Home ଜିଲ୍ଲା ପରିକ୍ରମା ମା’ ଦୁର୍ଗାଙ୍କ ଆବାହନୀରେ ପ୍ରକମ୍ପିତ ଭଦ୍ରକ ସହର, ଏଥର ୫୮ଟି ମେଢ

ମା’ ଦୁର୍ଗାଙ୍କ ଆବାହନୀରେ ପ୍ରକମ୍ପିତ ଭଦ୍ରକ ସହର, ଏଥର ୫୮ଟି ମେଢ

14

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟତମ ଶକ୍ତିପୀଠ ଭଦ୍ରକ ଜିଲାର ବିଭିନ୍ନ ଅଂଚଳରେ ପୂଜା ମଣ୍ଡପ ଓ ପୀଠମାନଙ୍କରେ ମା’ ଦୁର୍ଗାଙ୍କ ସପ୍ତମୀ ଓ ଅଷ୍ଟମୀ ପୂଜା ଆରମ୍ଭ ହୋଇଛି । ଭଦ୍ରକ ଅଂଚଳରେ ଶାରଦୀୟ ଦୁର୍ଗାପୂଜା ପାଳନ ଦୀର୍ଘବର୍ଷ ଧରି ପରମ୍ପରା କ୍ରମେ ହୋଇଆସୁଅଛି । ବିଶେଷତଃ ବଙ୍ଗୀୟମାନେ ବସବାସ କରୁଥିବା ଏହି ଜିଲାର କେତେକ ପ୍ରମୁଖ ଅଂଚଳରେ ବିଗତ ୨ ଶହ ବର୍ଷ ଧରି ବଙ୍ଗୀୟ ପରମ୍ପରା କ୍ରମେ ଏହା ପାଳିତ ହୋଇଆସୁଥିବା ବିଭିନ୍ନ ପୂଜା କମିଟିର ବହୁ ପୁରୁଣା କର୍ମକର୍ତାମାନେ କହନ୍ତି । ବର୍ଷକୁ ବର୍ଷ ରଙ୍ଗ ବଦଳୁଛି ପାର୍ବଣର । ମୂର୍ତି ମେଢ ସାଜସଜ୍ଜାରେ ବି ପରିବର୍ତନର ରଙ୍ଗ ଲାଗିଛି । ଭଦ୍ରକ ଜିଲାରେ ଶାରଦୀୟ ଦୁର୍ଗାପୂଜା ପାଳନର ପୃଷ୍ଠଭୂମିର ଯଥେଷ୍ଟ ଭୂମିକା ରହିଛି । ବଙ୍ଗୀୟମାନେ ଯେଉଁଠି ବସବାସ କରିଛନ୍ତି, ସେଠାରେ ଶକ୍ତି ସ୍ୱରୂପିଣୀ ଦୁର୍ଗାପୂଜା ଆରମ୍ଭ ହୋଇଛି । ସହରର ବାଉଦପୁର, ଜାନୁଗଞ୍ଜ, ଗାନ୍ଧିପଡିଆ, ସନ୍ଥିଆ, ସଂଗତ, ବାଙ୍କା ବଜାର, ମାଟିଆପାଳରେ କେତେକ ବଙ୍ଗୀୟ ପରିବାରର ନେତୃତ୍ୱରେ ଏହିସବୁ ପୂଜା ଆରମ୍ଭ ହୋଇଥିଲା । କାଳକ୍ରମେ ସହରର ବଙ୍କବାସୁଳୀ, ବାଇପାସ, ଚରମ୍ପା ହାଇସ୍କୁଲ ରୋଡ୍‌, ପ୍ରାଚୀନଗର, ଏରେଇଁ, ଅପର୍ତିବିନ୍ଧା, ଚନ୍ଦନବଜାର ପ୍ରଭୃତି ସାହି ବସ୍ତି ଓ ମନ୍ଦିର ମାନଙ୍କରେ ଜଗତଜନନୀ ମା’ଙ୍କ ଦୁର୍ଗାପୂଜା କରାଯାଇଛି । ତେବେ ଚଳିତବର୍ଷ ନୂଆମେଢ କେଉଁଠି ହୋଇନାହିଁ । ଭଦ୍ରକ ସହରାଂଚଳରେ ଏଥର ୩ଟି ଥାନା ଅଂଚଳରେ ୫୮ ଟି ମେଢ ଓ ସାରା ଜିଲାରେ ୧୧୪ ଟି ମେଢ ପୂଜା ପାଉଛି । ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ତରଫରୁ କଡା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ନିରାପତା ବ୍ୟବସ୍ଥାରେ ୧୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛି ।
ସହରର ପ୍ରଥମ ପୂଜା ମଣ୍ଡପ ଜାନୁଗଞ୍ଜ :-
୧୮୩୨ ମସିହାରୁ ପ୍ରଥମେ ଗୋଟିଏ ମାଟିଘରେ ମା’ ଦୁର୍ଗାଙ୍କୁ ପୂଜା କରାଯାଇଥିଲା । ପରେ ଗ୍ରାମବାସୀଙ୍କ ତରଫରୁ ୧୯୦୩ ରେ ଏହି ପୂଜା ପକ୍କାଘରକୁ ସ୍ଥାନାନ୍ତରିତ ହୋଇଥିଲା । ଏହା ସହରର ସର୍ବପ୍ରଥମ ପୂଜା ବୋଲି କୁହାଯାଉଛି । ଗ୍ରାମବାସୀଙ୍କ ଆଦାୟ ଅର୍ଥରେ ଏହି ପୂଜା ପାଳନ ହୁଏ ।
ସନ୍ଥିଆ ୩୦୦ ବର୍ଷର ପୂଜା :-
ଐତିହାସିକ ଧାର୍ମୀୟ ଚେତନାର ପୀଠ ସନ୍ଥିଆରେ ୩୦୦ ବର୍ଷ ଧରି ମା’ଙ୍କ ପୂଜା ପାଳିତ ହୋଇଆସୁଛି । ଏହା ସହରର ପ୍ରଥମ ଦୁର୍ଗାପୂଜା ବୋଲି ଦାବି କରନ୍ତି ପୂଜା ଆୟୋଜକ ଆଶିଷ ଗୋସ୍ୱାମୀ । ଏବେକାର ପୂଜା ମଣ୍ଡପ ନିକଟରେ ଥିବା ଏକ ବକୁଳ ଗଛ ନିକଟରେ ବସବାସ କରୁଥିବା ବୁଢି ଯାହାଙ୍କୁ ବକୁଳ ବୁଢି ଡାକନ୍ତି, ପ୍ରଥମେ ସେ ମା’ଙ୍କ ଦୁର୍ଗାପୂଜା ଆରମ୍ଭ କରିଥିଲେ । ତାଙ୍କ ଦେହାନ୍ତ ପରେ ଏଠାରେ ବସବାସ କରୁଥିବା ବଙ୍ଗୀୟ ପରିବାର ମାନେ ଏହି ଦୁର୍ଗାପୂଜା ଆୟୋଜନ କରିଆସୁଛନ୍ତି ବୋଲି କୁହନ୍ତି ପୂଜା କମିଟିର ପ୍ରମୁଖ ବ୍ୟକ୍ତି କେଦାର ଭଟ୍ଟାଚାର୍ଯ୍ୟ ।
ସଙ୍ଗତର ଦୁର୍ଗାପୂଜା :-
ପୁରୁଣାବଜାର ଥାନା ଅଂଚଳର ସଙ୍ଗତ ଠାରେ ହୋଇଆସୁଥିବା ମା’ ଦୁର୍ଗାଙ୍କ ପୂଜା ୨୦୦ ବର୍ଷରୁ ଉର୍ଦ୍ଧ୍ୱ ବୋଲି ସେଠାକାର ସ୍ଥାନୀୟ ଲୋକ କୁହନ୍ତି । ମିଶ୍ର ପରିବାର ଉଦ୍ୟମରେ ପାଳିତ ହୋଇଆସିଥିବା ପୂଜାର ବିଶ୍ୱେଷତ ହେଲା ମା’ଙ୍କର ନିରାଡମ୍ବର ପୂଜାର୍ଚ୍ଚନା । ସାଜସଜ୍ଜା ଅପେକ୍ଷା ରୀତିନୀତି ଓ ପୂଜା ଅର୍ଚ୍ଚନାକୁ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।
ବାଙ୍କା ଛକରେ ୨୦୦ ବର୍ଷର ପୂଜା :-
ବାଙ୍କା ବଜାରରେ ସାର୍ବଜନୀନ ପୂଜା କମିଟି ତରଫରୁ ଏହା ପାଳନ କରାଯାଉଛି । ପ୍ରଥମେ ଏହି ଅଂଚଳରେ ବସବାସ କରୁଥିବା ବଙ୍ଗୀୟ ଗୁପ୍ତ ନାମଧାରୀ ପରିବାର ଏହି ପୂଜା ଆରମ୍ଭ କରିଥିଲେ । ପରେ ବାଙ୍କାବଜାର, ଘଡେଇସାହି, ବେହେରା ସାହିର ଲୋକେ ଘର ଘର ଚାନ୍ଦା ଆଦାୟ କରି ଏହି ପରମ୍ପରାକୁ ବଜାୟ ରଖିଆସୁଛନ୍ତି ।
ମା’ ବଙ୍କବାସୁଳୀ ମେଢ –
ସହରର ଆରାଧ୍ୟା ଦେବୀ ମା’ ବଙ୍କବାସୁଳୀଙ୍କ ପୀଠରେ ୬୭ ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇଆସୁଛି । ବଙ୍କସାହି ଅଂଚଳର ନନ୍ଦ ମହାନ୍ତିଙ୍କ ବ୍ୟକ୍ତିଗତ ଉଦ୍ୟମରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ବଙ୍କବାସୁଳୀ ପୂଜା କମିଟି ତରଫରୁ ପାରମ୍ପରିକ ରୀତିରେ ଓ ଆଡମ୍ବର ସହକାରେ ପୂଜା ପାଳିତ ହୋଇଆସୁଛି ବୋଲି ପୂଜା କମିଟିର ସଂପାଦକ ବ୍ରଜ କିଶୋର ଦାସ କୁହନ୍ତି ।
ଗାନ୍ଧିପଡିଆ ମେଢ –
ଭଦ୍ରକ ସହରର ମଧ୍ୟସ୍ଥଳୀ ଐତିହାସିକ ଗାନ୍ଧିପଡିଆ ଠାରେ ୭୫ ବର୍ଷ ଧରି ମା’ ଦୁର୍ଗାଙ୍କ ପୂଜା ହୋଇଆସୁଛି । ଏହି ପଡିଆଟିର ପଶ୍ଚିମ ପାଶ୍ୱର୍ରେ ଥିବା ସାଳନ୍ଦୀ ନଦୀକୂଳର ଏକ ସିମୁଳି ଗଛ ମୂଳରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା । ପରେ ଏହା ସ୍ଥାନୀୟ ମଣ୍ଡପକୁ ଅଣାଯାଇ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପାଳନ କରାଯାଉଛି ବୋଲି କୁହନ୍ତି କମିଟି ସଭାପତି ସୌମଭ କୁମାର ଦେ ।
ସାଳନ୍ଦୀ ବାଇପାସ୍ ଦୁର୍ଗାପୂଜା-
ସାଳନ୍ଦୀ ବାଇପାସ ଠାରେ ୧୬ ବର୍ଷ ଧରି ପାଳିତ ହୋଇଆସୁଛି । ସ୍ଥାନୀୟ କାନ୍ତକବି ନଗର, ଗୋପବନ୍ଧୁ ନଗର ଅଂଚଳର ଯୁବଗୋଷ୍ଠୀଙ୍କ ଉଦ୍ୟମରେ ଏହି ପୂଜା ଆରମ୍ଭ କରାଯାଇଛି । ମା’ ଦୁର୍ଗାଙ୍କ ସହ ଅନ୍ୟାନ୍ୟ ଦେବାଦେବୀ ଓ ବାରୁଆଳୀ ନିର୍ମାଣ କରାଯିବା ସହ ସାଜସଜ୍ଜା ବେଶ୍ ଆକର୍ଷଣ ହୋଇଛି । ଏହି ଅଂଚଳର ଦୁର୍ଗାପୂଜା ନଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗରେ ଏଠାରେ ଦୁର୍ଗାପୂଜା ଆରମ୍ଭ କରାଯାଇଛି ବୋଲି କୁହନ୍ତି ପୂଜା କମିଟିର ସଭାପତି ଗୋପାଳ ଚନ୍ଦ୍ର ନାୟକ ଓ ସଂପାଦକ ଭବତୋଷ ଦାସ କୁହନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.