ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୁରନ୍ତ ଅଧୁରା ବିଦ୍ୟୁତ୍ କାର୍ଯ୍ୟ ସମାପନ କରି ୩୩ କେଭି ଲାଇନ୍ ତାର ସ୍ଥାନାନ୍ତର ନକଲେ ଆସନ୍ତା ୩୦ ରେ ଗଣଧାରଣା ଦେବେ ବୋଲି ଆଜି ଚେତାବନୀ ଦେଇଛନ୍ତି ଭଦ୍ରକ ସହରର ବନ୍ତଛକ ଓ ବାଗୁରାଇ ଗ୍ରାମବାସିନ୍ଦା । ଏହି ଦାବି ନେଇ ଆଜି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଉକ୍ତ ଦୁଇ ଗ୍ରାମବାସୀମାନେ ଦୀର୍ଘ ସମୟ ଘେରାଉ କରି ରଖିବା ସହ ଗଣଧାରଣା ଦେଇଥିଲେ । ସେମାନଙ୍କ ଅଭିଯୋଗ ମୂଳେ ଦୀର୍ଘଦିନ ହେବ ସହରର ବନ୍ତଛକରୁ ବାଗୁରାଇ ପର୍ଯ୍ୟନ୍ତ ଯାଇଥିବା ୩୩ କେଭି ବିଦ୍ୟୁତ୍ ତାର ସ୍ଥାନାନ୍ତର ହେବା ନେଇ କାର୍ଯ୍ୟ ଚାଲୁରହିଛି । କିନ୍ତୁ ୨ ରୁ ୩ କିମି ଦୂର ପର୍ଯ୍ୟନ୍ତ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ସମସ୍ତ କାର୍ଯ୍ୟ ଶେଷ ହୋଇନାହିଁ । ବହୁ ଅଭିଯୋଗ ପରେ ମଧ୍ୟ କୌଣସି ଅଧିକାରୀ ଏଥିପ୍ରତି ଦୃଷ୍ଟିପାତ କରୁନଥିବାରୁ ଆଜି ଦୁଇ ଗ୍ରାମର ବାସିନ୍ଦା ମାନେ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଗଣଧାରଣା ଦେଇଥିଲେ । ତେବେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଚାଲୁରହିବା ମଧ୍ୟରେ ବହୁ ଲୋକ ଆଘାତ ପ୍ରାପ୍ତ ହେବା ସହ କେତେଜଣଙ୍କର ମୃତ୍ୟୁ ହୋଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏଣୁ ଆସନ୍ତା ୩୦ ତାରିଖ ସୁଦ୍ଧା ଏହାର ଅସଂପୂର୍ଣ୍ଣ କାର୍ଯ୍ୟ ଶେଷ ନକଲେ ସେମାନଙ୍କର ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।