ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ମଧ୍ୟସ୍ଥଳୀ ବଙ୍କସାହି ଅଧୀନ ମା’ ବଙ୍କ ବାସୁଳି ମନ୍ଦିର ପାଚେରୀ ପାଶ୍ୱର୍ରେ ଥିବା ଆମେରିକାନ ବାପଟିଷ୍ଟ ମିଶନ ଚର୍ଚ୍ଚ କର୍ତୃପକ୍ଷ ସେଠାରେ ଏକ କବର ସ୍ଥାନ ନିମନ୍ତେ ଫଳକ ପୋତି ଚରମ୍ପା ଅଂଚଳରୁ ଶବ ଆଣିବା ପରେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ହିନ୍ଦୁ ଲୋକଙ୍କ ମଧ୍ୟରେ ତୀବ୍ର ଉତେଜନା ଦେଖାଦେଇଛି। ଏଠାରେ ସୂଚନାଯୋଗ୍ୟ ଦୀର୍ଘବର୍ଷ ଧରି ସନସାଇନ୍ ମିଶନ ସ୍କୁଲ ପରିସରରେ ମନମୋହନ ସଂଗୀତ ପରିଷଦ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା ହୋଇ ପ୍ରତିଦିନ ଛାତ୍ରଛାତ୍ରୀମାନେ ସେଠାକୁ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି। ଏହି ସଂଗୀତ ବିଦ୍ୟାଳୟ ଓ ବଙ୍କବାସୁଳୀ ମନ୍ଦିର ମଧ୍ୟସ୍ଥଳୀରେ ଆମେରିକାନ ବାପଟିଷ୍ଟ ମିଶନ ଚର୍ଚ୍ଚ ଟି ରହିଛି। କିନ୍ତୁ ହଠାତ୍ ଚର୍ଚ୍ଚ କର୍ତୃପକ୍ଷ ଚରମ୍ପା ଅଂଚଳରୁ ଏକ ମୃତଦେହ ଆଣି ଗାତ ଖୋଳି କବର ଦେବା ପୂର୍ବରୁ ସେଠାରେ କବରସ୍ଥାନ ଲେଖାଥିବା ବୋର୍ଡଟିଏ ପୋତି ଦେଇଥିଲେ। ସହରର ଆରାଧ୍ୟା ଦେବୀ ମା’ ବଙ୍କବାସୁଳୀଙ୍କ ପୀଠକୁ ଲାଗି ଓ ମନମୋହନ ସଂଗୀତ ପରିଷଦ ପାଶ୍ୱର୍ରେ ଏଭଳି କବରସ୍ଥାନ ଖୋଳାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଠାରେ ସୂଚନାଯୋଗ୍ୟ ଖ୍ରୀଷ୍ଟିୟାନ ମାନଙ୍କର ମୃତ୍ୟୁ ପରେ ଚରମ୍ପାରେ ଥିବା ଚର୍ଚ୍ଚ ନିକଟରେ କବରସ୍ଥାନ ରହି ସେଠାରେ ମୃତଦେହକୁ ସଂସ୍କାର କରାଯାଇଥାଏ। କିନ୍ତୁ ଆମେରିକାନ ବାପଟିଷ୍ଟ ଚର୍ଚ୍ଚ କର୍ତୃପକ୍ଷ ପ୍ରଶାସନ ଓ ପୁଲିସ୍ର ଅଜ୍ଞାତରେ ଏଭଳି ବୋର୍ଡ ଲଗାଇ ଶବକୁ କବରଦେବାର ପ୍ରୟାସ କରିବା ସଂପୂର୍ଣ୍ଣ ବେଆଇନ୍ ଓ ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ସଦୃଶ ବୋଲି ମନମୋହନ ସଂଗତୀ ପରିଷଦର ସଂପାଦକ ରାମନାରାୟଣ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି। ସନସାଇନ୍ ମିଶନ ସ୍କୁଲ କର୍ତୃପକ୍ଷଙ୍କ ସମେତ ବହୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଏଭଳି ଏକ ଶୈକ୍ଷିକ ଓ ମନ୍ଦିର ଭଳି ଧର୍ମାନୁଷ୍ଠାନ ନିକଟରେ କବରସ୍ଥାନ ନିର୍ମାଣ କରିବାକୁ ତୀବ୍ର ବିରୋଧ କରିଥିଲେ। ଶେଷରେ ପରିସ୍ଥିତି ଏଭଳି ହୋଇଥିଲା ଯେ ଚର୍ଚ୍ଚ କର୍ତୃପକ୍ଷ ବାଧ୍ୟହୋଇ ବୋର୍ଡଟିକୁ ହଟାଇବା ସହ ମୃତଦେହକୁ ଅନ୍ୟତ୍ର ନେଇଯାଇଥିଲେ। ଖବର ପାଇ ସହରାଂଚଳ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତକୁ ଆଣିଥିଲେ। ତେବେ ଏହି ଘଟଣାରେ ଆଜି ଶ୍ରୀରାମ ସେନାର ଜିଲ୍ଲା ସଭାପତି ହରିହର ଚାନ୍ଦ ଓ ମୁଖ୍ୟ ଉପଦେଷ୍ଟା ଜ୍ଞାନ ପାଣିଙ୍କ ନେତୃତ୍ୱରେ କାର୍ତିକ ରଣା, ସ୍ୱର୍ଣଲତା ମିଶ୍ର,ମଧୁସ୍ମିତା ଦାସ,ଗୋପାଳ ଦାସ, ମଠ ମହନ୍ତ ଅଚ୍ୟୁତାନନ୍ଦ ବ୍ରହ୍ମଚାରୀ ଓ ଶ୍ରୀରାମ ସେନାର ସଦସ୍ୟ/ସଦସ୍ୟା ମାନେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ଭେଟି ଏକ ଦାବିପତ୍ର ଦେବା ପରେ ଜିଲାପାଳ ଶ୍ରୀ ରାଉତରାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀରାମ ସେନାକୁ ପ୍ରତିଶ୍ରୁତି ଦେଇଛନ୍ତି ।
Home ଜିଲ୍ଲା ପରିକ୍ରମା ମା’ ବଙ୍କବାସୁଳୀ ମନ୍ଦିର ପାଶ୍ୱର୍ରେ କବରସ୍ଥାନ ବୋର୍ଡ ମାରି ଶବ ପୋତିବାକୁ ନେଇ ଉତେଜନା, ଚର୍ଚ୍ଚର...