Home ଓଡ଼ିଶା ମାଲକାନଗିରି-କୋରାପୁଟ -ନବରଙ୍ଗପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ସହାୟତା ପ୍ରସଙ୍ଗ : ଲୋକ ଦେଖାଣିଆ ଘୋଷଣା...

ମାଲକାନଗିରି-କୋରାପୁଟ -ନବରଙ୍ଗପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ସହାୟତା ପ୍ରସଙ୍ଗ : ଲୋକ ଦେଖାଣିଆ ଘୋଷଣା – ଠୋସ୍ ପଦକ୍ଷେପ କିଛି ନାହିଁ : ବିଜେପି

155

– କୋରାପୁଟରେ ୧୧୨, ନବରଙ୍ଗପୁରରେ ୯୯ ଓ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲି, ଖୋଦ୍ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମୁଖ୍ୟମନ୍ତ୍ରୀ ଲୁଚାଇଛନ୍ତି କାହିଁକି?
– କୋରାପୁଟ ମେଡିକାଲ କଲେଜରେ ମାତ୍ର ୧୫ ଆଇସିୟୁ ବେଡ୍ ସମୁଦ୍ରକୁ ଶଙ୍ଖେ, ମେଡିସିନ୍, ପ୍ରଫେସର, ଆସିଷ୍ଟାଂଟ ପ୍ରଫେସର ପଦ ଆଜି ବି ଖାଲି
– କୋରାପୁଟ ମେଡିକାଲ କଲେଜର କାଜୁଆଲଟି ଏବେ ବି କାହିଁକି ଖୋଲିନି ?
– ରୋଗୀ କଲ୍ୟାଣ ସମିତିକୁ ଆର୍ଥିକ ସହାୟତା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଫଳତାର ପ୍ରମାଣ
– ତିନି ଜିଲ୍ଲାରେ ଗର୍ଭବତୀ ମା ଓ ନବଜାତକ ମୃତ୍ୟୁ ହାର ରାଜ୍ୟରେ ସର୍ବାଧିକ
– ମାଲକାନଗିରିରେ ଜାପାନୀ ଜର ଅଂଚଳରେ ଡାକ୍ତର ପଦବୀ ପୂରଣ ଯଥା ପୂର୍ବ ତଥା ପରଂ ସ୍ଥିତି

ଭୁବନେଶ୍ୱର, ୧୪/୧୦ (ଓଡ଼ିଆ ପୁଅ) : ମୋ ସରକାର ଯୋଜନା ପରିପ୍ରେକ୍ଷୀରେ ରାଜ୍ୟର ତିନି ପଛୁଆ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମଧାନରେ ସହାୟକ ହେବନାହିଁ ବରଂ ଏହା କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ମିଳିତ ପ୍ରେସ୍ ବିବୃତିରେ କହିଛନ୍ତି।

ବିଜେପିର ଏହି ତିନି ତୁଙ୍ଗ ନେତା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଗତ ବିଧାନସଭାରେ କୋରାପୁଟ ଜିଲ୍ଲାରେ ୧୧୨, ନବରଙ୍ଗପୁରରେ ୯୯ ଏବଂ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲିଥିବା ଲିଖିତ ଉତର ଦେଇଥିଲେ। ବିନା ଡାକ୍ତରରେ ନବୀନ ବାବୁ କି ରୋଗୀସେବା କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

କୋରାପୁଟ ମେଡିକାଲ କଲେଜରେ ଥିବା ମୋଟ ୧୫ଟି ଆଇସିୟୁ ବେଡ ମଧ୍ୟରୁ ମେଡିସିନ, ସର୍ଜରୀ ଓ ପେଡିଆଟ୍ରିକ ବିଭାଗକୁ ମାତ୍ର ୫ଟି ଲେଖା ଦିଆ ଯିବା ସମୁଦ୍ରକୁ ଶଙ୍ଖେ। ଏହି ମେଡିକାଲ କଲେଜରେ ମେଡିସିନ ବିଭାଗର ପ୍ରଫେସର ଓ ଆସିଷ୍ଟାଂଟ ପ୍ରଫେସର ପଦବୀ ଖାଲି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣା ଅଛି ନା ନାହିଁ ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି।

କୋରାପୁଟ ମେଡିକାଲ କଲେଜରେ କାଜୁଆଲିଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ବୋଧହୁଏ ଅବଗତ ନାହାନ୍ତି। ୩୦ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରେ ମାତ୍ର ୪ଟି ପୂରଣ ହୋଇଛି। ଏଥିରେ କି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଛି ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି।

ଯଦି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରୋଗୀ କଲ୍ୟାଣ ସମିତିକୁ ଅର୍ଥ ଦେଇ ରୋଗୀ ସେବା କରିବାକୁ ଚାହୁଁଛନ୍ତି ତା ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରୁଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଏହି ତିନୋଟି ଯାକ ଜିଲ୍ଲା ରାଜ୍ୟରେ ଗର୍ଭବତୀ ମା ଓ ନବଜାତକ ମୃତ୍ୟୁ ହାରରେ ଖରାପ ସ୍ଥାନରେ ଅଛନ୍ତି ବୋଲି ସରକାରୀ ତଥ୍ୟ କହୁଛି। ୨୦ ବର୍ଷରେ ଏହି ଜିଲ୍ଲାର ସ୍ୱାସ୍ଥ୍ୟ ସେବା କାହିଁକି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ରାଜ୍ୟବାସୀଙ୍କୁ କୈଫିୟତ ଦରକାର ବୋଲି ବିଜେପି ନେତା ମାନେ କହିଛନ୍ତି।

ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱର ସମୟରେ ଉପାନ୍ତ ଅଂଚଳ ମାନଙ୍କରେ ଡାକ୍ତର ନଥିଲେ। ଏବେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରତୀକାତ୍ମକ ଭେଳିକି ନ ଦେଖାଇ ଏହି ଜିଲ୍ଲାବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଠୋସ ପଦକ୍ଷେପ ନେବା ପାଇଁ ଏହି ନେତା ମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.