ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଂଚାୟତ ପଦ୍ମପୋଖରୀ ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ କମଳିନୀ (କାଲୁଣୀ) ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ବୁଧବାର ଏପ୍ରିଲ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ ମେ ୩ ତାରିଖ ଶନିବାର ଉଦଯାପନ ହେବ। ପ୍ରଥମ ଦିବସରେ ଅଙ୍କୁରାରୋପଣ ଓ ଯଜ୍ଞାଧିବାସ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦ୍ୱିତୀୟ ଦିବସରେ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଯଜ୍ଞ କର୍ମ ଓ ମନ୍ଦିର ପ୍ରତିଷ୍ଠା ପରେ ଦେବୀଙ୍କ ବିଗ୍ରହ ପୁର୍ନପ୍ରତିଷ୍ଠା କରାଯାଇଥିଲା। ଏଥିସହ ପାର୍ଶ୍ୱ ଦେବଦେବୀ, ନବଗ୍ରହ ଆଦିଙ୍କୁ ସ୍ଥାପନା କରାଯାଇଥିଲା। ଏହି ଅବସରରେ ପଦ୍ମପୋଖରୀ ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ସ୍ଥାନୀୟ ଜୟ ନଈରୁ ଘଟୋତଳନ କରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବାର ପରେ ଯଜ୍ଞକୁଣ୍ଡ ନିକଟରେ ସ୍ଥାପନ କରାଯାଇଥିଲା। ଶୁକ୍ରବାର ତୃତୀୟ ଦିବସରେ ସୂର୍ଯ୍ୟ ପୂଜା, ଯଜ୍ଞକର୍ମ ଏବଂ ଉପଚାର ପୂଜା ଅନୁଷ୍ଠିତ ହୋଇଯାଇଛି। ଶନିବାର ସପ୍ତଶତୀ ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହେବ। ଯଜ୍ଞକାଣ୍ଡରେ ପଣ୍ଡିତ ରାଜେଶ ତ୍ରିପାଠୀ, ଅଶୋକ ଦାଶ, ରବୀନ୍ଦ୍ର ଦୀକ୍ଷିତ, ମନୋଜ ମିଶ୍ର, ସନ୍ତୋଷ ମିଶ୍ର, ବିଶ୍ୱଜିତ ପତି ସମ୍ପନ୍ନ କରିଥିଲେ। କର୍ତା ଭାବେ ସୁବାସ ଖଟୁଆ, କୈଳାଶ ଖଟୁଆ, ପର୍ଶୁରାମ ପାତ୍ର କାର୍ଯ୍ୟ ତୁଲାଇଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଓ ବିଧାୟକ ସୈ।ମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ମନ୍ଦିର କାରୁକାର୍ଯ୍ୟକୁ ପ୍ରଶଂସା କରିବା ସହ ଗ୍ରାମବାସୀଙ୍କୁ ସାଧୁବାଦ ଜଣାଇଥିଲେ। ଏଭଳି ଧର୍ମୀୟ କାର୍ଯ୍ୟରେ ସମସ୍ତେ ସାମିଲ ହୋଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ସୂଚନାଯୋଗ୍ୟ ମା’ କାଲୁଣୀ ଠାକୁରାଣୀ ଖଟୁଆ ପରିବାରକୁ ସ୍ୱପ୍ନାଦେଶ କରିବା ପରେ ମାଟି ତଳୁ ବାହାରିଥିଲେ। ଖଟୁଆ ପରିବାର ଏବଂ ଗ୍ରାମବାସୀଙ୍କ ସହଯୋଗରେ ଡିଗି ପଡ଼ିଆରେ ଏକ ମନ୍ଦିର ତୋଳାଯାଇ ମା’ ପୂଜା ପାଇ ଆସୁଥିଲେ। ସ୍ଥାନୀୟ ସମିତି ସଦସ୍ୟ ସୁଦୀପ୍ତ ଖଟୁଆଙ୍କ ଉଦ୍ୟମରେ ସରକାର ଏବଂ ବସନ୍ତ ଖଟୁଆ, ଜଗନ୍ନାଥ ଖଟୁଆ, ନିଧିଆନନ୍ଦ ସ୍ୱାଇଁ, ଜତୀନ ଖଟୁଆ, ଉମାକାନ୍ତ ସ୍ୱାଇଁ, ଅଜିତ ମହଲ, ଅରବିନ୍ଦ ବେହେରା, ତପ୍ତଦର୍ଶୀ ମହାନ୍ତି ଗ୍ରାମବାସୀଙ୍କ ସହଯୋଗରେ ଏହି ନୂତନ ମନ୍ଦିର ନିର୍ମାଣ ହୋଇଥିଲା।







