Home ଜିଲ୍ଲା ପରିକ୍ରମା ମାନସ ସ୍ୱାଇଁ ହତ୍ୟା ମାମଲା, ହତ୍ୟାକାଣ୍ଡର ଷ୍ଟାର ୟୁଇଟନେସ୍ ସରୋଜିନୀ ସେଠୀଙ୍କୁ ଜେରା

ମାନସ ସ୍ୱାଇଁ ହତ୍ୟା ମାମଲା, ହତ୍ୟାକାଣ୍ଡର ଷ୍ଟାର ୟୁଇଟନେସ୍ ସରୋଜିନୀ ସେଠୀଙ୍କୁ ଜେରା

21

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ତଥା ଷ୍ଟାର ୟୁଇଟନେସ୍ ସରୋଜିନୀ ସେଠ୍ ଓରଫ ସୋନିଙ୍କୁ ଗତକାଲି ଅଭିଯୁକ୍ତମାନଙ୍କ ଓକିଲମାନେ ଦିନ ତମାମ୍ ଜେରା କରିଥିଲେ ମଧ୍ୟ ସେଭଳି କୌଣସି ଠୋସ୍ ତଥ୍ୟ ତାଙ୍କ ଠାରୁ ପାଇନଥିଲେ । ଅଭିଯୁକ୍ତ ଭାଗ୍ୟଧର ସେଠୀଙ୍କର ଓକିଲ ବିଜନ ଜେନା ତାଙ୍କୁ ଦୀର୍ଘସମୟ ଧରି ଜେରାକରି ଦୟାଲ ଆଶ୍ରମ, ସଂପୂର୍ଣ୍ଣ ଟିଭି କାର୍ଯ୍ୟାଳୟର ସ୍ଥିତାବସ୍ଥା ଓ ଶର୍ମିଷ୍ଠା ଭାଉଜଙ୍କ ସହ ରହୁଥିବା ବାସଗୃହ ସଂପର୍କରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ । ଶ୍ରୀମତୀ ସେଠ୍ ଉତ୍ତରରେ ତାଙ୍କ ବୟାନ ରଖିଥିଲେ । ସେହିପରି ପୂର୍ବତନ ରାଜ୍ୟ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଓକିଲ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଦୀର୍ଘ ସମୟ ଧରି ଜେରା କରି ଦୟାଲ ଆଶ୍ରମର କର୍ମଚାରୀ ଓ ଅନ୍ତେବାସୀଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେହିପରି ଅନ୍ୟତମ ଅଭିଯୁକ୍ତ ରାଜର ଓକିଲ ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ଶରତ ମହାପାତ୍ର ଦୟାଲ ଆଶ୍ରମର କେୟାରଟେକର ଭାବେ କାର୍ଯ୍ୟ କରୁଥିବା ସମୟରେ ଅନେକ ତଥ୍ୟଭିତ୍ତିକ କାର୍ଯ୍ୟାବଳୀ ଉପରେ ଓ ସରୋଜିନୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ଅନେକ ପ୍ରଶ୍ନ ପଚାରିଥିଲେ । ତେବେ ସମୟ ଅଭାବରୁ ଗତକାଲି ଶର୍ମିଷ୍ଠାଙ୍କ ଓକିଲ ଜେରା କରିବା ସମ୍ଭବ ହୋଇପାରିନଥିଲା । ଆଜି ଶର୍ମିଷ୍ଠାଙ୍କ ପାଇଁ ଲଢୁଥିବା ଫୌଜଦାରୀ ମାମଲାର ବରିଷ୍ଠ ଆଡଭୋକେଟ୍ ବସନ୍ତ ଦାସଙ୍କ ସହ ମାମଲା ପରିଚାଳନା କରିବାରେ ଶର୍ମିଷ୍ଠା ଆଇନ୍‌ଜୀବୀ ଗଦାଧର ବଳଙ୍କୁ ନିଯୁକ୍ତି ଦେଇଥିଲେ । ମାମଲାର ବିଚାର ପାଇଁ କୋର୍ଟ ଆଜି ତାରିଖ ଧାର୍ଯ୍ୟ ରଖିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ତରଫରୁ ସରୋଜିନୀଙ୍କୁ ଆଣି କୋର୍ଟରେ ହାଜର କରାଯାଇପାରିନଥିଲା ।

ଫଳରେ ଆସନ୍ତା ୨୩ ତାରିଖକୁ ସରୋଜିନୀର ଜେରା ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ପ୍ରକାଶ ଥାଉକି ଓଡ଼ିଶାର ବହୁ ଚର୍ଚ୍ଚିତ ହାଇପ୍ରୋଫାଇଲ୍ କ୍ୟାମେରାମେନ୍ ମାନସ ସ୍ୱାଇଁଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱର ଦୟାଲ ଆଶ୍ରମରେ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯିବା ପରେ ହତ୍ୟା କରାଯାଇଥିଲା । ଏହାର ପ୍ରମାଣ ନଷ୍ଟ କରିବା ପାଇଁ ମାନସ ସ୍ୱାଇଁଙ୍କୁ ନୟାଗଡ ଜିଲା ରଣପୁର ନିକଟସ୍ଥ ଏକ ନିକଞ୍ଚନ ସ୍ଥାନରେ ଗାତଖୋଳି ପୋତିଦିଆଯାଇଥିଲା । କ୍ୟାମେରାମେନ୍ ମାନସ ସ୍ୱାଇଁ ଏକ ବାହାଘରରେ ଫଟୋ ଓ ଭିଡିଓ ଉଠାଇବା ପାଇଁ ଗତ ୭.୨.୨୨ ତାରିଖରେ ଚାନ୍ଦବାଲି ଥାନା ଅଂଚଳର ପଳାସପୁର ଗ୍ରାମକୁ ଆସିଥିବାବେଳେ ସଂପୂର୍ଣ୍ଣା ୱେବ୍ ନ୍ୟୁଜ୍ ଚେନାଲର ମାଲିକ ଶର୍ମିଷ୍ଠା ରାଉତ ତାଙ୍କ ସହଯୋଗୀ ଝୁନା ଭୋଇ ଓ ଅନ୍ୟମାନେ ସେଠାରୁ ମାନସକୁ ଅପହରଣ କରିନେଇଥିଲେ । ଶର୍ମିଷ୍ଠା ଓ ନିରଞ୍ଜନଙ୍କର ବ୍ୟକ୍ତିଗତ ଜୀବନ ଏକ ଭିଡିଓ ଚିଫ୍ ମାନସ ନିକଟରେ ଥିବାରୁ ଶର୍ମିଷ୍ଠା ଫେରାଇବା ପାଇଁ ଦାବି କରି ନିରାଶ ହେବା ପରେ ମାନସକୁ ଅପହରଣ ପରେ ଦୟାଲ ଆଶ୍ରମରେ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯ୍ୟାତନା ଦେଇ ହତ୍ୟା କରିଥିଲେ । ମାନସ ସ୍ୱାଇଁ ଘରକୁ ନଫେରିବାରୁ ତାଙ୍କ ବାପା ଫେବୃୟାରୀ ୯ ତାରିଖରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ପୁଲିସ୍ ଏ ସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚଙ୍କୁ ଦେଇଥିଲେ । କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ କାର୍‌ରେ ଯାଉଥିବାବେଳେ ନଳାଙ୍ଗ ଠାରେ ଗିରଫ କରିଥିଲେ । ଏବେ ସେମାନେ ବିଚାରାଧୀନ ବନ୍ଦୀ ଭାବେ ଭଦ୍ରକ ଜେଲ୍‌ରେ ଥିବାବେଳେ ନିରଞ୍ଜନ ସେଠୀଙ୍କୁ ହାଇକୋର୍ଟ ଜାମିନ୍ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.