Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇ-ସାର୍ଟିଫିକେଟ ଓ ମୋବାଇଲ ପାଉତି ଆପ୍ ର ଶୁଭାରମ୍ଭ – ବାସସ୍ଥାନ, ଆୟ...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇ-ସାର୍ଟିଫିକେଟ ଓ ମୋବାଇଲ ପାଉତି ଆପ୍ ର ଶୁଭାରମ୍ଭ – ବାସସ୍ଥାନ, ଆୟ ସାର୍ଟିଫିକେଟ ସ୍ୱ-ଘୋଷିତ ତଥ୍ୟ ଆଧାରରେ ମିଳିବ, ଆଗାମୀ ଦିନରେ ଆହୁରି ଅନେକ ସୁବିଧା ସାମିଲ ହେବ

765

ଏହିସବୁ ସାର୍ଟିଫିକେଟ ଲୋକଙ୍କ ଅଧିକାର, ତେଣୁ ଏହା ସଂପୂର୍ଣ୍ଣ ମାଗଣାରେ ଦିଆଯିବ – ମୁଖ୍ୟମନ୍ତ୍ରୀ
Solvency Certificate ବ୍ୟବସ୍ଥା ଉଚ୍ଛେଦ
ଭୁବନେଶ୍ୱର ୨୮.୧୨ (ଓଡ଼ିଆ ପୁଅ) ରାଜସ୍ୱ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଲୋକସେବା ଭବନରେ ମୋବାଇଲ ପାଉତି ଆପ୍ ଓ ଇ-ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଭିଡିଓ କନ୍ଫରେନ୍ସି ଜରିଆରେ କରିଛନ୍ତି। ଏହାଦ୍ବାରା ଲୋକମାନେ ଘରେ ବସି ମୋବାଇଲ ଆପ୍ ଜରିଆରେ ଜମିଜମାର ଖଜଣା ପ୍ରଦାନ କରି ପାଉତି ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟୋଗ ସାରା ଦେଶରେ ଏହା କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ।

କେବଳ ସେତିକି ନୁହେଁ, ରାଜସ୍ୱ ପ୍ରଶାସନକୁ ପ୍ରକୃତ ଭାବେ ଲୋକାଭିମୁଖୀ କରିବା ପାଇଁ ବାସସ୍ଥାନ, ଆୟ ତଥା ଅନ୍ୟାନ୍ୟ ସାର୍ଟିଫିକେଟ ସବୁ ହିତାଧିକାରୀଙ୍କ ସ୍ୱଘୋଷିତ ତଥ୍ୟ ଉପରେ (Self Certification) ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଏହିସବୁ ସାର୍ଟିଫିକେଟ ଗୁଡିକ ହିତାଧିକାରୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ସାର୍ଟିଫିକେଟ ଗୁଡିକ ପାଇବା ଲୋକମାନଙ୍କର ଅଧିକାର। ତେଣୁ ଏହିସବୁ ସାର୍ଟିଫିକେଟ ଗୁଡିକୁ ପାଇବା ପାଇଁ ହିତାଧିକାରୀଙ୍କୁ କୌଣସି ଦେୟ ପ୍ରଦାନ କରିବାକୁ ପଡିବ ନାହିଁ। ଏହାସହିତ Sovency Certificate ବ୍ୟବସ୍ଥାର ମଧ୍ୟ ଉଚ୍ଛେଦ କରାଗଲା।

ଆଗାମୀ ଦିନରେ ଆହୁରି ଅନେକ ସାର୍ଟିଫିକେଟ ସୁବିଧା ଏହି କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ଏବଂ ପ୍ରାପ୍ୟ ପାଇବା ପାଇଁ ଉତ୍ତରାଧିକାରୀ ସାର୍ଟିଫିକେଟ (Legal Her)ର ଆବଶ୍ୟକତା ଏଣିକି ରହିବ ନାହିଁ। କର୍ମଚାରୀଙ୍କ ସର୍ଭିସ ବୁକ entry ଅନୁଯାୟୀ ସେମାନଙ୍କ ଉତ୍ତରାଧିକାରୀମାନେ ସବୁପ୍ରକାର ସୁବିଧା ପାଇପାରିବେ।

ବୈଠକରେ ଏହି ମୋବାଇଲ ଆପ୍ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ଦୈନନ୍ଦିନ ଜୀବନରେ ଅଧିକ ସହଜତା (Ease of living) ଆଣିବା ପାଇଁ ସବୁ ସରକାରୀ ସେବା ଗୁଡିକୁ ଲୋକଙ୍କ ନିକଟକୁ ନେବା ପାଇଁ ଉଦ୍ୟମ ଜାରି ରହିଛି। ଏହିସବୁ ପଦକ୍ଷେପ ଲୋକଙ୍କ ସାଧାରଣ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀ ସୁଦାମ ମାଣ୍ଡି କରିଥିଲେ ଯେ ଏହି ପଦକ୍ଷେପ ଦ୍ଵାରା ରାଜସ୍ୱ ପ୍ରଶାସନ ଅଧିକ ଲୋକାଭିମୁଖୀ ହୋଇପାରିବ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ କହିଥିଲେ ଯେ ୫-ଟି କାର୍ଯ୍ୟକ୍ରମ ଲୋକଙ୍କ ଦୈନନ୍ଦିନ ଚଳଣୀରେ ବହୁତ ସୁବିଧା ଆଣିପାରିଛି ଏବଂ ଦେଶରେ ଏଭଳି ସୁବିଧା ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ରାଜ୍ୟରେ ଉପଲବ୍ଧ ହୋଇନାହିଁ।

ମାତ୍ର ୪ ମାସ ମଧ୍ୟରେ ଏହି ଉଦ୍ୟମର କଳ୍ପନା କରାଯିବା ସହିତ କାର୍ଯ୍ୟକାରୀ ହୋଇପାରିଥିବାରୁ ୫-ଟି ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଭବିଷ୍ୟତରେ ବିବାହ ପ୍ରମାଣ ପତ୍ର ସମେତ ଅନ୍ୟାନ୍ୟ ସୁବିଧା କିପରି ଲୋକମାନେ ସହଜରେ ପାଇପାରିବେ, ସେ ସଂପର୍କରେ ମତାମତ ଜଣାଇବା ପାଇଁ ଜିଲ୍ଲାପାଳ ଓ କର୍ମଚାରୀ ମାନଙ୍କ ପରାମର୍ଶ ଆହ୍ବାନ କରିଥିଲେ।

ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀ ସୁଦାମ ମାଣ୍ଡି, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଉପଦେଷ୍ଟା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ, ୫-ଟି ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.