Home Top News ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ : ଯୋଗଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ : ଯୋଗଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭ୍ୟ

88

ଏହି କଲେଜରର ୧୦୦ଟି ଆସନ ସହିତ ଓଡିଶାରେ MBBS ଆସନ ସଂଖ୍ୟା ହେଲା ୧୨୫୦
ପୁରୀ ଜ଼ିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିବସ – ମୁଖ୍ୟମନ୍ତ୍ରୀ
ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟସେବା ପାଇଁ ପ୍ରତିଶୃତିବଦ୍ଧ ହୋଇ କାମ କରିବାକୁ ପରାମର୍ଶ ଦେଲେ
ପୁରୀ ୧୧-୪ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ପୁରୀ ଜ଼ିଲ୍ଲା ପାଇଁ ଏକ ଐତିହାସିକ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା।

ଏହି କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧୦୦ଟି MBBS ଆସନ ରହିଛି। ଏହାଦ୍ବାରା ବର୍ତ୍ତମାନ ସାରା ରାଜ୍ୟରେ ୮ଟି ସରକାରୀ ମେଡିକାଲ କଲେଜର ସମୁଦାୟ MBBS ଆସନ ସଂଖ୍ୟା ୧୨୫୦କୁ ବୃଦ୍ଧି ପାଇଛି।

କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମରେ ଏହି କଲେଜ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପୁରୀର ଶ୍ରୀ ସମ୍ବିତ ନାୟକ, ରାଜସ୍ଥାନର ପ୍ରଗତୀ ମୀନା ଓ ଓଡିଶାର ଶ୍ରୀ ସିଦ୍ଧାର୍ଥ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଭାଗ ନେଇ ପୁରୀରେ ପଢିବାର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରି ଭବିଷ୍ୟତରେ ଚିକିତ୍ସା ସେବା କ୍ଷେତ୍ରରେ ପ୍ରତିଶୃତିବଦ୍ଧ ହୋଇ କାମ କରିବେ ବୋଲି କହିଥିଲେ। ପିଲାମାନେ କଲେଜର ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ।

ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭ୍ୟ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଭଲ ପାଠ ପଢିବା ସହିତ ଦେଶର ଗ୍ରାମାଂଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟର ସବୁଠାରୁ ଗରିବ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ମଧ୍ୟ ମେଡିକାଲ ପାଠ ପଢିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି।

ଆଲୋଚନାରେ ଭାଗ ନେଇଥିବା ମେଡିକାଲ ଛାତ୍ର ବାଲେଶ୍ବର ଜିଲ୍ଲାର ଶ୍ରୀ ରାଧାବଲ୍ଲଭ ବେହେରା ଜଣେ ଭାଗଚାଷୀଙ୍କ ପୁଅ। ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରି ସେ କହିଥିଲେ ଯେ ଆଜି ଏଥିପାଇଁ ସେ MBBS ପାଠ ପଢିବାର ସୁଯୋଗ ପାଇଛନ୍ତି। ସେହିପରି ମୟୁରଭଂଜ ଜିଲ୍ଲାର ଶ୍ରୀ ଭଟ୍ଟ ହେମ୍ବ୍ରମ ମଧ୍ୟ ଜଣେ ଅତି ଗରିବ ପରିବାର ପିଲା। ତାଙ୍କ ବାପମା ଉଭୟ ଦିନ ମଜୁରିଆ। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସେ ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରିଥିଲେ।

ମେଡିକାଲ କଲେଜ ସହିତ ୬୫୦ ଆସନ ବିଶିଷ୍ଟ ଏକ ସାତ ମହଲା ବିଶିଷ୍ଟ ଶିକ୍ଷା ହସ୍‌ପିଟାଲ ନିର୍ମାଣ ପାଇଁ ମଧ୍ୟ କାମ ଚାଲିଛି। ଏହି ଶିକ୍ଷା ହସ୍‌ପିଟାଲ ଜୁଲାଇ ୨୦୨୩ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ବର୍ତ୍ତମାନ ଏହି କଲେଜ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିକ୍ଷା ହସ୍‌ପିଟାଲ ଭାବେ କାର୍ଯ୍ୟ କରୁଛି। ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଏହି ମେଡିକାଲ କଲେଜ ଓ ହସ୍‌ପିଟାଲ ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ, ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡାମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା, ସାଂସଦ ଶ୍ରୀ ପିନାକୀ ମିଶ୍ର, ପୁରୀ ଜିଲ୍ଲାର ବିଧାୟକଗଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.