ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ଧୂଷୁରୀ ଥାନା ଅଞ୍ଚଳର ରଇପୁର ପଂଚାୟତର କଣ୍ଟିକା ସ୍କୁଲ ନିକଟ ପଧାନସାହି ଗ୍ରାମର ନାରାୟଣ ପ୍ରଧାନଙ୍କ ଝିଅ ବିନି ପ୍ରଧାନ(୨୬) ଆଜି ନିଜଘରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖବରରୁ ପ୍ରକାଶଯେ ଆଜି ଦିନ ୧୧ଟା ବେଳେ ବିନି ନିଜଘରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ମାତ୍ର ପରିବାର ଲୋକେ କାହାକୁ ନଜଣାଇ ତରବରିଆଭାବେ ଘରପଛପଟେ ଏକ ବାଉଁଶବୁଦା ନିକଟରେ ବିନିର ଶବକୁ ପୋଡ଼ିଦେଇଥିଲେ। ତେବେ ବିନିର ମୃତ୍ୟୁ ନେଇ ନାନାଦି ସନ୍ଦେହ ଉପୁଜୁଥିବାବେଳେ ଏହା ହତ୍ୟା କି ଆତ୍ମହତ୍ୟା ଏହାର ବିଧିବଦ୍ଧ ତଦନ୍ତହେଲେ ପ୍ରକୃତ ସତ୍ୟତା ଜଣାପଡ଼ିବ। ତେବେ ବିନିର ବାତରୋଗ ଥିବାରୁ ସେ ସ୍ୱାଭାବିକ୍ ମୃତ୍ୟୁବରଣ କରିଛିବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ତେବେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ନଦେଇ ବିନିର ଶବକୁ ତରବରିଆ ଭାବରେ ପୋଡ଼ିଦେବା ନିଶ୍ଚିତ ଭାବରେ ସନ୍ଦେହ ଘେରକୁ ଟାଣିନେଇଛି। ଏ ସମ୍ପର୍କରେ ଧୂଷୁରୀ ଥାନା ସହ ଯୋଗାଯୋଗ କରିବାରୁ ସେ କହିଥିଲେ ତାଙ୍କ ପରିବାର ପକ୍ଷରୁ ଆମ୍ଭ ନିକଟରେ କୌଣସି ଅଭିଯୋଗ ନାହିଁ। ଯଦି ସେପରିକିଛି ଅଭିଯୋଗ ଆସେ ତାହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ଥାନାର ଏସ୍ଆଇ ମହାପ୍ରସାଦ ନାୟକ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ।