Home Top News ଯୋଡା : କାର-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ : କ୍ଷତୀପୂରଣ ଦାବିରେ ବସ୍ତି ବାସିନ୍ଦାଙ୍କ...

ଯୋଡା : କାର-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ : କ୍ଷତୀପୂରଣ ଦାବିରେ ବସ୍ତି ବାସିନ୍ଦାଙ୍କ ରାସ୍ତା ଅବରୋଧ

43

ଯୋଡା, ୧୫ା୨ (ଓଡିଆ ପୁଅ /ସେକ୍ ଜାବିର ମହମ୍ମଦ): ଯୋଡା ପୌରପାଳିକା ଅନ୍ତର୍ଗତ ବନେଇକଳା ଠାରୁ ଯୋଡା ବସ୍ ଷ୍ଟାଣ୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏମ୍‌.ଏମ୍‌.ଟି.ସି କଲୋନୀ ସମ୍ମୁଖରେ ସୋମବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଯାଇଛି। ପୌରପାଳିକା ପକ୍ଷରୁ ଏକ ଅର୍ଦ୍ଧ ନିର୍ମିତ ପୋଲ ଦୀର୍ଘ ଦିନ ହେବ ପଡି ରହିଥିବା ଯୋଗୁଁ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଯୋଡା ବସ୍ ଷ୍ଟାଣ୍ଡ ପଟୁ ଦୃତଗତିରେ ଯାଉଥିବା ଏକ ହୋଣ୍ଡାଇ କ୍ରେଟା କାର (ନଂ. ଜେଏଚ୍‌-୦୫ସିସି-୦୯୮୩) ଅପରଟୁ ଏକ ଖଣିରୁ ବି. ସିଫ୍ଟ କାର୍ଯ୍ୟ ସାରି ମୋଟାରସାଇକେଲରେ ଫେରୁଥିବା ଯୋଡା ବାଚ୍ୟୁହାଟିଂର ସ୍ୱେପ୍ନେଶ୍ୱର ତନ୍ତି ଓ ଚିଟୁ ବିନ୍ଧାଣୀଙ୍କୁ ମୁୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଉଭୟ ମୋଟରସାଇକେଲ ଆରୋହୀ କିଛି ବାଟ ଛିଟିକିପଡି ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ, କ୍ରେଟା କାରଟିର ଦୁଇଟି ଯାକ ବେଲୁନ ବାହାରିପଡିଥିଲା। ଏହି କାରରେ ବସିଥିବା ଚାଲକ ଏବଂ ଅନ୍ୟ ଜଣେ ଅତ୍ୟଧିକ ମଦ୍ୟପାନ କରିଥିବା ପ୍ରତ୍ୟେକ୍ଷଦର୍ଶିଙ୍କ ଠାରୁ ଜଣାପଡିଥିଲା। କାରର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏହା ଅଚଳ ହୋଇଯାଇଥିଲା। ତେବେ ସେମାନଙ୍କ ପଛରେ ଆଉ ଏକ ବୋଲେରୋ ଗାଡି ଆସୁଥିବା ବେଳେ ଏହି କାରର ଚାଳକ ଏବଂ ଅନ୍ୟ ଜଣେ ବୋଲେରୋ ବସି ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚତୁରତାର ସହ କ୍ରେଟା କାରଟିକୁ ଥାନାକୁ ନେଇଯିବା ସହିତ ୨ଜଣ ମୃତ ବ୍ୟକ୍ତିଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ନଜଣାଇ ଟାଟା ଡାକ୍ତରଖାନାକୁ ନେଇ ଶବ ଗୃହରେ ରଖିଦେଇଥିଲେ। ତେବେ ସକାଳୁ ଏହି ଘଟଣା ଚାରିଆଡେ ପ୍ରଘଟ ହେବା ପରେ ବଚ୍ୟୁହାଟିଂର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏମ୍‌.ଏମ୍‌.ଟି.ସି. କଲୋନୀ ସମ୍ମୁଖ କଲଭଟ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସେମାନେ ମୃତକ ୨ଜଣଙ୍କୁ ଦୁର୍ଘଟଣାସ୍ଥଳକୁ ଆଣିବା ପାଇଁ ପୁଲିସ ନିକଟରେ ଜିଦ୍ ଧରିଥିବା ବେଳେ ସେମାନଙ୍କୁ ବୁଝାଇବାରେ ପୁଲିସ ବିଫଳ ହୋଇଥିଲା। ମଙ୍ଗଳବାର ସକାଳୁ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ବସ୍ତି ବାସିନ୍ଦାମାନେ ଧାରଣାରେ ରହିଥିବା ବେଳେ ମୃତକ ୨ଜଣଙ୍କ ନିମନ୍ତେ ୫୦ ଲକ୍ଷର କ୍ଷତୀପୂରଣ, ପ୍ରତି ପରିବାରର ଜଣଙ୍କୁ ଚାକିରି, କାର୍ଯ୍ୟ ସମ୍ପାଦନରେ ବ୍ୟାପକ ଅବହେଳା ପ୍ରଦର୍ଶନ ନେଇ ସମ୍ପୃକ୍ତ ପୋଲ ନିର୍ମାଣ ଠିକାଦାରକୁ କଳା ତାଲିକାଭୁକ୍ତ କରିବା, ପୌରପାଳିକା କନିଷ୍ଠ ଯନ୍ତ୍ରୀ, ଯନ୍ତ୍ରୀ ଏବଂ ପୌରନିର୍ବାହୀ ଅଧିକାରୀଙ୍କ ତୁରନ୍ତ ବଦଳି ଦାବି କରି ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ପରିସ୍ଥିତି ଏପରି ଉତ୍ତେଜନାପୂର୍ଣ୍ଣ ଥିଲା ଯେ, ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶ ଭୂଷଣ ବେହେରା, ବଡବିଲ ତହସିଲଦାର ଆଲୋକ ପଟେଲ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରିଣୀ ପଦ୍ମାଳୟା ସାହୁ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ଚେଷ୍ଟା କରି ବିଫଳ ହୋଇଥିଲେ। ଉତ୍ୟକ୍ତ ଲୋକେ ପ୍ରଥମେ ପୌରପାଳିକା କାର୍ଯ୍ୟାଳୟ ଘେରିବାକୁ ଯାଇଥିବା ବେଳେ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟରେ ତାଲା ଦେଇ ଦିନ ତମାମ ଭିତରେ ଲୁଚି ରହିବାକୁ ବାଧ୍ୟ ହୋଇଥିଲେ। ଏହି ରାସ୍ତା ଅବରୋଧ ଯୋଗୁଁ ମଙ୍ଗଳବାର ଦିନ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସୂଚନା ଯୋଗ୍ୟ, ଏହି ରାସ୍ତା ଉପରେ ଏକ ଛୋଟ ପୋଲ ନିର୍ମାଣ କାର୍ଯ୍ୟ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ହେବ ଚାଲିଆସୁଥିବା ବେଳେ ରାସ୍ତା ସଂକୀର୍ଣ୍ଣ ଏବଂ ଅଧା ପନ୍ତରିଆ କାମ ଯୋଗୁଁ ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣାମାନ ଘଟୁଥିଲେ ମଧ୍ୟ ପୌରପାଳିକା ଏଥିପ୍ରତି ନଜର ଦେଉନଥିବା ଅଭିଯୋଗ ହୋଇଛି। ପୋଲ ନିର୍ମାଣ ସ୍ଥଳରେ ରାତିରେ ଆଲୋକ ବ୍ୟବସ୍ଥା, ସୂରକ୍ଷା ପାଚେରୀ କିମ୍ବା କୌଣସି ସୂଚନା ଫଳକ ଦିଆଯାଇନଥିବା ଅଭିଯୋଗ ହୋଇଛି। ତେଣୁ ଏହି ଦୁର୍ଘଟଣା ପାଇଁ ଲୋକେ ପୌରପାଳିକାକୁ ସମ୍ପୂର୍ଣ୍ଣ ଭାବେ ଦାୟି କରିଛନ୍ତି। ପୌରପାଳିକାର ଖାମଖିଆଲ ନୀତି ଯୋଗୁଁ ୨ଟି ଅମୂଲ୍ୟ ଜୀବନ ଚାଲିଯାଇଛି ବୋଲି ବସ୍ତି ବାସିନ୍ଦାମାନେ କ୍ଷତୀ ପୂରଣ ଦାବି କରିଛନ୍ତି। ଅପରପକ୍ଷରେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ଘଟଣା ଘଟାଇଥିବା କ୍ରେଟା ଏବଂ ବୋଲେରୋ ଗାଡି ପ୍ରତିଯୋଗୀତା ମୂଳକ ଭାବେ ଉକ୍ତ ରାସ୍ତାରେ ଚଳାଇଆସୁଥିବା ବେଳେ ଏହି ଗାଡି ୨ଟିରେ ଜଣେ ରାଜନେତାଙ୍କ ସମ୍ପର୍କିୟଙ୍କମାନେ ରହିଥିଲେ। ତ୍ରୀସ୍ତରିୟ ନିର୍ବାଚନରେ ଟଙ୍କା କାରବାର କରିବା ପାଇଁ ଏମାନେ କୌଣସି ପଞ୍ଚାୟତକୁ ଯିବାର ଯୋଜନା କରିଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିଲା। ଯାହାକୁ ଯୋଡା ପୁଲିସ ଅତି ଚତୁରତାର ସହ ଘଣ୍ଟ ଘୋଡାଇବାକୁ ପ୍ରୟାଶ କରୁଥିବା ସ୍ଥାନୀୟ ବାସୀନ୍ଦା ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.