Home ଓଡ଼ିଶା ଯୋଡା : ଅଧିକାରୀଙ୍କ ଖାମଖିଆଲନୀତି ଯୋଗୁଁ, ବାରମ୍ବାର ଫାଟୁଛି ବିଆରପିଏଲ୍‌ର ଲୁହାଗୁଣ୍ଡ ପାଇପ, ଯୋଡା ଲୋକେ...

ଯୋଡା : ଅଧିକାରୀଙ୍କ ଖାମଖିଆଲନୀତି ଯୋଗୁଁ, ବାରମ୍ବାର ଫାଟୁଛି ବିଆରପିଏଲ୍‌ର ଲୁହାଗୁଣ୍ଡ ପାଇପ, ଯୋଡା ଲୋକେ ଆତଙ୍କିତ

23

ଯୋଡା, ୨୧/୧୦ (ଓଡିଆ ପୁଅ /ସେକ୍ ଜାବିର ମହମ୍ମଦ) : ବ୍ରାହ୍ମଣୀ ରିଭର ପିଲେଟ ଲିଃ (ବି.ଆର.ପି.ଏଲ୍‌.) କମ୍ପାନୀ ଲୁହା ଗୁଣ୍ଡ ସହିତ ଜଳ ମିଶ୍ରଣ କରି ପାଇପ ଲାଇନ ଯୋଗେ ଯୋଡା ପୌରାଞ୍ଚଳ ମଧ୍ୟ ଦେଇ ଲୁହାପଥର ଗୁଣ୍ଡ ପରିବହନ କରିଥାଏ । ଏହି କମ୍ପାନୀ ପାଇପ ଲାଇନ ଯୋଗେ ବଡବିଲ ଟଣ୍ଟୋ ପ୍ଲାଣ୍ଟରୁ ଜଳ ମିଶ୍ରିତ ଲୁହାପଥର ଗୁଣ୍ଡ ଯାଜପୁର କଳିଙ୍ଗନଗର ସ୍ଥିତ ପିଲେଟ ପ୍ଲାଣ୍ଟକୁ ପରିବହନ କରିଥାଏ । ବଡ ବଡ ପମ୍ପ ସାହାଯ୍ୟରେ ଏହି ଲୁହାପଥର ଗୁଣ୍ଡ ମିଶ୍ରିତ ଜଳକୁ ପାଇପ ଯୋଗେ କ୍ଷୀପ୍ର ବେଗରେ ଠେଲି ଦିଆଯାଇଥାଏ । ଏହି ପାଇପ ଲାଇନ ଯୋଡା ଦେଇ ଅତିକ୍ରମ କରିଥିବା ବେଳେ ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ କଡ ଦେଇ ଯାଇଥିବାରୁ ଏହା ଅଧିକାଂଶ ସମୟରେ ଚାପ ସମ୍ଭାଳିନପାରି ବିସ୍ଫୋରଣ ସୃଷ୍ଟି କରିବା ସହ ଫାଟିଥାଏ । ଫଳରେ ଏହି କାଦୁଅ ପାଣି ଲୋକଙ୍କ ଘର ଭିତରେ ପଶି ଆସବାବପତ୍ର ନଷ୍ଟ କରିବା ସହ ବିସ୍ଫୋରଣ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏହି ପାଇପ ଲାଇନ ବିଛାଇବାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଉଚ୍ଚ ଚାପ ସଜ୍ୟ କରିବା ପାଇଁ ଏହା ଅକ୍ଷମ ହୋଇପଡିଛି । ବାରମ୍ବାର ପାଇପ ଲାଇନ ଫାଟିବା ଫଳରେ ରାସ୍ତା କଡରେ ଥିବା ବସ୍ତି ଗୁଡିକ ଏବେ ଅସୁରକ୍ଷିତ ହୋଇପଡିଛି । ଏହି ଲୌହ ମିଶ୍ରିତ ଗୁଣ୍ଡ ଜଳ ଯୋଡା ସହରର ଜୀବନଧାରା କୁହାଯାଉଥିବା ସୁନା ନଦୀରେ ମିଶି ଏହା ପ୍ରଦୂଷିତ ହେବା ଫଳରେ ଏହି ନଦୀରେ ଜଳଚର ଜୀବମାନେ ମରି ଭାସୁଥିବା ଭଳି ଘଟଣା ପିରବେଶବିତ୍ ମାନଙ୍କୁ ବ୍ୟଥିତ କରିଛି । ଗୁରୁବାର ସକାଳେ ବାଂଶପାଣି ଟୋଲଗେଟ ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ -୨ରେ ଏହା ବସ୍ଫୋରଣ ହେବା ଫଳରେ ଏହି କାଦୁଅ ମିଶ୍ରିତ ଜଳ ପ୍ରାୟ ୨୫ ଫୁଟ ଉଚ୍ଚକୁ ଉଠି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଥିଲା । ଫଳରେ ରାସ୍ତା ଉପରେ ଗାଡି ଚଳାଚଳ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା । ବାରମ୍ବାର ଏହି ଘଟଣା ଘଟୁଥିଲେ ମଧ୍ୟ କମ୍ପାନୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ବିଭିନ୍ନ ସ୍ଥାନରେ ତାଳିପକା କାମ କରାଯାଇ ଲୋକଙ୍କୁ ବିପଦ ମୁହଁରୁ ଠେଲି ଦିଆଯାଉଛି । ଗତ ବର୍ଷ ସେପ୍ଟେମ୍ବର ମାସ ୧୦ ତାରିଖରେ ଏହି ପାଇପ ଲାଇନ ଯୋଡା ବଜାରର ଚେମେରି କ୍ୟାମ୍ପ ନିକଟରେ ଫାଟି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଲୁହା ଗୁଣ୍ଡ ମିଶ୍ରିତ ଜଳ ପ୍ରାୟ ୧୭ଜଣରୁ ଉର୍ଦ୍ଧ୍ୱ ବସ୍ତି ବାସିନ୍ଦାଙ୍କ ଘର ଉଜାଡି ଦେଇଥିଲା । ଏପରି ପରିସ୍ଥିତି ହୋଇଥିଲା ଯେ, ସେମାନଙ୍କର ଆସବାସପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଫଳରେ ଛୁଆ, ପିଲାଙ୍କୁ ଧରି ସେମାନେ ରାସ୍ତା ଉଫରେ ଭୋକ ଉପାସରେ ବସିବାକୁ ବାଧ୍ୟ ହୋଇଥିଲେ । ସେହିପରି ଚଳିତ ବର୍ଷ ୦୯.୦୭.୨୦୨୧ରେ ମଧ୍ୟ ଅନୁରୂପ ଯୋଡା ସହର ମଧ୍ୟରେ ଥିବା ସୁନା ନଦୀ ସେତୁ ନିକଟରେ ଏହି ପାଇପ ଲାଇନ ଫାଟିବା ଫଳରେ ସମ୍ପୂର୍ଣ୍ଣ ନଦୀରେ ପ୍ରଦୂଷିତ ହୋଇପଡିଥିଲା । ବିଆରପିଏଲ୍‌ର ଏହି ମନମୁଖି କାର୍ଯ୍ୟ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଯେକୌଣସି ସମୟରେ ଏହା ବିସ୍ଫୋରଣ ରୂପ ନେଇପାରେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.