନଦୀ ବକ୍ଷକୁ ଚିରି ଏହି ପାଇପ ବିଛାଉଥିବା ବେଳେ ଏହି ନଦୀ ଉପରେ ନିର୍ଭର କରୁଥିବା ହଜାର ହଜାର ବସ୍ତି ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇପଡିଛନ୍ତି। ଏହି କାର୍ଯ୍ୟ ଯୋଗୁଁ ନଦୀଟି ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇପଡିଥିବା ଦେଖିବାକୁ ମିଳିଛି। ବର୍ଷା ଦିନ ଉପନୀତ ଥିବା ବେଳେ ନଦୀ ଜଳକୁ ଅବରୋଧ କରାଗଲେ ବର୍ଷା ଜଳ ନିଷ୍କାସନ ହୋଇନପାରି ଏହା କୁତ୍ରିମ ବନ୍ୟାର ରୂପ ନେବା ଥୟ ବୋଲି କୁହାଯାଉଛି। ଜିନ୍ଦଲ କମ୍ପାନୀ ବିଭିନ୍ନ ସ୍ଥାନରେ ଲୋକଙ୍କ ପଟ୍ଟାଭୁକ୍ତ ଜାଗାରେ ମଧ୍ୟ ଜୋରଜବରଦସ୍ତ ଏହି ପାଇପ ଲାଇନ ବିନା ଅନୁମତିରେ ବିଛାଉଥିବାରୁ ଲୋକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଏହି ପାଇପ ଲାଇନ ବାଟରେ ବଡ ବଡ ଗଛ ଥିଲେ ମଧ୍ୟ ତାହାକୁ ବିନା ଅନୁମତିରେ କାଟି ଦିଆଯାଉଛି। ବର୍ଷା ଦିନିଆ ଏହି ପାଇପ ଲାଇନ ବିଛା କାର୍ଯ୍ୟ ନିମନ୍ତେ ଯୋଡା ସହର ମାଟି କାଦୁଅରେ ପ୍ରଦୂଷିତ ହୋଇପଡିଛି। ବିଭିନ୍ନ ସ୍କୁଲର ପିଲାମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତା କଡ ଗୁଡିକରେ ବ୍ୟାଙ୍କ, ବିଭିନ୍ନ ଶିଳ୍ପ ଅନୁଷ୍ଠାନ, ଡାକ୍ତରଖାନା ଥିବା ବେଳେ କାଦୁଅ ପଚପଚରେ ଯାତାୟତ ନିମନ୍ତେ ଲୋକେ କଷ୍ଟ ଭୋଗୁଛନ୍ତି। ଫଳରେ ଜିଲାପାଳ ନଦୀ ବକ୍ଷରେ ଅବରୋଧ କରାଯାଇଥିବା ମାଟି ବନ୍ଧକୁ ତୁରନ୍ତ ଭାଙ୍ଗି ସମତୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକୁ ଓବିସିସି (ଓଡିଶା ବ୍ରିଜ କଷ୍ଟ୍ରକସନ କମ୍ପାନୀ) ସମ୍ପାଦନ କରିବ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଏହି ପାଇପ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପରିବହନ ବ୍ୟବସାୟ ଉପରେ ନିର୍ଭର କରୁଥିବା ହଜାର ହଜାର ଗାଡି ମାଲିକ ବେକାର ହୋଇପଡିବା ସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.