Home Top News ମୂଲ୍ୟହୀନ ସୌମ୍ୟ ଉବାଚ

ମୂଲ୍ୟହୀନ ସୌମ୍ୟ ଉବାଚ

70
Image Credit - OdishaExpo

ଆଜିକାଲି ଖଣ୍ଡପଡା ଶାସକ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଝିରେ ମଝିରେ ଗୋଟିଏ ଗୋଟିଏ ଚୁଟକୁଲା ଗପ ବଜାରକୁ ଛାଡୁଛନ୍ତି। ଖୋଦ ନିଜ ଦଳ ବିଜୁ ଜନତା ଦଳ ବିରୁଦ୍ଧରେ ନିଜ ଖବରକାଗଜ ହେଉ ଅବା ସଭା ସଭିତିରେ ହେଉ ପଦେ ପଦେ ବଖାଣି ଦେଉଛନ୍ତି। ଗତ କିଛିଦିନ ତଳେ ପ୍ରଜାତନ୍ତ୍ର ଖବର କାଗଜର ୭୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ସୌମ୍ୟ ବାବୁ। ସେଠାକୁ ଅତିଥି ହିସାବରେ ଯାଇଛନ୍ତି ମାନେ ଗଣତନ୍ତ୍ର ଅବା ରାଜ୍ୟ ତଥା ରାଷ୍ଟ୍ରହିତକାରୀ କିଛି ବକ୍ତବ୍ୟ ଦେବା କଥା। ଜଣେ ସୁଲେଖକ ଓ ସୁବକ୍ତା ହେଉଛନ୍ତି ସୌମ୍ୟ ବାବୁ। ମାତ୍ର ସେ ସେଦିନ ବକ୍ତବ୍ୟ ଆଳରେ ବିଜୁ ଜନତା ଦଳର କିଛି ଅକାଟ୍ୟ ତଥ୍ୟ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଥିଲେ। ଦୀର୍ଘ ୨୧ ବର୍ଷ ଧରି ଓଡିଶାରେ ବିଜେଡି ଶାସନ କରୁଛି ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହିସାବରେ ରାଜ୍ୟକୁ ଶାସନ କରି ଆସୁଛନ୍ତି। ସେଦିନ ସୌମ୍ୟ ବାବୁ ଭାଷଣରେ କହିଥିଲେ ଯେ ଏବେ ମୁଖ୍ୟମନ୍ତ୍ରୀଙ୍କର ଦୁଇଟି ନେତ୍ର ମଧ୍ୟରୁ ଗୋଟିଏ ହେଉଛି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାଶ ଓ ଅନ୍ୟଟି ହେଉଛି ତାଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟ ପାଣ୍ଡିୟାନ। ସେଇ ଦୁଇ ନେତ୍ର ମାଧ୍ୟମରେ ସେ ଦୁନିଆ ଦେଖୁଛନ୍ତି। ସୌମ୍ୟଙ୍କଏହି ବକ୍ତ୍ୟବ୍ୟ ଲୋକହସା ଛଡା କିଛି ନୁହେଁ। ଓଡିଶାର ସଚେତନ ନାଗରିକ, ରାଜ୍ୟ ତଥା ଦେଶ ବାହାରର ସବୁ ଓଡିଆ ଜାଣିଛନ୍ତି ନବୀନ ଏବେ ଏହି ଦୁଇ ତଥାକଥିତ ନେତ୍ର ମାଧ୍ୟମରେ ଦୁନିଆ ଦେଖୁଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ଘର ଏବେ ପାଲଟିଛି କ୍ଷମତା କେନ୍ଦ୍ର। ଯେମିତି ୨୦୧୨ ମସିହା ପୂର୍ବରୁ ଶହୀଦ ନଗର ଥିଲା କ୍ଷମତାକେନ୍ଦ୍ର। ଏବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି – ବବି ଦାସଙ୍କ ଉପରେ ଆଉ ଗୋଟିଏ ସୁପର କ୍ଷମତା କେନ୍ଦ୍ର ରହିଛି ତାହା ହେଉଛି ଭି.କାର୍ତିକେୟ ପାଣ୍ଡିୟାନ। ମାତ୍ର ଶହୀଦ ନଗର ଯେତେବେଳେ କ୍ଷମତା କେନ୍ଦ୍ର ଥିଲା, ତା ଉପରେ ଆଉ କିଛି ନଥିଲା। ତେଣୁ ଏଠାରେ ସାଧାରଣ ଜନତାଙ୍କ ପ୍ରଶ୍ନ ସୌମ୍ୟ ବାବୁ ନୂଆ କଥା କଣ କହୁଛନ୍ତି ? ଜନତାଙ୍କ ମତରେ ଜନ ପ୍ରତିନିଧିଟିଏ ହେବା ପାଇଁ ବାର ଦୁଆର ଶୁଣ୍ଡିପିଟା ହୋଇଥିଲେ ସୌମ୍ୟ ବାବୁ। ସବୁଆଡୁ ହତାଶ ହେବା ପରେ ସେହି ବିଜେଡି ଓ ନବୀନମ୍ ଶରଣମ ଗଚ୍ଛାମି ପରେ ହୋଇ ପାରିଲେ ଲୋକ ପ୍ରତିନିଧି। ସୌମ୍ୟଙ୍କ ତଥାକଥିତ ଭାଷଣ ଉପରେ ଆମେ କିଛି ଖଣ୍ଡପଡା ଭୋଟରଙ୍କ ପ୍ରତିକ୍ରୀୟା ଆଣିଥିଲୁ। ସେମାନଙ୍କ ମତରେ ସୌମ୍ୟ ବାବୁ ବିଧାୟକ ହେବାର ଦୁଇ ବର୍ଷ ବିତି ଗଲାଣି। କେତେ ଥର ନିର୍ବାନମଣ୍ଡଳୀ ଗସ୍ତ କରିଛନ୍ତି ତାର ଆଗେ ଉତ୍ତର ରଖନ୍ତୁ। ତା’ ପରେ ଯାଇ ନବୀନ ସରକାର ଉପରେ ଆଙ୍ଗୁଳି ଉଠାଇବେ। ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପଡୋଶୀ ନିର୍ବାଚନମଣ୍ଡଳୀ ହେଲା ନୟାଗଡ। ଦୀର୍ଘ ଦଶନ୍ଧୀ ଧରି ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ନୟାଗଡ ଲୋକ ପ୍ରତିନିଧି ଦ୍ୱାରା ପରିଚାଳିତ। ସ୍ୱର୍ଗତ ଭାଗବତ ବେହେରାଙ୍କ ଠାରୁ ଏ ପରମ୍ପରା ଆରମ୍ଭ ହୋଇଛି ଏବଂ ଆଜି ପର୍ଯ୍ୟନ୍ତ ଏହା ବଳବତର ରହିଛି। ଏହି ପରମ୍ପରାକୁ ଭାଙ୍ଗିବାରେ ସୌମ୍ୟ ପଟ୍ଟନାୟକ ମଧ୍ୟ ଅସମର୍ଥ। ଯାହର ଜ୍ୱଳନ୍ତ ଉଦାହରଣ ହେଉଛି ଏବେ ଭାପୁର ବ୍ଲକରେ ଚାଲିଥିବା ରାଜନୈତିକ ଅସ୍ଥିରତା। ଖଣ୍ଡପଡାବାସୀଙ୍କ ମତରେ ନିର୍ବାଚନମଣ୍ଡଳୀର ଦୁଇଟି ବ୍ଲକ ଭାପୁର ଓ ଖଣ୍ଡପଡା ଦୁଇ ସ୍ଥାନୀୟ ନେତାଙ୍କ ହାତରେ ସମର୍ପି ଦେଇ ସୌମ୍ୟ ବାବୁ ନାମକୁ ମାତ୍ର ଖଣ୍ଡପଡା ବିଧାୟକ। ଖଣ୍ଡପଡା ନିର୍ବାଚନମଣ୍ଡଳୀର ଜନତାଙ୍କ ଆସ୍ଥା ଭାଜନ ହୋଇ ପାରୁ ନଥିବା ଜନ ପ୍ରତିନିଧିଙ୍କର ଏହି ପ୍ରକାର ମନ୍ତବ୍ୟ ସଂପୂର୍ଣ୍ଣ ହାସ୍ୟାସ୍ପଦ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରୁଛନ୍ତି। ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ବିନା ସୌମ୍ୟଙ୍କ ସ୍ଥାୟିତ୍ୱ ଏକ ପ୍ରକାର ପ୍ରଶ୍ନବାଚୀ। ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଖବର କାଗଜ ପୃଷ୍ଟା ମଣ୍ଡନ କରିବାର କିଛି ଯଥାର୍ଥତା ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

– ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.