Home ଓଡ଼ିଶା ଯୁବ ମାରଣା ନୀତି ବିରୋଧରେ ଯୁବ କଂଗ୍ରେସର ଯୁବ ସମ୍ପର୍କ ପଦଯାତ୍ରା

ଯୁବ ମାରଣା ନୀତି ବିରୋଧରେ ଯୁବ କଂଗ୍ରେସର ଯୁବ ସମ୍ପର୍କ ପଦଯାତ୍ରା

26

ଚୁକ୍ତିଭିତିକ ନିଯୁକ୍ତି ଉଚ୍ଛେଦକରି ସ୍ଥାୟୀ ନିଯୁକ୍ତି ପ୍ରଦାନ
ସରକାରୀ ଚାକିରୀର ବୟସ ସୀମା ୩୨ରୁ ୪୨ ବର୍ଷ ବୃଦ୍ଧି ଦାବି
୯ ରୁ ୯୦ ମିଶନର ସାରଥି ହେବ ଯୁବ କଂଗ୍ରେସ

ଭୁବନେଶ୍ୱର, ୩୦ା୦୭ (ଓଡ଼ିଆ ପୁଅ): ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ଡ଼ଃ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ୨୯ ତାରିଖ ଶୁକ୍ରବାର ମାଲକାନଗିରିଠାରୁ ଆରମ୍ଭ ହୋଇଛି ରାଜ୍ୟ ବ୍ୟାପି ଯୁବ ସମ୍ପର୍କ ପଦଯାତ୍ରା। ଶନିବାର ଏହି ପଦଯାତ୍ରା କୋରାପୁଟର ଜୟପୁରଠାରେ ପହଂଚିଛି। ଦେଶ ସ୍ୱାଧିନତାର ୭୫ତମ ବର୍ଷ ପୂର୍ତି ଅବସରରେ ଦେଶର ତଥା ରାଜ୍ୟର ଯୁବପିଢ଼ୀମାନଙ୍କୁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ଯୁବ ମାରଣ ନୀତି ବିରୋଧରେ ସଚେତନ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ପଦଯାତ୍ରା। ରାଜ୍ୟର ସମସ୍ତ ଜିଲ୍ଲାକୁ ଯାତ୍ରା କରି ଯୁବ ପିଢ଼ୀମାନଙ୍କୁ ସଚେତନତା କରିବା ସହ କଂଗ୍ରେସ ଦଳର ବିଚାରଧାରାକୁ ଯୁବ ପିଢ଼ୀଙ୍କ ନିକଟରେ ପହଂଚାଇବା ପାଇଁ ‘ୟୁଥ୍ ଯୋଡୋ, ବୁଥ୍ ଯୋଡୋ’ କାର୍ଯ୍ୟକ୍ରମକୁ ମଧ୍ୟ ହାତକୁ ନିଆଯାଇଛି।

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା କିଭଳି ଯୁବ ପିଢ଼ୀଙ୍କ ଭବିଷ୍ୟତ ନଷ୍ଟ କରିବା ସହ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ସେ ସମ୍ପର୍କରେ ଜନ ଜାଗରଣ ମଧ୍ୟ ରାଜ୍ୟବ୍ୟାପୀ କରାଯିବ ବୋଲି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କା ପ୍ରକାଶ କରିଛନ୍ତି। ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ଯୁବପିଢ଼ିମାନଙ୍କୁ ପ୍ରତାରିତ କରିଛି। ରାଜ୍ୟରେ ୨୨ ବର୍ଷର ବିଜୁ ଜନତା ଦଳର ସରକାର ସମୟରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ଚୁକ୍ତି ଭିତିକ ନିଯୁକ୍ତି ଦେଇ ଠିକା ଶ୍ରମିକ ଭାବେ ନିୟୋଜିତ କରୁଛି। ଏସବୁକୁ ଦୃଢ଼ ଭାବେ ନିନ୍ଦା କରିବା ସହ ତୁରନ୍ତ ଚୁକ୍ତି ଭିତିକ ନିଯୁକ୍ତି ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି ଜଣାଇଛି ଯୁବ କଂଗ୍ରେସ। ଏହା ବ୍ୟତୀତ ରାଜ୍ୟରେ ସରକାରୀ ନିଯୁକ୍ତି ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରି ସମ୍ପୂର୍ଣ୍ଣଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୁବ କଂଗ୍ରେସ ଦାବି କରିଛି। ରାଜ୍ୟ କଂଗ୍ରେସ ପୁଣି ଥରେ ନିଜର ସତାକୁ ଫେରିବା ଲକ୍ଷ୍ୟ ରଖି ଆରମ୍ଭ କରିଥିବା ମିଶନ ୯ ରୁ ୯୦କୁ ସଫଳ କରିବା ପାଇଁ ଯୁବ କଂଗ୍ରେସ ଏହି ମିଶନ୍‌ର ସାରଥି ହେବ ବୋଲି ଡଃ ଲେଙ୍କା ପ୍ରକାଶ କରିଛନ୍ତି। ରାଜ୍ୟରେ ବିଜେଡିର ଏକ ଛତ୍ରବାଦ ଶାସନର ଅନ୍ତ କରିବା ପାଇଁ ଯୁବ ପିଢ଼ୀମାନଙ୍କୁ ଏବେଠାରୁ ସଜାଗ କରୁଛି ଯୁବ କଂଗ୍ରେସ।

ଯୁବ କଂଗ୍ରେସ ପକ୍ଷରୁ ଏକ ବିରାଟ ପରିବର୍ତ୍ତନ ଲକ୍ଷ୍ୟରେ ହୋଇଥିବା ଏହି ପଦଯାତ୍ରାରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ଶେଷ ନାରାୟଣ ଓଝା, ସହ ପ୍ରଭାରୀ ଅଭିନବ ସିଦ୍ଧାର୍ଥ ଭଗତଙ୍କ ସହ କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ଜ୍ଞାନରଞ୍ଜନ ରାଉତ, ସମ୍ପାଦକ ବିଶ୍ୱଜିତ ଲେଙ୍କା, ରମେଶ ଖରା ଓ ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.