Home Top News ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ପାଞ୍ଚଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀର ଲୋକାର୍ପଣ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ପାଞ୍ଚଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀର ଲୋକାର୍ପଣ

34

– ରାଜ୍ୟରେ ଏକ ବିଶ୍ୱ ଶ୍ରେଣୀ ସଂଗ୍ରହାଳୟ କମ୍ପ୍ଲେକ୍ସ ପ୍ରତିଷ୍ଠା ହେବ – ମୁଖ୍ୟମନ୍ତ୍ରୀ
– କଳିଙ୍ଗ ଆର୍ଟ ଗ୍ୟାଲେରୀ କଳା ଏବଂ କଳାକାରଙ୍କ ଏକ ପାୱାର୍ ହାଉସ୍ ହେବ।

ଭୁବନେଶ୍ୱର ୩୦-୧୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ପାଞ୍ଚଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀର ଉଦଘାଟନ କରିଛନ୍ତି। କଳିଙ୍ଗ ଆର୍ଟ ଗ୍ୟାଲେରୀ ହେଉଛି ରାଜ୍ୟ ସଂଗ୍ରହାଳୟ ପରିସରରେ ରଖାଯାଇଥିବା ରାଜ୍ୟର ସର୍ବ ବୃହତ ଆର୍ଟ ଗ୍ୟାଲେରୀ। ଛତ୍ରପୁର (ଗଞ୍ଜାମ), ପୁରୀ, ବାଲେଶ୍ୱର, ସମ୍ବଲପୁର ଏବଂ କୋରାପୁଟ ଏହି ପାଞ୍ଚଟି ଜିଲ୍ଲାରେ ପାଞ୍ଚଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଛି। ଏହି ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ଓଡିଶା ଲଲିତ ଲଳା ଏକାଡେମୀ ପଦକ୍ଷେପ ନେଇଛି।

ଭର୍ଚୁଆଲ୍ ମୋଡ୍ ରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ରାଜ୍ୟରେ ଏକ ବିଶ୍ୱ ସ୍ତରୀୟ ମ୍ୟୁଜିୟମ କମ୍ପ୍ଲେକ୍ସ ଆସିବ। ଇତିହାସ, କଳା ଏବଂ ସଂସ୍କୃତିର ବିଭିନ୍ନ ସୁବିଧା ସହିତ ବିଶ୍ୱ ସ୍ତରୀୟ ମ୍ୟୁଜିୟମ କମ୍ପ୍ଲେକ୍ସ ପାଇଁ ଏକ ବିସ୍ତୃତ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।

ରାଜ୍ୟର ସାଂସ୍କୃତିକ ଗୌରବ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ସମୃଦ୍ଧ ସାଂସ୍କୃତିକ ତଥା କଳା ଐତିହ୍ୟର ଏକ ଭଣ୍ଡାର ଅଟେ। ଚିତ୍ର, ସ୍ଥାପତ୍ୟ, ମୂର୍ତ୍ତି ଏବଂ ହସ୍ତଶିଳ୍ପର ଆମର ଅନନ୍ୟ ପରମ୍ପରା ଅଛି ଯାହା ଏକ ଦୀର୍ଘ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରେ। କଳା ଆମ ରକ୍ତରେ ଚାଲିଥାଏ, ଆମ ମନରେ ମଧ୍ୟ। ଆମର କଳା ପରମ୍ପରା ପାଇଁ ଆମର ଏକ ଦାୟିତ୍ତ୍ୱ ଅଛି ଏବଂ ଏହି ଅନନ୍ୟ ପରମ୍ପରାର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ସବୁକିଛି କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କଳିଙ୍ଗ ଆର୍ଟ ଗ୍ୟାଲେରୀ ରାଜ୍ୟର କଳା ଏବଂ କଳାକାରଙ୍କ ଏକ ଶକ୍ତି କେନ୍ଦ୍ର ହେବ। ଏହା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ କଳାକାରଙ୍କ ସମେତ ବିଭିନ୍ନ ଅଞ୍ଚଳର କଳାକାରମାନଙ୍କର ଏକ ମିଳନ ସ୍ଥଳ ହେବ। ଏହା ମଧ୍ୟ କଳାକୁ ଭଲପାଉଥିବା ନାଗରିକ ତଥା ପର୍ଯ୍ୟଟକମାନଙ୍କୁ ଆମର ଗୌରବମୟ କଳା ପରମ୍ପରା ବିଷୟରେ ଜାଣିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପାଞ୍ଚଟି ଜିଲ୍ଲାର ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ସ୍ଥାନୀୟ କଳାକାରମାନଙ୍କୁ ସେମାନଙ୍କର କଳାତ୍ମକ ସୃଜନଶୀଳତାର ପ୍ରଦର୍ଶନ ଏବଂ ସ୍ଥାନୀୟ କଳାର ରୂପକୁ ପ୍ରୋତ୍ସାହିତ କରିବ। ଏହି ଗ୍ୟାଲେରୀଗୁଡିକ ଆମର ଯୁବକ ଏବଂ କଳାକାରମାନଙ୍କ ମଧ୍ୟରେ ପାରସ୍ପରିକ ବାର୍ତ୍ତାଳାପ ତଥା ସମ୍ପର୍କର ଏକ କେନ୍ଦ୍ରବିନ୍ଦୁ ହେବ, ସେମାନଙ୍କୁ ସମୟ ସହିତ ଶିଖିବା ଏବଂ ବିକାଶରେ ସାହାଯ୍ୟ କରିବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ଏହି ଆର୍ଟ ଗ୍ୟାଲେରୀ ଆମ କଳାକାରମାନଙ୍କୁ ଏକ ବଡ଼ ଉତ୍ସାହ ପ୍ରଦାନ କରିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5-T) ଶ୍ରୀ ଭି. କେ. ପାଣ୍ଡିଆନ୍ ପ୍ରୋଗ୍ରାମକୁ ସଂଯୋଜନା କରିଥିଲେ।

ଡେଭଲପମେଣ୍ଟ କମିଶନର ଶ୍ରୀ ପି ଜେନା ସ୍ୱାଗତ ଭାଷଣ ଦେଇଥିଲେ। ସଂସ୍କୃତିର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୀ ସଂସ୍କୃତି ଭବନ ଠାରେ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଲୋକାର୍ପଣ ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଲଳିତ କଳା ଏକାଡେମୀ କାର୍ଯ୍ୟକାରୀ ସମିତି ସଭ୍ୟ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଭିନ୍ନ ଅଧିକାରୀ, ଶିଳ୍ପୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.