ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସପ୍ତମାତୃକା ବେଶର ଚତୁର୍ଥ ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଦୁର୍ଗତିନାଶିନୀ, ବିପଦହାରିଣୀ ମା ଦୁର୍ଗା ସିଂହବାହିନୀ ବେଶରେ ପୂଜପାଇଚନ୍ତି। ମା ଙ୍କର ଏହି ସିଂହବାହିନୀ ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତ ମାନଙ୍କର ଭିଡ ଲାଗି ରହିଥିଲା। ସିଂହବାହିନୀ ବେଶରେ ମା ନାଲି ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ସହିତ ବିଭିନ୍ନ ଆଭୂଷଣରେ ସଜାଇ ହୋଇଥିଲେ। ସିଂହର ପୃଷ୍ଠ ଦେଶରେ ବିରାଜ ମାନ କରି ତ୍ରିଶୂଳ,ଗଦା, ଖଡଗ ଓ ଚକ୍ର ଧାରଣ କରିଥିଲେ। ମା ଙ୍କ ର ଚତୁର୍ଦ୍ଧା ମୂର୍ତୀ ଭକ୍ତ ମାନଙ୍କୁ ଆକୃଷ୍ଟ କରିଥିଲା। ସିଂହବାହିନୀ ବେଶରେ ଦର୍ଶନ କଲେ ଭକ୍ତର ଗ୍ରହ ଦଶା ଓ ରିଷ୍ଟ ଖଣ୍ଡନ ହେବା ସହିତ ଭକ୍ତ ବିପଦ ମୁକ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। ମା ଭଦ୍ରକାଳୀଙ୍କ ଏହି ପବିତ୍ର ପୀଠ ଭାରତ ବର୍ଷ ର ଅନ୍ୟ ଶକ୍ତି ପିଠ ଠାରୁ ଅନନ୍ୟ ଅଟେ କାରଣ ଏହି ପୀଠ ରେ ପାର୍ଶ୍ୱ ଦେବତା ରୁପେ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ପୂଜା ପାଉଛନ୍ତି। ଗୋଟିଏ ପାର୍ଶ୍ୱରେ ବିଷ୍ଣୁ ଅନ୍ୟ ପାର୍ଶ୍ୱ ରେ ପରମ ବୈଷ୍ଣବୀ ମା ଭଦ୍ରକାଳୀ ଅର୍ଥାତ ଗୋଟିଏ ପାର୍ଶ୍ୱରେ ମା ଦୁର୍ଗା ଅନ୍ୟ ପାର୍ଶ୍ୱ ରେ ମାଧବଙ୍କ ସମନ୍ୱୟ ରେ ଏହି ପୀଠକୁ ଐତିହାସିକ ମାନେ ଦୁର୍ଗାମାଧବ ପୀଠ ବୋଲି ବର୍ଣନା କରିଛନ୍ତି। ଏହି ଦୂର୍ଗା ମାଧବ ପୀଠ ରେ ମା ଆଜି ସିଂହବାହିନୀ ବେଶ କୁ ଧାରଣ କରି ଭକ୍ତ ମାନଙ୍କୁ ଅଭୟ ପ୍ରଦାନ କରିଛନ୍ତି। ମହାଯଜ୍ଞ ର ଚତୁର୍ଥ ଦିବସ ରେ ପୀଠରେ ଗୀତା ପାଠ, ଶତ ଚଣ୍ଡି ପାଠ, ବେଦପା ଠ, ନାମ ସଂକୀର୍ତନ ଚାଲୁରହିଛି। ସାନ୍ଧ୍ୟ ଦିବ୍ୟ ଆଳତୀ ପରେ ଶିଶୁ କଳାକାର ତଥା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ଭଜନ ଓ ଲୋକ ଗୀତ ରେ ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ନୃତ୍ୟ କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସୋମବାର ମା ଙ୍କର ଜଗଦ୍ଧାତ୍ରୀ ବେଶ ନିମନ୍ତେ ସେବାୟତ ମାନଙ୍କ ଦ୍ୱାରା ପ୍ରସ୍ତୁତି ଚୁଡାନ୍ତ ହୋଇଛି।