ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକବାସୀଙ୍କ ବହୁ ପ୍ରୀତିକ୍ଷିତ ମେଡିକାଲ କଲେଜ ପ୍ରତିଷ୍ଠାର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବାଲେଶ୍ୱର ଗସ୍ତ କାଳରେ ଏହି କଲେଜ ସ୍ଥାପନା ନେଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ତାଙ୍କୁ ସାକ୍ଷାତ୍ କରି ଆଲୋଚନା କାଳରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବାଲେଶ୍ୱର ଗସ୍ତ ସମୟରେ ଭଦ୍ରକର ଆରଡିଛକସ୍ଥିତ ସର୍କିଟ୍ ହାଉସରେ ଏହି ସାକ୍ଷାତ କାଳରେ ବିଧାୟକ ଶ୍ରୀ ମହାପାତ୍ର ଜିଲାବାସୀଙ୍କ ଦୀର୍ଘଦିନର ଦାବି ମେଡିକାଲ କଲେଜର ସ୍ଥାପନା ପାଇଁ ବିଶଦ ଆଲୋଚନା କରିଥିଲେ। ଜିଲା ଭାଜପା ସଭାପତି ହେମନ୍ତ ପାଢୀଙ୍କ ବହୁ ଦଳୀୟ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିଲା। ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ମନ୍ତ୍ରୀଙ୍କ ସହ କଲେଜ ସ୍ଥାପନା ଓ ଜିଲାରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ମଣ୍ଡଳର ସଭାପତି ଅମର ପାଣିଗ୍ରାହୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ତେବେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେବଳ ଭଦ୍ରକ ନୁହେଁ ୩୦ ଟି ଜିଲାରେ ଖୁବଶୀଘ୍ର ଗୋଟିଏ ଲେଖାଏଁ ମେଡିକାଲ କଲେଜ ସହ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଥିବାର ଜଣାପଡିଛି।