Home ଅପରାଧ ମୋବାଇଲ୍ ପାଇଁ ଅଜଣା ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା, ଗଳିତ ଶବ ଉଦ୍ଧାର ପରେ ୫ ଅଭିଯୁକ୍ତ...

ମୋବାଇଲ୍ ପାଇଁ ଅଜଣା ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା, ଗଳିତ ଶବ ଉଦ୍ଧାର ପରେ ୫ ଅଭିଯୁକ୍ତ ଗିରଫ୍

130

ହରିଚନ୍ଦନପୁର, ତା ୧୩ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମ ପଞ୍ଚାୟତ କମଳାବାହାଳୀ ଗ୍ରାମରେ ଅଜଣା ଯୁବକଙ୍କୁ ପିଟିପିଟି ହତ୍ୟା ୫ ଅଭିଯୁକ୍ତ ଗିରଫ୍ । ମିଳିଥିବା ଖବର ଅନୁଯାୟୀ ଗତ ୩ ତାରିଖ ଦୁଇଜଣ ଅଜଣା ବ୍ୟକ୍ତି ଉକ୍ତ ଗ୍ରାମର ସନାତନ ନାଏକଙ୍କ ଘରେ କୌଣସି ପରିଚୟ ଦେଇ ରହିଥିଲେ । ପରେ ସନାତନ ଓ ଜଣେ ଅଜଣା ବ୍ୟକ୍ତିଙ୍କ ସାଙ୍ଗରେ ରାତି ୯ଟା ସମୟରେ ତାଳଡିହି ଛକକୁ ବୁଲିବାକୁ ଯାଇଥିଲେ । ସେଠାରୁ ଘରକୁ ଫେରିବା ସମୟରେ ଅଧା ରାସ୍ତାରେ ଅଜଣା ବ୍ୟକ୍ତି ଜଣଙ୍କ ସନାତନକୁ ମୋବାଇଲ ମାଗିଥିଲେ, ଟର୍ଚ୍ଚ ଜଳାଇ ଝାଡ଼ା ଯିବାକୁ କହିଥିଲେ । ସନାତନ ଉକ୍ତ ବ୍ୟକ୍ତିକୁ ନିଜ ମୋବାଇଲ ଦେଇଥିଲେ, ଝାଡ଼ା ଯାଇ ବ୍ୟକ୍ତି ଜଣଙ୍କ ନ ଫେରିବାରୁ ଅନେକ ଖୋଜାଖୋଜି ପରେ ରାଗିଯାଇ ଘରକୁ ଫେରି ଅନ୍ୟ ଅଜଣା ବ୍ୟକ୍ତିଙ୍କୁ ଫେରିନଥିବା ବ୍ୟକ୍ତିର ପରିଚୟ ପଚାରିବା ସହ ଝଗଡ଼ା ସୃଷ୍ଟି କରିଥିଲେ । ଉକ୍ତ ବ୍ୟକ୍ତି ପରିଚୟ ଦେଇନଥିବାରୁ ସନାତନ ଚୋର ଭାବି ରାଗିଯାଇ ଗ୍ରାମର ବିରୁ ବିରୁଆ, ବଗ ମୁଣ୍ଡା, ରବି ହନାଗା ଓ ଶିବାନୀ ମୁଣ୍ଡାଙ୍କୁ ଡାକି ଉକ୍ତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିଲେ । ମୃତ୍ୟୁ ଘଟିବା ପରେ ମୃତଦେହକୁ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ନାଳ ମଧ୍ୟରେ ପଥର ଚାପି ରଖିଥିଲେ । ମୃତଦେହର ବାସ୍ନା ହେବାରୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଉକ୍ତ ଓ୍ବାର୍ଡର ଓ୍ବାର୍ଡମେମ୍ବରକୁ ଜଣାଇଥିଲେ । ଓ୍ବାର୍ଡମେମ୍ବର ଘଟଣାସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ସବୁ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗଳିତ ମୃତଦେହ ଉଦ୍ଧାର କରିଛି । ଥାନା କେଶ୍ ନମ୍ବର ୯୮ ଅନୁଯାୟୀ ଏକ ମାମଲା ରୁଜୁ କରି ଉକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହ ଉଦ୍ଧାର ହୋଇ ଜବତ ହୋଇଥିବା ଗଳିତ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସର ଅଧିକରୁ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.