Home ଓଡ଼ିଶା ଯୋଡା : କାନପୁର ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହେଲା ଗାଁ, ସ୍ଥାନାନ୍ତରଣ ହେଲା ନାହିଁ ବିଦ୍ୟାଳୟ

ଯୋଡା : କାନପୁର ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହେଲା ଗାଁ, ସ୍ଥାନାନ୍ତରଣ ହେଲା ନାହିଁ ବିଦ୍ୟାଳୟ

38

– କାନପୁର ବୁଡି ଅଞ୍ଚଳରେ ଅବ୍ୟବସ୍ଥା
– ଆବାସିକ ବିଦ୍ୟାଳୟରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ
– ରାତିରେ ଛାତ୍ରାବାସରେ ପାଠପଢା ବନ୍ଦ
– ୫ କିମି ଦୂରରୁ ଜଙ୍ଗଲ ବାଟ ଦେଇ ଆସୁଛନ୍ତି ଛାତ୍ର-ଛାତ୍ରୀ
– ଏହି ବୁଡି ଅଞ୍ଚଳ ବିଦ୍ୟାଳୟରେ ୩୬ଲକ୍ଷ ଟଙ୍କାର ମରାମତି
– ଛାତ୍ରାବାସରେ ନାହିଁ ମୌଳିକ ସୁବିଧା
ଯୋଡା, ୨୪ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପର ବୁଡି ଅଞ୍ଚଳରୁ ଉଚ୍ଛେଦ ହେଲା ୧୬ଟି ଗାଁ କିନ୍ତୁ ଏଯାଏ ସ୍ଥାନାନ୍ତରଣ ହୋଇପରିଲାନାହିଁ ପ୍ରାଥମିକ ବିଦ୍ୟାଳୟ। ଫଳରେ ବିଭିନ୍ନ ସମସ୍ୟା ଦେଇ ଏବେ ଗତି କରୁଛନ୍ତି ଛାତ୍ର-ଛାତ୍ରୀମାନେ। ଘଟଣାଟି ଯୋଡା ବ୍ଲକ ଅନ୍ତର୍ଗତ ବିରିକଳା ପଞ୍ଚାୟତର ଗୋବିନ୍ଦପୁର ସରକାରୀ ଆବାସିକ ବିଦ୍ୟାଳୟର। ଏହି ବିଦ୍ୟାଳୟଟିରେ ୧୧୯ଜଣ ଛାତ୍ର-ଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ଜଣ ଛାତ୍ର-ଛାତ୍ରୀ ହଷ୍ଟେଲରେ ରହି ଶିକ୍ଷା ଗ୍ରହଣ କରିଥାନ୍ତି। କାନପୁର ଜଳସେଚନ ପ୍ରକଳ୍ପ ନିମନ୍ତେ ଏହି ଗୋବିନ୍ଦପୁର ଗ୍ରାମଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବା ବେଳେ ଗାଁରୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରିଦିଆଯାଇଛି। ସେଠାରୁ ୫କିମି ଦୂରରେ ଥିବା ଧୋବଲାବେଡା ପୁଃନର୍ବାସ କଲୋନୀରେ ଗ୍ରାମବାସମାନଙ୍କୁ ଥଇଥାନ କରାଯାଇଛି। ବିସ୍ଥାପିତ ଗ୍ରାମବାସୀମାନେ ଗାଁ ଛାଡି ପିଲା ଛୁଆ ଧରି ସେଠାରେ ରହୁଥିବା ବେଳେ ସେମାନଙ୍କ ପିଲାମାନଙ୍କ ପାଇଁ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରିପାରିଲା ନାହିଁ। ଫଳରେ ଛୋଟ ଛୋଟ କୋମଳମତୀ ପିଲାମାନେ ଏତେ ଗୁଡିଏ ବାଟ ପାଦରେ ଚାଲି ଜଙ୍ଗଲ ରାସ୍ତା ଦେଇ ଏହି ବିଦ୍ୟାଳୟକୁ ଆସିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ପାଇଁ ପ୍ରତି ମୂହୁର୍ତ୍ତରେ ବିପଦ ଲାଗିରହିଛି। ନିଛାଟିଆ ରାସ୍ତା ସାଙ୍ଗକୁ ଖରା, ବର୍ଷା, ବିଜୁଳି ଘଡଘଡି ଭିତରେ ସେମାନଙ୍କୁ ଆସିବାକୁ ପଡୁଛି। ଏପରିକି ଉକ୍ତ ରାସ୍ତାଟି ହାତୀ ଚଳ ପ୍ରଚଳ ରାସ୍ତା ଭାବେ ଚିହ୍ନ କରାଯାଇଥିବା ବେଳେ ହାତୀ ଭୟ ମଧ୍ୟ ସେମାନଙ୍କୁ ଘାରିଛି। ଏ ନେଇ ଛାତ୍ର-ଛାତ୍ରୀ ଏବଂ ଅଭିଭାବକମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ବିଦ୍ୟାଳୟ ହଷ୍ଟେଲରେ ବିଦ୍ୟୁତ ସଂଯୋଗ ନଥିବାରୁ ଛାତ୍ର-ଛାତ୍ରୀମାନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ପଙ୍ଖା ବ୍ୟବହାର କରିପାରୁନାହାନ୍ତି। ଫଳରେ ରାତିରେ ମଶା ଦାଉରୁ ମଧ୍ୟ ସେମାନେ ଛଟପଟ ହେଉଛନ୍ତି। ବିଦ୍ୟୁତ୍ ସଂଯୋଗ ନଥିବାରୁ ହଷ୍ଟେଲରେ ପାଣି ଟୋପାଏ ମିଳିବା କଷ୍ଟକର ହୋଇପଡୁଛି। ଫଳରେ ସ୍ନାନ, ସୌଚାଦୀ କର୍ମ ପାଇଁ ପିଲାମାନେ ଜଙ୍ଗଲ ରାସ୍ତା ଦେଇ ନଦୀକୁ ଯାଇଥାନ୍ତି। ସନ୍ଧ୍ୟା ନଇଁଲେ ବିଜୁଳି ଆଲୁଅ ନଥିବାରୁ ପାଠପଢା ବନ୍ଦ କରିବାକୁ ପଡୁଛି। ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। ଅନ୍ୟପକ୍ଷରେ ଏହା ଶତପ୍ରତି ବୁଡି ଅଞ୍ଚଳ ଜାଣି ସୁଦ୍ଧା ଉକ୍ତ ବିଦ୍ୟାଳୟ ମରାମତି କାର୍ଯ୍ୟରେ ନିକଟରେ ୩୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି, ଯାହା ସମସ୍ତଙ୍କୁ ଚକିତ କରିଛି। ତେବେ ଏ ନେଇ ଯୋଡା ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଂସଦାଙ୍କୁ ପଚାରିବାରୁ ସେ ନୂତନ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଗଲାଣି, ହଷ୍ଟେଲ କାମ କିଛି ବାକି ଅଛି, କାମ ସରିବା ପରେ ତୁରନ୍ତ ଛାତ୍ର-ଛାତ୍ରୀମାନଙ୍କୁ ସେଠାରେ ପାଠ ପଢିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ତାଙ୍କର ଯୋଡାରେ ରହଣୀ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଏ ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ସେ ଏସବୁ ତଦାରଖ କାର୍ଯ୍ୟ ଜିଲାପାଳଙ୍କ ବୋଲି କହିବା ସହ ଏହାକୁ ଏଡାଇଦେଇଥିଲେ। ତେବେ ଏହି ବିଦ୍ୟାଳୟରେ ଖର୍ଚ୍ଚ ହୋଇଥିବା ୩୬ଲକ୍ଷ ଟଙ୍କା ଏବେ ପାଣିରେ ପଡିବ ବୋଲି ଜଣାପଡିଥିବା ବେଳେ ଏହି ବିସ୍ଥାପିତ ଅଞ୍ଚଳର ଛାତ୍ର-ଛାତ୍ରୀମାନେ କେବେ ପାଠପଢା ନିମନ୍ତେ ଉତ୍ତମ ପରିବେଷ ପାଇବେ ତାହା ଦେଖିବାକୁ ବାକିରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.