Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ଦରମା, ଭତା ଓ ପେନସନ୍ ବିଲ୍‌କୁ ପ୍ରତ୍ୟାହାର ଦାବିରେ ସିପିଆଇଏମ ପକ୍ଷରୁ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ଦରମା, ଭତା ଓ ପେନସନ୍ ବିଲ୍‌କୁ ପ୍ରତ୍ୟାହାର ଦାବିରେ ସିପିଆଇଏମ ପକ୍ଷରୁ ସଭା

3

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟରେ ଭୟଙ୍କର ବେକାରୀ, ଉତ୍କଟ ଦାରିଦ୍ର‌୍ୟ, ସାଂଘାତିକ କୃଷି ସଂକଟ, ଚାଷୀ ଆତ୍ମହତ୍ୟା, ଶ୍ରମିକ ର ନିମ୍ନତମ ମଜୁରୀ, କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଓ ଗର୍ଭବତୀ ମହିଳାଙ୍କ ମୃତ୍ୟୁହାର, ବନ୍ୟା ବାତ୍ୟା ମରୁଡି ଯୋଗୁଁ କୃଷି ଅର୍ଥନୀତିର ସଂକଟ, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ଆଦି ବହୁ ସମସ୍ୟା ସଂପର୍କରେ ଓଡିଶା ବିଧାନସଭାରେ ଆଲୋଚନା ହୋଇ ସ୍ଥାୟୀ ପ୍ରତିକାର ହେବା ପାଇଁ ବ୍ୟୟବରାଦ ହେବା ପରିବର୍ତେ ଜନପ୍ରତିନିଧି ମାନଙ୍କ ଦରମା, ଭତା ଓ ପେନସନ୍ ବୃଦ୍ଧି କରିବା ବିଲ୍ କୁ ଆମ ରାଜ୍ୟର ସମସ୍ତ ପୁଞ୍ଜିବାଦୀ ଦଳ ଯଥା ବିଜେପି, କଂଗ୍ରେସ ଓ ବିଜେଡି ର ବିଧାୟକ ମାନେ ସମର୍ଥନ କରିବା ଏକ ବିଡମ୍ବନାର ବିଷୟ ବୋଲି ସିପିଆଇଏମ ପକ୍ଷରୁ ଭଦ୍ରକ ଷ୍ଟେଟବ୍ୟାଙ୍କ ଛକଠାରେ ଅନୁଷ୍ଠିତ ସଭାରେ ସିପିଆଇ(ଏମ) ନେତୃତ୍ୱ ପ୍ରକାଶ କରିଛନ୍ତି । ଭାରତୀୟ ସମ୍ବିଧାନର ଧାରା- ୨୦୦ ଉପଧାରା- ୩ ର ପ୍ରାବଧାନ ଅନୁଯାୟୀ ରାଜ୍ୟପାଳ ଏହି ବିଲକୁ ପୁନଃ ବିଚାର ପାଇଁ ବିଧାନସଭା କୁ ଫେରାଇ ଦେବାକୁ ସିପିଆଇ(ଏମ) ନେତୃବୃନ୍ଦ ଦାବି କରିଛନ୍ତି । ଜନତାଙ୍କ ସେବା କରିବା ପାଇଁ ବ୍ୟାକୁଳ ହେଉଥିବା ବିଧାୟକ ମାନେ ନିଜ ନିଜର ଦରମା ଭତା ଓ ପେନସନ୍ ବୃଦ୍ଧି ପାଇଁ ନିର୍ଲଜ ଭାବେ ଆଣିଥିବା ବିଲକୁ ରାଜ୍ୟ ର ବିଜେପି ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ସିପିଆଇଏମ ଦାବି କରିଛି । ୨୦୦୨ ମସିହାରେ ବିଧାୟକ ମାନଙ୍କ ଦରମା ଓ ଭତା ବୃଦ୍ଧି ପାଇଁ ନବୀନ ପଟ୍ଟନାୟକ ସରକାର ଆଣିଥିବା ବିଲ୍ କୁ ବିଧାନସଭାରେ ନିଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ପ୍ରତିନିଧିତ୍ୱ କରୁଥିବା ସିପିଆଇ(ଏମ) ର ତତ୍କାଳୀନ ବିଧାୟକ ପ୍ରଦୀପ୍ତ ପଣ୍ଡା ବିରୋଧ କରିଥିବା ବେଳେ ବର୍ତମାନର ବଣେଇ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ସିପିଆଇ(ଏମ) ବିଧାୟକ କମ୍ରେଡ ଲକ୍ଷ୍ମଣ ମୁଣ୍ଡା ତୀବ୍ର ବିରୋଧ କରୁଛନ୍ତି । ରାଜ୍ୟ ସରକାର ଏହି ଜନବିରୋଧି ରାଜ୍ୟ ରାଜକୋଷକୁ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ ଜନପ୍ରତିନିଧି ଦରମା, ଭତା ଓ ପେନସନ୍ ବିଲ୍ କୁ ପ୍ରତ୍ୟାହାର ନକଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ ତୀବ୍ର ହେବ ବୋଲି ସିପିଆଇ(ଏମ) ନେତୃତ୍ୱ ପ୍ରକାଶ କରିଛନ୍ତି । ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଭାସ ମହାପାତ୍ର, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, କାଳନ୍ଦୀ ପାତ୍ର, ଗିରିଧାରୀ ନାଥ, ସେକ୍ ସନାଉଲ୍ଲା, ଜୟନୂଲ ଆବେଦିନ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ଯୁବନେତା ପ୍ରତାପ ସେଠୀ, ଯୁବନେତା ବିପ୍ଳବ ଯେନା, ବୀମା କର୍ମଚାରୀ ନେତା ନବକିଶୋର ବେହେରା, ଶ୍ରମିକ ନେତା ସେକ୍ ସିକ୍ରୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଏହି ବିଲକୁ ଫେରାଇ ଦେବାକୁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.