Home ଜିଲ୍ଲା ପରିକ୍ରମା ମେଟ୍ରିକ୍ ପାସ୍ କଲେ ଭଦ୍ରକ ଜିଲାର ୯ ଜଣ କିନ୍ନର, ଖୁସି ବାଂଟିଲେ ଭଦ୍ରକ ଟ୍ରାନ୍ସଜେଣ୍ଡର...

ମେଟ୍ରିକ୍ ପାସ୍ କଲେ ଭଦ୍ରକ ଜିଲାର ୯ ଜଣ କିନ୍ନର, ଖୁସି ବାଂଟିଲେ ଭଦ୍ରକ ଟ୍ରାନ୍ସଜେଣ୍ଡର ସୁରକ୍ଷା ଫାଉଣ୍ଡେସନର ସଭାପତି ସୋନାଲି

28

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ସମାଜରେ ତୃତୀୟଲିଙ୍ଗୀ ଭାବେ କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତଥାପି ବର୍ତମାନର ଅବକ୍ଷୟ ମୁଖି ସମାଜରେ ଏମାନଙ୍କୁ ବଂଚିବା ପାଇଁ ଅନେକ ଟାହି -ଟାପରା ସହିବାକୁ ପଡିଥାଏ।ତେବେ ପୂର୍ବାପେକ୍ଷା ସରକାରଙ୍କ ପ୍ରୋତ୍ସାହନ ଫଳରେ ଏବେ ଚାକିରୀ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଥିରେ ଯୋଗଦାନ ଜନିତ ସଫଳତା ଏମାନଙ୍କ ଜୀବନ ଧାରଣରେ ଏକ ବୈପ୍ଲବିକ ପରିବର୍ତନ ଆଣିଛି। ଯେଉଁ ପରିବର୍ତନ ସ୍ରୋତର ଅନୁକୂଳରେ ଭଦ୍ରକ ଜିଲ୍ଲାର କିନ୍ନରମାନେ ଅନ୍ୟ ସାଧାରଣ ଛାତ୍ର ଛାତ୍ରୀଙ୍କ ଠାରୁ କୌଣସି ଗୁଣରେ ପଛରେ ପଡ଼ିନାହାନ୍ତି। କାହିଁକିନା ଚଳିତ ମାଧ୍ୟମିକ ପରିଷଦର ପରୀକ୍ଷାରେ ଏହି ଜିଲ୍ଲାର ୯ ଜଣ କିନ୍ନର ବେଶ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି। ଦୁନିଆର ଟାହିଟାପରା ଓ ବାଧାବିଘ୍ନକୁ ଖାତିରି ନକରି ଏମାନେ ମନ ବଳାଇଥିଲେ ପାଠ ପଢ଼ିବାକୁ। ଏବଂ ଚଳିତ ବର୍ଷ ମାଟ୍ରିକ୍ ପାସ କରି ଆଜି ଦୁନିଆକୁ ନିଜର ସଫଳତା ଦେଖାଇଛନ୍ତି ଭଦ୍ରକ ଚରମ୍ପା ଅଂଚଳର ଏହି ୯ ଜଣ କିନ୍ନର। ମାଟ୍ରିକ୍ ପରୀକ୍ଷା ପାସ୍ କରି ଏମାନେ ଯେ କେବଳ ଖୁସି ହୋଇଛନ୍ତି ତାହା ନୁହେଁ, ଏହା ସେମାନଙ୍କ ମନରେ ଭରିଦେଇଛି ନୂଆ ଆତ୍ମବିଶ୍ୱାସ ଓ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଂଚିବାର ମହକ।ଏମାନେ ହେଲେ ସଞ୍ଜନା ଶାସମଲ, ସସ୍ମିତା ବିନ୍ଧାଣୀ, ଜୟନ୍ତୀ ପାତ୍ର, ଜିତୁ ସ୍ୱାଇଁ, ଆଶୀର୍ବାଦ ସାହୁ, ରାଜକିଶୋର ଦାସ, ସୀମା ଟାଙ୍ଗୁର, ଯଦୁନାଥ ହାଁସଦା ଓ ସନ୍ଧ୍ୟା ଚମ୍ପିଆ।ଭଦ୍ରକ ଟ୍ରାନ୍ସଜେଣ୍ଡର ସୁରକ୍ଷା ଫାଉଣ୍ଡେସନର ସଭାପତି ସୋନାଲି ଆଜି ଏମାନଙ୍କର ଏହି ସଫଳତାରେ ବେଶ ଖୁସି ବ୍ୟକ୍ତ କରି ସମସ୍ତଙ୍କୁ ମିଠା ଖୁଆଇବା ସହ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପୂରଣ ଦିଗରେ ସରକାର ବିଶେଷକରି ବସୁନ୍ଧରା ସ୍କିମ୍‌ରେ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ୪ ଡିସିମିଲ୍ ଜାଗାର ବ୍ୟବସ୍ଥା, ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ଦାବି କରି ପୂର୍ବ ସରକାରଙ୍କ ସମୟରୁ ଏମାନଙ୍କର କେତୋଟି ଏସ୍‌ଏଚ୍‌ଜି ଗ୍ରୁପ୍ ଗଠନ କରା଼ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ବୈଠକ ଆହୁତ ନ ହେବା ସେମାନଙ୍କର ଜୀବନ ଜୀବିକା ପ୍ରତି ଉପହାସ ବୋଲି କହିଛନ୍ତି।ଯଦିଓ ସରକାରଙ୍କ ସଚେତନତା ଯୋଗୁଁ ସେମାନଙ୍କ ମଧ୍ୟରେ କିଛିଟା ପରିବର୍ତନ ଆସି ଭୋଟ୍ ଦେବା କ୍ଷେତ୍ରରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ଭୋଟର ପରିଚୟ ପତ୍ର ପାଇବା କ୍ଷେତ୍ରରେ ସ୍ୱତନ୍ତ୍ର କ୍ୟାମ୍ପ କରି ଜିଲା ପ୍ରଶାସନ ସେମାନଙ୍କୁ ନାଗରିକର ଅଧିକାର ସାବ୍ୟସ୍ତ କରିବାକୁ ସେ ଦାବି କରିଛନ୍ତି। ଏବଂ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରିବା କ୍ଷେତ୍ରରେ ନୂତନ ସରକାର ଦୃଷ୍ଟି ଦେବାକୁ ଜିଲା ପ୍ରଶାସନକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି। ଏବଂ ଏହା କାର୍ଯ୍ୟକାରୀ ହେଲେ ସେମାନଙ୍କ ଭଳି କିନ୍ନରମାନେ ଭବିଷ୍ୟତରେ ଜିଲ୍ଲା, ରାଜ୍ୟ ଓ ଦେଶର ସମୃଦ୍ଧିରେ ସାମିଲ କରିପାରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.