ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ଅନ୍ତର୍ଗତ ମହୂରା ଛକ ନିକଟରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋଟର ସାଇକେଲ ଓ କାର ମଧ୍ୟରେ ଧକ୍କା ହେବାରୁ ମୋଟର ସାଇକେଲ ଚାଳକ ସହ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ଭଗବାନପୁର ପଂଚାୟତ ଅନ୍ତର୍ଗତ ପଳିକିରି ଗ୍ରାମର ପବିତ୍ର ଜେନା ଓ ତାଙ୍କ ସ୍ତ୍ରୀ ପ୍ରତିମା ବେହେରା। ଦୁର୍ଘଟଣାରେ ସ୍ୱାମୀଙ୍କ ହାତ ଗୋଡ ମାଡ଼ ହୋଇଥିବା ବେଳେ ସ୍ତ୍ରୀର ଛାତିରେ ଗୁରୁତର ଆଘାତ ଲାଗିଛି।ସୂଚନା ଅନୁଯାୟୀ, ପବିତ୍ର ଜେନା ତାଙ୍କ ସ୍ତ୍ରୀଙ୍କୁ ନେଇ ମୋଟର ସାଇକେଲ ରେ ଭଦ୍ରକ ଆଡ଼ୁ ପଳିକିରି ଗାଁକୁ ଆସୁଥିବା ବେଳେ ଧାମନଗର ଆଡ଼ୁ ଆସୁଥିବା ଏକ କାର ସହ ମହୂରା ଓ ଧାମନଗର ଛକ ମଧ୍ୟବର୍ତୀ ସ୍ଥାନରେ ଧକ୍କା ହୋଇଥିଲା। ଧକ୍କା ପରେ ପ୍ରତିମା ବେହେରା ମୋଟର ସାଇକେଲ ରୁ ଛିଟକି କାର ଉପରେ ପଡ଼ିଥିବା ବେଳେ, ପବିତ୍ର ଜେନା ରାସ୍ତା ଉପରେ ପଡ଼ିଥିଲେ। ଦୁର୍ଘଟଣାରେ ମୋଟର ସାଇକେଲଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ଉଭୟଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ କୁ ପଠାଇଥିଲେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।








