Home ଓଡ଼ିଶା ଯୋଡା : କେଜେଏସ୍ ଆଲୁୱାଲିଆଙ୍କ ହାତରୁ ନୂଆଗାଁ ଖଣି ଗଲା

ଯୋଡା : କେଜେଏସ୍ ଆଲୁୱାଲିଆଙ୍କ ହାତରୁ ନୂଆଗାଁ ଖଣି ଗଲା

181

ଯୋଡା – ୩୧/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣି ନିଲାମ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ବାହାରିଥିବା ଫଳାଫଳ ଅନୁଯାୟୀ କେଜେଏସ୍ ଆଲୁୱାଲିଆଙ୍କ ଗୁଆଲିସ୍ଥିତ ନୂଆଗାଁ ଖଣି ହାତରୁ ଯାଇଥିବା ଜଣାପଡିଛି । ୭୬୭.୨୮୪ ହେକ୍ଟର ପରିମିତ ନୂଆଗାଁ ଆଇରନ ୱର ବ୍ଲକ ଖଣିଟିରେ ୭୯୨.୯୩୨ ନିୟୁତ ମେଟ୍ରିକ ଟନ୍ ସର୍ବାଧିକ ଲୁହାପଥର ଗଚ୍ଛିତ ଥିବା ବେଳେ ଏହି ଖଣିଟି ନେବା ପାଇଁ ୧୭ଜଣ ଟେଣ୍ଡର ପ୍ରକ୍ରିୟାରେ ଭାଗନେଇଥିଲେ । ତେବେ ଜାନୁଆରୀ ୩୦ ତାରିଖ ଦିନ ଏହି ଟେଣ୍ଡର ଖୋଲିଥିବା ବେଳେ ଏଥିରେ ସବୁଠାରୁ ଅଧିକ ଦରରେ ଟେଣ୍ଡର ପକାଇଥିବା ୬ଟି ସଂସ୍ଥାକୁ ସରକାର ବିଚାରକୁ ନେଇଥିଲେ । ସେଥିରେ ଟି.ଏସ୍‌. ଆଲଏଜ ଲିଃ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ୫୧.୦୫ ପ୍ରତିଶତ ଅଧିକ ମୂଲ୍ୟ ଦର୍ଜ କରିଥିବା ବେଳେ ବେଦାନ୍ତ ଲିଃ ୫୮.୧୦ ପ୍ରତିଶତ, ରୁଙ୍ଗଟା ସନ୍ସ ପ୍ରାଃ ଲିଃ ୬୦.୧୫ ପ୍ରତିଶତ, ଆରସେଲ ମିତ୍ତଲ ଇଣ୍ଡିଆ ପ୍ରାଃ ଲିଃ ୭୫.୦୦ ପ୍ରତିଶତ, ଆଦାନୀ ଇଣ୍ଟରପ୍ରାଇଜେସ ଲିଃ ୭୫.୩୦ ପ୍ରତିଶତ ଏବଂ ଜେଏସ ଡବ୍ଲୁ ଷ୍ଟିଲ ଲିଃ ୮୯.୪୦ ପ୍ରତିଶତ ମୂଲ୍ୟ ଦର୍ଜ କରିଥିଲେ । ସରକାର ଏହି ୬ଟି କମ୍ପାନୀକୁ ବିଚାରକୁ ନେଇ ୩୧ ତାରିଖ ଶୁକ୍ରବାର ଟେକ୍‌ନିକାଲ ନେଗୋସିଏସନ୍ କରିଥିଲେ । ଏଥିରେ ଜେଏସ୍ ଡବ୍ଲୁ ୯୫.୨ ପ୍ରତିଶତରେ ଏହି ଖଣିଟିକୁ ନିଜ ସପକ୍ଷରେ କରିପାରିଥିବା ଜଣାପଡିଛି । ସେହିପରି ଆସନ୍ତାକାଲି କୋଇଡାସ୍ଥିତ ନାରାୟଣପୋଷି ଆଇରନ ୱର ଏଣ୍ଡ ମାଙ୍ଗାନିଜ ମାଇନ୍ସ ର ଶୁକ୍ରବାର ଟେଣ୍ଡର ଖୋଲିଥିବା ବେଳେ ଶନିବାର ଏହାର ଟେକନିକାଲ ନେଗୋସିଏସନର ଦିନ ଧାର୍ଯ୍ୟ କରାଯାଇଛି । ଏହି ୩୪୯.୨୫୪ ହେକ୍ଟର ପରିମିତ ଖଣିଟିରେ ୧୯୦.୬ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଏବଂ ୦.୪୮୬ ନିୟୁତ ମେଟ୍ରିକ ଟନ୍ ମାଙ୍ଗାନିଜ ପଥର ଥିବା ଜଣାପଡିଛି । ଏହି ଖଣିଟି ପାଇବା ନିମନ୍ତେ ସର୍ବାଧିକ ମୂଲ୍ୟ ଦର୍ଜ କରିଥିବା ୫ଟି ସଂସ୍ଥା ହେଲେ କମଲଜିତ୍ ସିଂ ଆଲୁୱାଲିଆ, ରୁଙ୍ଗଟା ମାଇନ୍ସ ଲିଃ, ଆରସେଲ ମିତ୍ତଲ ଇଣ୍ଡିଆ ପ୍ରାଃ ଲିଃ, ଜିନ୍ଦଲ ଷ୍ଟିଲ ଲିଃ, ଜେ.ଏସ୍‌. ଡବ୍ଲୁ ଷ୍ଟିଲ ଲିଃ ପ୍ରମୁଖ ରହିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ମୂଲ୍ୟ ଦର୍ଜ କରିଥିବା ଜେ.ଏସ୍‌. ଡବ୍ଲୁ ଷ୍ଟିଲ ଲିଃ ୭୨ ପ୍ରତିଶତ ଅଧିକ ମୂଲ୍ୟ ଦର୍ଶାଇଥିବା ଜଣାପଡିଛି । ତେବେ ଟେକନିକାଲ ନେଗୋସିଏସନ୍‌ରେ କିଏ ଏହି ଖଣିଟିକୁ ପାଇବା ପାଇଁ ହକ୍‌ଦାର ହେଉଛନ୍ତି ତାହା ଆସନ୍ତାକାଲି ଜଣାପଡିବ । ଏଠାରେ ସୂଚନା ଯୋଗ୍ୟ ଯେ, ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ଯେଉଁ ଖଣି ଗୁଡିକ ଅବଧି ପୁରଣ ହେଉଛି ଉକ୍ତ ଖଣି ମାଲିକମାନେ ଶ୍ରମିକ ଛଟେଇ ପାଇଁ ଏବେଠାରୁ ନୋଟିସ୍ ଜାରି କରିସାରିଲେଣି । ଫଳରେ ଶ୍ରମିକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ୫୦ ବର୍ଷ ପାଇଁ ନୂତନ ଲିଜ୍ ପାଉଥିବା ଖଣି ମାଲିକମାନେ ଉକ୍ତ ଖଣିର ପୁରୁଣା କର୍ମଚାରୀମାନଙ୍କୁ ନିଜ ସଂସ୍ଥାରେ ନିୟୋଜିତ କରିବେ କି ନାହିଁ ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇନଥିବା ବେଳେ ଏ ନେଇ କର୍ମଚାରୀମାନେ ସନ୍ଦେହରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.