Home ଓଡ଼ିଶା ଯୋଡା:ଯୋଡା ସହରକୁ ଜଳ ଯୋଗାଣ ବିଚ୍ଛିନ୍ନ, ଫ୍ଲାଏ ଓଭର ନିର୍ମାଣ ସଂସ୍ଥା ନାମରେ ଦୋଷ ଦେଇ...

ଯୋଡା:ଯୋଡା ସହରକୁ ଜଳ ଯୋଗାଣ ବିଚ୍ଛିନ୍ନ, ଫ୍ଲାଏ ଓଭର ନିର୍ମାଣ ସଂସ୍ଥା ନାମରେ ଦୋଷ ଦେଇ ନିଜ ଦାୟିତ୍ୱରୁ ଖସିଯାଉଛି ପିଏଚ୍‌ଡି

29

ଯୋଡା, ୩ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ସହର ମଧ୍ୟ ଦେଇ ରଣାଶାଳଘାଟି ଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଉପରେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଜାରି ରହିଛି । ବେସ କିଛି ଦିନ ଧରି ଏହି ମୁଖ୍ୟ ରାସ୍ତାର ଷ୍ଟେଟ ବ୍ୟାଙ୍କ ଶାଖା ନିକଟରୁ କମାରଯୋଡା ପର୍ଯ୍ୟନ୍ତ ରାସ୍ତାରେ ଅନବରତ ପିଏଚଡି ପାଇପ ଲାଇନ ଫାଟି ରାସ୍ତାରେ ପାଣି ଭାସୁଥିବା ବେଳେ ଶହର ଭିତରେ ଥିବା ଅଧିକାଂଶ ବସ୍ତିକୁ ଜଳ ଯୋଗାଣ ବାରମ୍ବାର ବିଚ୍ଛିନ୍ନ ରହୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୋଲ ନିର୍ମାଣ ସଂସ୍ଥାର ଖମଖିଆଲ ନୀତି ଯୋଗୁଁ ଲୋକେ ଜଳ କଷ୍ଟ ଭୋଗୁଥିବା ବେଳେ ପିଏଚ୍‌ଡି ଏବଂ ପୋଲ ନିର୍ମାଣ ସଂସ୍ଥା ପରସ୍ପର ଉପରେ ଦୋଶାରୋପ କରି ନିଜ ମୁଣ୍ଡ ଉପରୁ ଦାୟିତ୍ୱ ଖସାଇଦେଉଥିବା ସାଧାରଣରେ ଅଭିଯୋଗ ହେବାରେ ଲାଗିଛି । ସାଧାରଣତଃ ରାଜପଥ କିମ୍ବା ସେତୁ ନିର୍ମାଣ ସମୟରେ ପିଏଚ୍‌ଡି ଦ୍ୱାରା ମାଟି ତଳେ ପୋତାଯାଇଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କିମ୍ବା ଟେଲିଫୋନ ବିଭାଗ ପକ୍ଷରୁ ବିଛା ଯାଇଥିବା ଟେଲିଫୋନ କେବୁଲ, ମୋବାଇଲ ଟାୱାରକୁ ଯାଇଥିବା ଫାଇବର କେବୁଲ, ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତରଣ ସମୟରେ ସମ୍ପୃକ୍ତ ବିଭାଗ ଏହାକୁ ତଦାରଖ କରିବାର ପ୍ରାବଧାନ ରହିଛି । ତେବେ ଅଧିକାରୀମାନଙ୍କର ବେପରୁଆ ନୀତି ଯୋଗୁଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଏହି ନିର୍ମାଣ ସମୟରେ ଜଳ ଯୋଗାଣ ବ୍ୟବସ୍ଥା ବିଚ୍ଛିନ୍ନ ହେଲେ ଜନସ୍ୱାସ୍ଥ୍ୟ ବିଭାଗ (ପିଏଚ୍‌ଡି) ନିଜ ଉପରୁ ଦୋଷ ଛଡାଇ ସେତୁ ନିର୍ମାଣ ସଂସ୍ଥା ଉପରେ ଦୋଷ ଲଦୁଥିବା ବେଳେ ଦିନ ଦିନ ଧରି ଏହା ମରାମତି ନହୋଇ ପଡିରହୁଛି । ଫଳରେ ଲୋକେ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଡହଳ ବିକଳ ହେବା ସହ ଶହର ମଧ୍ୟରେ ପ୍ରବାହିତ ସୁନା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗର ପାଇପ ଲାଇନ ଫାଟି ଜଳ ଯୋଡା ସହରର ମୁଖ୍ୟ ରାସ୍ତାକୁ ଯାତାୟତ ଅନୁପଯୋଗୀ କରିବା ସହ ସିଧାସଳଖ ସୁନା ନଦୀରେ ମିସୁଥିବାରୁ ନଦୀ ଜଳ ମଧ୍ୟ ପ୍ରଦୂଷିତ ହେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତା ଉପରେ ଜଳ ପ୍ରବାହିତ ଯୋଗୁଁ ସାଧାରଣ ଯାତାୟତରେ ବ୍ୟାଘତ ସୃଷ୍ଟି ହେବା ସହ ଲୋକେ ଦୁର୍ଘଟଣାଗ୍ରସ୍ତ ହେଉଥିବା ନଜିର ରହିଛି । ତେଣୁ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.