Home ଓଡ଼ିଶା ଯୋଡା : ଜୋର ଧରିଲା ଟୋଲ ଗେଟ ହଟାଇବା ଦାବୀ, ନାଗରିକ ମଞ୍ଚ ପକ୍ଷରୁ ସାମ୍ବାଦିକ...

ଯୋଡା : ଜୋର ଧରିଲା ଟୋଲ ଗେଟ ହଟାଇବା ଦାବୀ, ନାଗରିକ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

30

ଯୋଡା, ୦୪ା୯ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କନ୍ଦ୍ର ସରକାର ଦ୍ୱାରା ଜିଲାବାସୀ ଶୋଷଣର ଶିକାର ହୋଇଛନ୍ତି । ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ଆଦାୟ ହେଉଛି ଅର୍ଥ । ପ୍ରତି ୬୦ କିମି ଦୂରରେ ଟୋଲଗେଟ ରହିବାର ଜାତୀୟ ରାଜପଥ ପ୍ରାଧିକରଣଙ୍କ ପ୍ରାବଧାନ ଥିବା ବେଳେ କରାଯାଇଛି ଏହାର ଉଲ୍ଲଂଘନ । ଜିଲା ଭିତରେ ୧୫୩ କି.ମି. ଦୂରତାରେ ୩ଟି ଟୋଲଗେଟ ରହିଥିବାବେଳେ ବିଲେଇପଦା ସ୍ଥିତ କାରଣସାହିଠାରେ ଯୁଦ୍ଧକାଳୀନ ଭିତ୍ତିରେ ୪ର୍ଥ ଫାଟକ ନିର୍ମାଣ । ସ୍ଥାନୀୟ ନାଗରିକ ମଞ୍ଚ ପକ୍ଷରୁ ତିବ୍ର ବିରୋଧ କରାଯିବା ସହ ଏହାକୁ ହଟାଇବା ପାଇଁ ଦାବୀ ଜୋର ଧରିବାରେ ଲାଗିଛି । ନିର୍ମାଣଧିନ ପାଣିକୋଇଲିରୁ ରାଜାମୁଣ୍ଡା ୨୧୫ନଂ ଜାତୀୟ ରାଜପଥକୁ ୨ଭାଗରେ ବିଭକ୍ତ କରାଯାଇ ପାଣିକୋଇଲିରୁ ରିମୁଳି ଦେଇ ଝାଡଖଣ୍ଡ ରାଜ୍ୟର ରାଞ୍ଚି ଓ ବିହାରର ବକ୍ତିଆରପୁର ପର୍ଯ୍ୟନ୍ତ ୨୦ ନଂ ଏବଂ ରିମୁଳି ଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ୫୨୦ନଂ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଛି । ତେବେ ଏହି ରାଜପଥ ଉପରେ କେନ୍ଦୁଝର ଜିଲା ଭିତରେ ଚାରୋଟି ଟୋଲଗେଟ ସ୍ଥାପନ କରାଯାଇ ଯାନ ବାହାନ ଗୁଡିକରୁ କର ଆଦାୟ କରାଯାଇଛି । ଜାତୀୟ ରାଜପଥ ପ୍ରାଧିକରଣଙ୍କ ନିୟମ ଅନୁଯାୟୀ ପ୍ରତି ୬୦ କିମି ଦୂରରେ ଟୋଲଗେଟ ନିର୍ମାଣ କରିବାର ପ୍ରାବଧାନ ଥିବା ବେଳେ କେନ୍ଦୁଝର ଜିଲା ମଧ୍ୟରେ ୧୫୩ କି.ମି ବ୍ୟବଧାନରେ ୪ଟି ଟୋଲଗେଟ ସ୍ଥାପନ ରାଜପଥ ପ୍ରାଧିକରଣଙ୍କ ସ୍ୱେଚ୍ଛାଚାରିତା ଏବଂ ଜିଲାବାସୀଙ୍କୁ ଶୋଷଣର ଏକ ମାଧ୍ୟମ ପାଲଟିଛି । ଆନନ୍ଦପୁରସ୍ଥିତ ହାସନପୁରରେ ଗୋଟିଏ ଟୋଲଗେଟ ଥିବା ବେଳେ ଢେଙ୍କିକୋଟର କଣ୍ଟାଘର ଠାରେ ଗୋଟିଏ ଏବଂ ସେଠାରୁ ମାତ୍ର ୪୨ କିମି ଦୂର ରାଇସୁଆଁ ନିକଟ ବନାଯୋଡି ଠାରେ ଅନ୍ୟ ଏକ ଟୋଲଗେଟ ରହିଥିବା ବେଳେ ସେଠାରୁ ମାତ୍ର ୪୭ କିମି ଦୂରରେ ଅବସ୍ଥିତ ବିଲେଇପଦାସ୍ଥିତ କାରଣସାହି ଠାରେ ଆଉ ଏକ ଟୋଲଗେଟର ନିର୍ମାଣ ଖଣି ଅଞ୍ଚଳବାସୀଙ୍କ ପାଇଁ ଆଉ ଏକ ବୋଝ ପାଲଟିବ ବୋଲି ଜଣାପଡିଛି । ଅନ୍ୟପକ୍ଷେ ୫୨୦ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନା ଧରୁନଥିବା ବେଳେ ଏଥି ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୈନିକ ଦୁର୍ଘଟଣା ଏ ଅଞ୍ଚଳରେ ନୀତିଦିନିଆ ଘଟଣାରେ ପରିଣତ ହେଲାଣି । ଏ ଅଞ୍ଚଳରୁ ଛୋଟ ଯାନଟିଏ ନେଇ କେହି ରାଜ୍ୟର ରାଜଧାନୀ ଭୁବନେଶ୍ୱର ଗଲେ ଉପରୋକ୍ତ ଟୋଲଗେଟ ବ୍ୟାତୀତ ପାଣିକୋଇଲି ଏବଂ ମଙ୍ଗୁଳି ଠାରେ ଆଉ ଦୁଇଟି ଟୋଲଗେଟରେ ଅର୍ଥ ଦେବାକୁ ପଡୁଛି । ଏବେ ଗୋଟିଏ ଛୋଟ ଯାନ ପାଇଁ ଯିବା ଆସିବା ୮୨୦ ଟଙ୍କା ଦେବାକୁ ପଡୁଥିବା ବେଳେ କାରଣସାହିରେ କର ଲାଗୁ ହେଲେ ଏହା ୧ ହଜାର ଟଙ୍କାରେ ପହଞ୍ଚିବ ବୋଲି ଜଣାପଡିଛି । ଖଣି ଅଞ୍ଚଳବାସୀ ସାଧାରଣତଃ ଉଚ୍ଚ ଶିକ୍ଷା ଏବଂ ଉତ୍ତମ ଚିକିତ୍ସା ନିମନ୍ତେ ରାଜଧାନୀ ଉପରେ ନିର୍ଭର କରୁଥିବା ବେଳେ ଏହି ଅତିରିକ୍ତ ଅର୍ଥ ଆଦାୟ ସେମାନଙ୍କ ପାଇଁ ଏକ ବିରାଟ ବୋଝ ସଦୃଶ୍ୟ ହୋଇଛି । ୫୨୦ନଂ ଜାତୀୟ ରାଜପଥ ରାସ୍ତାର ଦୂରାବସ୍ଥା ନେଇ ଲୋକେ ଦୀର୍ଘ ଦିନରୁ କଷ୍ଟ ଭୋଗୁଥିବା ବେଳେ ଏହି ଅସ୍ୱଭାବିକ ଅର୍ଥ ଆଦାୟ ସେମାନଙ୍କ ପାଇଁ ବୋଝ ଉପରେ ନଳିତାବିଡା ପରି ହୋଇଛି । ତେଣୁ କାରଣସାହିଠାରେ ନିର୍ମାଣଧିନ ଟୋଲଗେଟକୁ ତୁରନ୍ତ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ମଞ୍ଚ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ବିଲେଇପଦା ଦୂର୍ଗା ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର କର୍ମକର୍ତ୍ତ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ଦୃଢ ଦାବି କରିଛନ୍ତି । ସେମାନେ ଆହୁରି କହିଛନ୍ତି ଯେ, ବରଗଡ ଜିଲାରେ ଜିଲାବାସୀଙ୍କ ପାଇଁ ସମସ୍ତ ଟୋଲଗେଟ ଦେୟମୁକ୍ତ ଥିବା ବେଳେ ଏହି ନିୟମ କେନ୍ଦୁଝର ଜିଲାବାସୀଙ୍କ ପାଇଁ ମଧ୍ୟ ଲାଗୁ କରାଯାଉ । ଏ ନେଇ ପତ୍ର ମଧ୍ୟମରେ ରାଜପଥ ପ୍ରୀଧିକରଣ ସମେତ ସମସ୍ତ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ଦାବି ଗୁଡିକୁ କେନ୍ଦ୍ର ସରକାର ମାନିନନେଲେ ଏଥି ପାଇଁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନାଗରୀକ ମଞ୍ଚ ପକ୍ଷରୁ ରଞ୍ଜିତ ବାରିକ୍‌, ବରିଷ୍ଠ ନାଗରିକ ବେଣୁମାଧବ ନାଏକ, ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଯୁଧିଷ୍ଠୀର ପଲେଇ, ଚମକପୁର ସରପଞ୍ଚ ହରିହର ନାଏକ, ଅଂଶେଇକଳା ସରପଞ୍ଚ ଦିଲ୍ଲିପ ନାଏକ, ପୂର୍ବତନ ଦେଓଝର ସରପଞ୍ଚ ଜନାର୍ଦ୍ଦନ ନାଏକ, ପୂୂର୍ବତନ ଜିଲ୍ଲା ପରିଷଦ ବୀର ନାଏକ, ସଦସ୍ୟ ମନବୋଧ ବେହେରା, ରଞ୍ଜିତ ବେହେରା, ରାଧାକାନ୍ତ ପଣ୍ଡା, ଅର୍ଜ୍‌ୁନ ମୁଣ୍ଡା ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.