Home ଜିଲ୍ଲା ପରିକ୍ରମା ମିଳିଲାନି ସରକାରୀ ସହାୟତା, ଆଖି ବୁଜିଲେ କିଡିନି ଆକ୍ରାନ୍ତ

ମିଳିଲାନି ସରକାରୀ ସହାୟତା, ଆଖି ବୁଜିଲେ କିଡିନି ଆକ୍ରାନ୍ତ

14

ହାଟଡ଼ିହି, ୬ । ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ଉପଯୁକ୍ତ ଚିକିତ୍ସା ପାଇଁ ସରକାରୀ ସହାୟତା କୁ ଚାହିଁ ବସିଥିବା କିଡିନି ଆକ୍ରାନ୍ତ ହଳଧର ବେହେରା ଶେଷରେ ଆଖି ବୁଜିଲେ । ବହୁତ ଆଶା ନେଇ ବାରମ୍ବାର ସେ ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ କେବଳ ପ୍ରତିଶୃତି ବିନା ଆଉ କିଛି ମିଳି ନଥିଲା । କିଡିନି ଆକ୍ରାନ୍ତ ହଳଧର ବେହେରା ଶେଷରେ ସରକାରଙ୍କ ଠାରୁ କୌଣସି ଚିକିତ୍ସା ସହାୟତା ନପାଇ ଆଜି ଆଖି ବୁଜିଛନ୍ତି ।
ଖବରରୁ ଜଣାଯାଇଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ କାହାଳିଆଗଡିଆ ଗ୍ରାମର ହଳଧର ବେହେରା ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ସେ ୧୯୯୬ରେ ଏମ.ଏ ବି.ଇ.ଡି ଶିକ୍ଷା ଲାଭ କରିସାରିବା ପରେ ଓଡିଶାରେ ଚାକିରି ନପାଇବାରୁ ଦିଲ୍ଲୀ ଯାଇ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଭାବେ କାମ କରିଥିଲେ । ଏପରିକି ସେ ନିଜର ସ୍ତ୍ରୀ ଓ ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ସେଠାରେ ରହୁଥିଲେ । ସିକ୍ୟୁରିଟି କାମ ସହିତ ନିଜେ ଦୁଇଓଳି ଟିଉସନ କରି ଯାହା ପାଉଥିଲେ ସେଥିରେ ପରିବାରଟି ଚଳିଯାଉଥିଲା । ମାତ୍ର ଭାଗ୍ୟର ବିଡମ୍ବନା ଯେ ସେ ଗତ ୨୦୧୯ରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାପରେ ସେ କିଡିନି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଲା । ସେ ରାମ ମନୋହର ଲୋହିଆ ହସପିଟାଲ, ଆପୋଲୋ ହସପିଟାଲ, ଲାଲବାହାଦୁର ଶାସ୍ତ୍ରୀ ହସପିଟାଲ, ଧର୍ମଶାଳା ହସପିଟାଲ ପ୍ରଭୃତିରେ ଚିକିତ୍ସା କରାଉଥିଲେ । ପାଖରେ ଅର୍ଥ ନଥିବାରୁ ଉପଯୁକ୍ତ ଚିକିତ୍ସା ସେବାରୁ ବଞ୍ଚିତ ହୋଇ ସେ ଘରକୁ ପଳାଇଆସି ଭୁବନେଶ୍ୱର, କଟକର ବିଭିନ୍ନ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବାପରେ ଗ୍ରାମବାସୀଙ୍କ ସହଯୋଗରେ ସେ ଭଦ୍ରକରେ ଏକ ଘରୋଇ ଡାକ୍ତରଖାନାରେ ମାସକୁ ୫ହଜାର ଖର୍ଚ୍ଚ କରି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିଲେ । ଘରେ ଜମିବାଡି ନଥିବାବେଳେ ଉପଯୁକ୍ତ ଚିକିତ୍ସା ସହିତ ଖାଇବା ପିଇବା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ସେ ବାରମ୍ବାର ପ୍ରଶାସନ ନିକଟରେ ସହାୟତା ପାଇଁ ଅର୍ାକୁଳ ନିବେଦନ କରୁଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକାରୀମାନେ ତାଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚରା ଉଚୁରା କରିବା ସହିତ ସମସ୍ତ ଡାକ୍ତରଖାନାର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ । କାଗଜପତ୍ର ଜିଲ୍ଲାପାଳଙ୍କ ନିକଟକୁ ଯାଇ ଅନୁମୋଦିତ ହେବାପରେ ତୁମକୁ ସହାୟତା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ଆଜକୁ ତିନିମାସ ବିତିଯାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି ସହାୟତା ପାଇପାରିଲେ ନାହିଁ । ଫଳରେ ନିଜ ଭାଗ୍ୟକୁ ଆଦରି ବହୁ ଦୁଖଃ କଷ୍ଟରେ ଘରେ ପଡି ରହିଥବବାବେଳେ ଗତକାଲି ରାତିରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲାବେଳେ ଆଜି ସକାଳ ୫ଟା ୩୦ମିନିଟ ସମୟରେ ସେ ମୃତ୍ୟୁବରଣ କରିଥିଲେ । ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା ମାନ କରୁଥିବା ଡିଣ୍ଡିମ ପିଟୁଥିବାବେଳେ ତାହା ବାସ୍ତବ ପକ୍ଷେ କାର୍ଯ୍ୟକାରୀ ହେଉନି ଓ ତାହା କେବଳ ପ୍ରହସନ ବୋଲି ତାଙ୍କର ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ହଳଧରଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.