Home ଜିଲ୍ଲା ପରିକ୍ରମା ମା’ ଦକ୍ଷିଣେଶ୍ୱର କାଳୀଙ୍କର ତ୍ରୟୋଦଶ ବାର୍ଷିକ ଜନ୍ମୋତ୍ସବ

ମା’ ଦକ୍ଷିଣେଶ୍ୱର କାଳୀଙ୍କର ତ୍ରୟୋଦଶ ବାର୍ଷିକ ଜନ୍ମୋତ୍ସବ

25

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ମଠସାହି ନୂଆବସ୍‌ଷ୍ଟାଣ୍ଡ ନିକଟସ୍ଥ ମା’ ଆଦ୍ୟାଶକ୍ତି ଦକ୍ଷିଣେଶ୍ୱର କାଳୀଙ୍କର ତ୍ରୟୋଦଶ ବାର୍ଷିକ ଜନ୍ମୋତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଛି । ଏହା ତିନିଦିନ ଧରି ପାଳିତ ହୋଇଛି । ୧୫ ତାରିଖ ପ୍ରଥମ ଦିନରେ ସୂର୍ଯ୍ୟାଗ୍ନି ଆହରଣ ଓ ଅଧିବାସ କର୍ମ ସହ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ସକାଳ ୮.୪୫ ରେ କଳସ ଶୋଭାଯାତ୍ରା ପରେ ଯଥାରୀତି ଅନୁଯାୟୀ ମା’ ଙ୍କର ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା ୧୬ ତାରିଖ ଦ୍ୱିତୀୟ ଦିନରେ ମା’ଙ୍କ ମହାସ୍ନାନ ପରେ ଯଥାରୀତିନୀତି ପୂଜାର୍ଚ୍ଚନା ମହାଯଜ୍ଞ, ଶ୍ରୀମଦଭାଗବତ ଗୀତା ପାରାୟଣ, ସପ୍ତଶତୀ ଚଣ୍ଡିପାଠ, ହନୁମାନ ଚାଳିଶା, ଯଜ୍ଞକର୍ମ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜିର ତୃତୀୟ ଦିନରେ ସପ୍ତସତୀ ଚଣ୍ଡିପାଠ, ଯଜ୍ଞକର୍ମ ଓ ପ୍ରସାଦ ସେବନ ପରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା । । ତେବେ ମୁଖ୍ୟ ପୁରୋଧା ସତ୍ୟ ଦାସଙ୍କ ସଂଚାଳନାରେ ଏହି ପୂଜା କର୍ମ ଆୟୋଜିତ ହୋଇଥିଲା । ତିନିଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ବସନ୍ତ ଆଚାର୍ଯ୍ୟ, ଅଗ୍ନୀ ହୋତ୍ରୀ ଭୈରବାନନ୍ଦ ସରସ୍ୱତୀ, ଦେବେନ୍ଦ୍ର ଭଟ୍ଟାଚାର୍ଯ୍ୟ, ଅଜୟ ପାଣି, ବ୍ରଜେନ୍ଦ୍ର ତ୍ରିପାଠୀ, ବିଜୟ କର, ଅମୟ ରାଉତ, ଉମାଶଙ୍କର ମହାନ୍ତି, ପ୍ରତାପ ଦାସ, ରାମନାରାୟଣ ମହାନ୍ତି, ଅରୁଣ ନାୟକ, ହେମନ୍ତ ପଣ୍ଡା, ଅନନ୍ତ ରାଉତରାୟ, ରମାକାନ୍ତ ଜେନା, ନୀଳାମ୍ବର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ମା’ଙ୍କର ଏହି ଜନ୍ମୋତ୍ସବରେ ଭଦ୍ରକ ସହର ସମେତ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଭଦ୍ରକର ପ୍ରସିଦ୍ଧ ଏହି ମା’ ଆଦ୍ୟଶକ୍ତି ଦକ୍ଷିଣେଶ୍ୱର କାଳୀଙ୍କ ପ୍ରତିଷ୍ଠା ଇତିହାସ ବେଶ୍ ସ୍ମରଣୀୟ । ସ୍ଥାନୀୟ କୁଆଁସ ଗ୍ରାମ ନିବାସୀ ସତ୍ୟନାରାୟଣ ଦାସ ସହରର ଜଣେ ପ୍ରତିଷ୍ଠିତ ମୋଟର ସାଇକେଲ ମେକାନିକ୍ ଅଟନ୍ତି । ନିଜ ବ୍ୟବସାୟ କରିବା ମଧ୍ୟରେ ହଠାତ୍ ଦିନେ ସେ ମା’ଙ୍କର ସ୍ୱପ୍ନାଦେଶ ପାଇ ଦୀର୍ଘଦିନରୁ ଶ୍ମଶାନଭାବେ ବ୍ୟବହୃତ ମଠସାହିର ଏକ ସ୍ଥାନକୁ ମନ୍ଦିର ପାଇଁ ମନୋନୀତ କରିଥିଲେ । ଏହି କଥା ସେ ଭାଗବତ କର ନାମକ ଜନୈକ ବ୍ୟକ୍ତିଙ୍କୁ କହିବାରୁ ସେ ସେହି ସ୍ଥାନରେ ଥିବା ତାଙ୍କର କିଛି ଜମିକୁ ଦାନ କରିଥିଲେ । ସେହିଦିନଠାରୁ ସତ୍ୟନାରାୟଣ ନିଜ ବ୍ୟବସାୟକୁ ପଛକରି ମା’ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର କାର୍ଯ୍ୟରେ ଲାଗିଗଲେ । ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ସେ ଆଉକିଛି ଜମି କ୍ରୟ କରି ଗତ ୨୦୦୨ ମସିହାରେ ମନ୍ଦିରର ଶୁଭ ଦେବା ସ୍ଥାନ ଚିହ୍ନଟ ନେଇ ଚିନ୍ତାରେ ପଡ଼ିଥିବାବେଳେ ଶୁଭ ଦେବା ଦିନହିଁ ଦୁଇଟ ଷଣ୍ଢ ସଂପୃକ୍ତ ଜମିର ଗୋଟିଏ ସ୍ଥାନରେ ଶିଙ୍ଘ ଦ୍ୱାରା ମାଟି ତାଡ଼ୁଥିବାର ସେ ଲକ୍ଷ୍ୟ କରିଥିଲେ । ତା’ ପରଠାରୁ ସତ୍ୟନାରାୟଣ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ମା’ଙ୍କର ନିର୍ଦ୍ଦେଶ ଭାବି ଷଣ୍ଢ ତାଡ଼ିଥିବା ସ୍ଥାନରେ ସେ ଯେଉଁ ମନ୍ଦିରର ଶୁଭ ଦେଇଥିଲେ, ତାହା ଦୀର୍ଘ ଛ’ ବର୍ଷରେ ଶେଷ ହୋଇଥିଲା । ଏହାପରେ ୨୦୦୨ ମାର୍ଚ୍ଚ ମାସ ୭ତାରିଖରେ ଖିଚିଂରୁ ଆସିଥିବା ମା’ଙ୍କ ମୂର୍ତ୍ତିକୁ ସେଠାରେ ପ୍ରତିଷ୍ଠା କରାଯାଇଥିଲା । ଏହି ମନ୍ଦିର ନିର୍ମାଣ ଓ ମା’ଙ୍କ ପ୍ରତିଷ୍ଠାରେ ସେତେବେଳେ ପ୍ରାୟ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବେ ତାହା କୋଟିଏରୁ ପାରି ହୋଇଗଲାଣି । ଏସବୁ ବ୍ୟୟ ସଂପର୍କରେ ପଚାରିଲେ ସବୁକିଛି ମା’ଙ୍କ କରୁଣାରୁ ସମ୍ଭବ ହୋଇଛି ବୋଲି କହନ୍ତି ସତ୍ୟନାରାୟଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.