ଗୋଟିଏ ଘୁଷୁରି ବାଟବଣା ହୋଇ ବଣ ଭିତରେ ପସିଯାଇଥାଏ। ବଣ ଭିତରୁ ବାହାରିବାକୁ ବାଟ ପାଉନଥାଏ। ଏହି ସମୟରେ ଏକ ମଇଁଷିକୁ ଦେଖି ଘୁଷୁରି କହିଲା ମୋତେ ଟିକେ ସାହାଯ୍ୟ କରନ୍ତୁ। ବଣରୁ ବାହାରିବା ପାଇଁ ଉପାୟ ଟିକେ କୁହନ୍ତୁ? ମଇଁଷି ବିରକ୍ତି ହୋଇ କହିଲା, ଟିକେ ଦୂରକୁ ଛିଡା ହ ହେ….., ଯେମିତି ବାସୁଚୁ ମୋର ବାନ୍ତି ହୋଇଯିବ। ଘୁଷୁରି କହିଲା ହଁ ଆଜ୍ଞା, ଏବେ ଏବେ ଖାଇକି ଆସିଛି ତେଣୁ ଟିକେ ବାସୁଥିବ। ମଇଁଷି କହିଲା ମୁଁ ତୋତେ ବଣରୁ ବାହାରିବାର ବାଟ କହିଦେବି। ତୁ ମୋତେ ପ୍ରଥମେ କହ ମୁଁ ଅନ୍ୟ ପଶୁମାନଙ୍କ ଅପେକ୍ଷା କେତେ ସୁନ୍ଦର ? ବିଚରା ନିରୀହ ଘୁଷୁରି କଣ କହିବ ଭାବିବାକୁ ଲାଗିଲା। ଘୁଷୁରିର ନୀରବତା ଦେଖି ମଇଁଷି କହିଲା ଏତେ କ’ଣ ଭାବୁଛୁ କିରେ ? ଘୁଷୁରି କହିଲା ଆପଣ ଦେଖିବାକୁ କଳା ଯେ …., ଘୁଷୁରି ପାଟିରୁ କଥା ନସରୁଣୁ ମଇଁଷି ରାଗିକି କହିଲା ତୁ କ’ଣ କହୁଛୁ, ମୁଁ କଳା ? ତୋତେ ଲୋକେ ରାସ୍ତାରେ ଦେଖିଲେ ଦୌଡ଼ି ପଳାନ୍ତି, ତୋର ଯଉ ପେଣ୍ଡୁ ଭଳି ଶରୀର, ତୁ ପୁଣି ମୋତେ କହୁଛୁ କଳା। ଘୁଷୁରି କହିଲା ମୋ ପାଟିରୁ କଥା ନସରୁଣୁ ଆପଣ କାହିଁକି ରାଗୁଛନ୍ତି ? ମଇଁଷି କହିଲା ତୁ ଗୋଟେ କଉ ପଶୁରେ ପଶୁ ଯେ ତୋତେ କିଏ ହିସାବ ରଖେ ? ତୁ କ’ଣ ଜାଣିଛୁ ଯେ, ମୋ ବିଷୟରେ କହିବୁ ? ମୋର ସୁନ୍ଦର ଚେହେରାକୁ ବିରାଟକାୟ ଶିଙ୍ଘ, ମୋର ଯେମିତିକା ମଜବୁତ୍ ସୁନ୍ଦର ଶିଙ୍ଘ ଆଉ କେଉଁ ପଶୁମାନଙ୍କର ନାହିଁ। ଘୁଷୁରି କହିଲା ଆପଣଙ୍କ ଶିଙ୍ଘ ଭଲ କିନ୍ତୁ ଏତେ ଗର୍ବ ଅହଂକାର କରନ୍ତୁ ନାହିଁ। ଏହି ସମୟରେ କେତେକ କୁକୁର ସେମାନଙ୍କ ପାଖକୁ ଆସୁଥିବାର ଦେଖି ମଇଁଷି ଓ ଘୁଷୁରି ନିଜ ନିଜର ପ୍ରାଣ ବଞ୍ଚାଇବାକୁ ଦୌଡିବା ଆରମ୍ଭ କଲେ। କିନ୍ତୁ ଦୌଡୁଥିବା ସମୟରେ ମଇଁଷିର ଶିଙ୍ଘ ଦୁଇଟି ବଣ ଲତାରେ ଲାଗିଗଲା। ମଇଁଷିର ସବୁ ଚେଷ୍ଟା ସତେ ଲତା ଭିତରୁ ଶିଙ୍ଘ କାଢି ପାରିଲା ନାହିଁ। ଘୁଷୁରି ତାର ବିଦ୍ୟାବୁଦ୍ଧି ଖଟେଇ ନିଜର ଜୀବନ ବଞ୍ଚେଇ କେଉଁଆଡେ ଚାଲିଗଲା। କିନ୍ତୁ ମଇଁଷିର ଶିଙ୍ଘ ଲତାପତ୍ରରେ ଲାଗିଯିବାରୁ ସେ ଆଉ କୁଆଡେ ଯାଇପାରିଲା ନାହିଁ। ପଛରେ ଦୌଡ଼ି ଦୌଡ଼ି ଆସୁଥିବା କୁକୁରମାନେ ଆକ୍ରମଣ କରି ମଇଁଷିର ସୁନ୍ଦର ଚେହେରାକୁ ନଷ୍ଟ କରି ପକାଇଲେ। ଯେଉଁ ଶିଙ୍ଘ ପାଇଁ ମଇଁଷି ଗର୍ବ ଅହଂକାର କରି ଘୁଷୁରୀକୁ ଗାଳି କରୁଥିଲା ସେହି ଶିଙ୍ଘ ହିଁ ତାର ମୃତ୍ୟୁର କାରଣ ହେଲା।
ଡଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା