ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଧାନ ସଂଗ୍ରହ ବ୍ୟବସ୍ଥାରେ କଟନୀ ଛଟନୀକୁ ବରଦାସ୍ତ କରାଯିବ ନାହିଁ। କଟନୀ ଛଟନୀ କରୁଥିବାର ଅଭିଯୋଗର ସତ୍ୟତା ପ୍ରମାଣ ମିଳିଲେ ସଂପୃକ୍ତ ନୋଡାଲ ଅଫିସର କିମ୍ବା ମିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପଛାଇବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସତର୍କ କରାଇଦେଇଛନ୍ତି। ଯୋଗାଣ ମନ୍ତ୍ରୀ ଶ୍ରୀ ମହାପାତ୍ର ଜିଲାରେ ଧାନସଂଗ୍ରହ କାର୍ଯ୍ୟ କିପରି ଚାଲିଛି ଏ ନେଇ ଆଜି ଭଦ୍ରକ ଜିଲାଗସ୍ତରେ ଆସି ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଦୁଇ ଅତିରିକ୍ତ ଜିଲାପାଳ ସରୋଜ ଦତ ଓ ରବିନାରାୟଣ ସାହୁ, ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କ ସମେତ ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ତିନିଜଣ ଏସିଏସ୍ଓ, ଡିଆରସିଏସ୍ ଦୁଃଖିଆ ଟୁଡୁ, ଏଆରସିଏସ୍ ପ୍ରାଚିତା ଜେନା, ସତ୍ୟପ୍ରକାଶ ସେଠୀ, ଭଦ୍ରକ-ଚାନ୍ଦବାଲି ଆରଏସ୍ସି ସଂପାଦକ ମୃତ୍ୟୁଞ୍ଜୟ ପଣ୍ଡା, ନିରଞ୍ଜନ ମାଝୀ, ଜିଲା କୃଷି ଅଧିକାରୀ ଓ ଉଦ୍ୟାନ ବିଭାଗ ଅଧିକାରୀ ଓ ମାର୍କେଟିଂ ଇନ୍ସିପେକ୍ଟର ମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଜିଲାରେ ଧାନସଂଗ୍ରହ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ। ଆଜିସୁଦ୍ଧା ଧାନସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ ଥିଲା ୮ ଲକ୍ଷ ୪୩ ହଜାର ୮ ଶହ ୪୯ କ୍ୱିଂଟାଲ। ସମୁଦାୟ ୧ ଲକ୍ଷ ୧୪୭ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି। ଆଜିସୁଦ୍ଧା ୬୬୬୭ ଜଣ ଚାଷୀ ୨ ଲକ୍ଷ ୭୧ ହଜାର ୮୯୩ କ୍ୱିଂଟାଲ ଧାନ ବିକ୍ରି କରିଛନ୍ତି। ୪୩୪୮ ଜଣ ଚାଷୀଙ୍କ ଠାରୁ ବିଭିନ୍ନ ଧାନସଂଗ୍ରହ କେନ୍ଦ୍ରରୁ ୧ ଲକ୍ଷ ୭୮ ହଜାର ୬୧୨ କ୍ୱିଂଟାଲ ଧାନ କ୍ରୟ କରାଯାଇଛି। ଆଜିସୁଦ୍ଧା ମଣ୍ଡିରେ ୯୩ ହଜାର ୨୮୦ କ୍ୱିଂଟାଲ ଧାନ ବିକ୍ରି ନହୋଇ ପଡିରହିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ ଯେ ଉତ୍ପାଦିତ ଧାନ ତୁଳନାରେ ଜିଲାରେ ମିଲରଙ୍କ ସଂଖ୍ୟା ଯଥେଷ୍ଟ ନୁହଁ। ଏଥିସକାଶେ ଜିଲାରେ ଆଉ ଅଧିକ ୧୫-୨୦ ଟି ରାଇସ୍ ମିଲର ଆବଶ୍ୟକତା ରହିଛି। ଯେଉଁ ଉଦ୍ୟୋଗପତି ମାନେ ରାଇସ୍ ମିଲ୍ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବେ, ସରକାର ସେମାନଙ୍କୁ ସମସ୍ତ ସହଯୋଗ କରିବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। ତେବେ ଚଳିତବର୍ଷ ଧାନସଂଗ୍ରହ ପାଇଁ ବାହାର ମିଲରଙ୍କୁ ଟ୍ୟାଗିଂ କରାଯିବ ବୋଲି ସୂଚନା ଦେଇଥିଲେ। ଚାଷୀଙ୍କ ଟୋକନ ସମସ୍ୟାକୁ ଦୃଷ୍ଟିରେ ରଖି କହିଲେ ଯେ କୌଣସି ଚାଷୀଙ୍କ ଟୋକନ ଲାପ୍ସ କରିବାକୁ ଦିଆଯିବ ନାହିଁ। ସେଥିପାଇଁ ଟୋକନର ଅବଧି ବୃଦ୍ଧି ପାଇଁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ସେ କହିଲେ ଯେ ଜିଲାରେ କେବଳ ଧାନ ଚାଷ କରାଯାଉଥିବାରୁ ଧାନ ଉତ୍ପାଦନ ଅଧିକ ହେଉଛି। ଧାନ ପରିବର୍ତେ ଅଣଧାନ ଫସଲ ମାଣ୍ଡିଆ, ଆଳୁ, ମକା ଓ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଉପରେ ଗୁରୁତ୍ୱ ଦେବାକୁ ଜିଲା କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।








