Home ଜିଲ୍ଲା ପରିକ୍ରମା ମୋଗଲ ତାମସା କଳାକାରଙ୍କୁ ପାରିଶ୍ରମିକ ସହ ପରିବେଷଣ ସମୟ ୧୫ ରୁ ୪୫ ମିନିଟ୍‌କୁ ବୃଦ୍ଧି...

ମୋଗଲ ତାମସା କଳାକାରଙ୍କୁ ପାରିଶ୍ରମିକ ସହ ପରିବେଷଣ ସମୟ ୧୫ ରୁ ୪୫ ମିନିଟ୍‌କୁ ବୃଦ୍ଧି ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର

48

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟରେ ହେବାକୁ ଥିବା ଭଦ୍ରକ ଜିଲା ଲୋକକଳା ପ୍ରତିଯୋଗିତାରେ ଭଦ୍ରକର ସାଂସ୍କୃତିକ ପରିଚୟ, ଲୋକକଳା, ଲୋକନାଟକ ମୋଗଲ ତାମସାର କଳାକାରମାନଙ୍କୁ କିଛି ପାରିଶ୍ରମିକ ଦେବା ସହ ପରିବେଷଣ ସମୟ ୧୫ ମିନିଟ୍ ପରିବର୍ତ୍ତେ ୪୫ ମିନିଟ୍ କରିବା ଦାବିରେ ଆଜି ଭଦ୍ରକ ନୂଆବଜାରସ୍ଥିତ “ମୋଗଲ ତାମସା କଳାକାର ସଂଘ” ପକ୍ଷରୁ ବାଦଲ ସିକ୍‌ଦାର, ଗୌରାଙ୍ଗ ଚନ୍ଦ୍ର ବାରିକ ଓ ସରୋଜ ସିଂହଙ୍କ ନେତୃତ୍ୱରେ ଅନେକ ସଂସ୍ଥାର କଳାକାରମାନେ ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ର ମୂଳେ ଭାରତ ବିଖ୍ୟାତ ମୋଗଲ ତାମସା ଭଦ୍ରକର ସାଂସ୍କୃତିକ ପରିଚୟ । ୧୯୨୮ ମସିହା ଜନ୍ମିତ ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଲିଖିତ ମୋଗଲ ତାମସା ଏକ ସ୍ୱତନ୍ତ୍ର ଶୈଳୀର ଲୋକନାଟ୍ୟ । ଏହା ଓଡ଼ିଆ, ଉଦ୍ଧ୍ୱୁର୍, ଫାର୍ଶୀ, ହିନ୍ଦୀ ଓ ବଙ୍ଗଳା ଭାଷାର ମିଶ୍ରଣରେ ସୃଷ୍ଟି । ଯାହାକି ଅନ୍ୟ କୌଣସି ନାଟକ କିମ୍ବା ଲୋକକଳାରେ ସାଧାରଣରେ ଦେଖାଯାଏନାହିଁ ।

ଏଣୁ ଏହା ଭଦ୍ରକର ଗର୍ବ ଓ ଗୌରବ ଅଟେ । ଅଧୁନା ଏହି ଲୋକକଳାକୁ ଭଦ୍ରକର ସଂକେତ ନାଟ୍ୟ ଅନୁଷ୍ଠାନ, ଗରଦପୁରର ବଂଶୀବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ, ରାନ୍ଦିଆର ବିମଳା ନାଟ୍ୟ ସଂସଦ, ପୁରୁଣାବଜାରର ବଂଶୀବଲ୍ଲଭ ଗିରିଧାରୀଲାଲ ନାଟ୍ୟ ସଂସ୍ଥା ଗୁଡିକ ରାଜ୍ୟ ତଥା ଜାତୀୟ ସ୍ତରରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ମଣିପୁର ଓ ଶାନ୍ତି ନିକେତନ ଭଳି ସ୍ଥାନରେ ପରିବେଷଣ କରି ବେଶ୍ ଆଦୃତ ହୋଇଛନ୍ତି । କିନ୍ତୁ ନିଜ ଜିଲାରେ ମୋଗଲ ତାମସାର ଗୁରୁତ୍ୱକୁ ପ୍ରଶାସନ ଦୀର୍ଘଦିନରୁ ଅବହେଳା କରିଆସୁଛନ୍ତି । ସରକାରଙ୍କ ଦ୍ୱାରା କଳାକାରଙ୍କ ହିତ ପାଇଁ ନୂତନ ଭାବରେ ଗଠନ ଲୋକକଳା ସଂସ୍କୃତି ସଂଘରେ ମୋଗଲ ତାମସାକୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଉନାହିଁ । ସଂସ୍କୃତି ବିଭାଗ ଏହି ଲୋକକଳା ପରିବେଷଣ ପାଇଁ ୪୫ ମିନିଟ୍‌ରୁ ୬୦ ମିନିଟ୍‌ର ଅବଧି ସ୍ଥିର କରିଛି । ଏଥିରେ ସାଧାରଣତଃ ୨୮ ରୁ ୩୦ କଳାକାର ଅଭିନୟ କରିଥାନ୍ତି । ଯେଉଁଥିରେ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହୃତ ହୋଇଥାଏ । କିନ୍ତୁ ନିକଟରେ ହେବାକୁ ଥିବା ଜିଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ମୋଗଲ ତାମସା ପରିବେଷଣ ପାଇଁ ମାତ୍ର ୧୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି । ଯାହା ଆଦୌ ସମ୍ଭବ ନୁହେଁ । ଏଥିପାଇଁ କୌଣସି ଅନୁଷ୍ଠାନକୁ ପାରିତୋଷିତ ଦେବାକୁ ସଂପୂର୍ଣ୍ଣ ରୂପେ ମନା କରାଯାଇଛି । କିନ୍ତୁ ମୋଗଲ ତାମସା ପରିବେଷଣ ପାଇଁ ପ୍ରତ୍ୟେକ ସଂସ୍ଥାକୁ ଆନୁଷଙ୍ଗିକ ଖର୍ଚ୍ଚ ହିସାବରେ ୧୦ ହଜାରରୁ ୧୨ ହଜାର ଖର୍ଚ୍ଚ କରିବାକୁ ପଡିଥାଏ । ଏଣୁ କୋଭିଡ୍ ସମୟରେ କଳାକାରମାନେ ଅତ୍ୟନ୍ତ ଦୁସ୍ତ ଓ ଦୁର୍ଦ୍ଦିନରେ କାଳାତିପାତ କରୁଥିବାବେଳେ ବିନା ପାରିଶ୍ରମିକରେ ନିଜ ହାତରୁ ସଂପୂର୍ଣ୍ଣ ଖର୍ଚ୍ଚ ବହନ କରି ମୋଗଲ ତାମସାକୁ କିଭଳି ପରିବେଷଣ କରିବେ, ତାହା ବିଚାର ସାପେକ୍ଷ । ଏଣୁ ଉକ୍ତ ପ୍ରତିଯୋଗିତାରୁ ସଂପୂର୍ଣ୍ଣ ରୂପେ ଦୂରେଇ ରହିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ ଏହାର ପ୍ରଚାର ପ୍ରସାର ନିମନ୍ତେ ଆସନ୍ତା ଲୋକକଳା ପ୍ରତିଯୋଗିତାରେ ମୋଗଲ ତାମସା କଳାକାର ମାନଙ୍କୁ କିଛି ପାରିଶ୍ରମିକ ଦେବା ସହ ୧୫ ମିନିଟ୍ ପରିବର୍ତ୍ତେ ୪୫ ମିନିଟ୍ ସମୟ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.