ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ଜାମିନୀବିନ୍ଧା ପେଟ୍ରୋଲ ପମ୍ପ ନିକଟରେ ଏକ ବାଲି ବୋଝେଇ ହାଇୱା ମାଛ ବୋଝେଇ ଟ୍ରକ୍ ପଛକୁ ଧକ୍କା ଦେବା ଫଳରେ ଚଳକର ମୃତ୍ୟୁ ହୋଇଥିବାବେଳେ ହେଲପର ଆହତ ହୋଇଥିବାର ଜଣାପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ପ୍ରତ୍ୟୁସରେ ଓଡି-୨୨ଏସି-୩୩୬୬ ନମ୍ବରର ଏକ ବାଲି ବୋଝେଇ ହାଇୱା ଭଦ୍ରକ ଆଡକୁ ଦ୍ରୁତ ଗତିରେ ଯାଉଥିବାବେଳେ ଜାମିନୀବିନ୍ଧା ପେଟ୍ରୋଲ ପମ୍ପ ନିକଟରେ ଏକ ମାଛ ବୋଝେଇ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଫଳରେ ହାଇୱାର ସମ୍ମୁଖ ଭାଗ ବିଶେଷ କ୍ଷତିଗ୍ରସ୍ଥ ହୋଇଥିବାବେଳେ ଷ୍ଟିୟରିଂରେ ଚାପି ହୋଇ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଗବସାହି ଗ୍ରାମର କୈଳାସ ମୁଣ୍ଡା (୩୧) ଘଟଣା ସ୍ଥଳରେ ପ୍ରାଣ ହରାଇଛି। ସେହି ଗ୍ରାମର ହେଲପର ଖଗେଶ୍ୱର ଯେନା (୨୯) ର ମୁଣ୍ଡରେ ଗୁରୁତର ଆଘାତ ଲାଗି ଆହତ ହୋଇଥିବାର ଜଣାପଡିଛି। ଏହି ଦୁର୍ଘଟଣା ଯୋଗୁଁ ଯାନବାହନ ଚଳାଚଳ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ପୁଲିସ୍ ସେଠାରେ ପହଂଚି ଗାଡି ଚଳାଚଳକୁ ସ୍ୱାଭାବିକ କରିବା ସହ ହାଇୱାକୁ ଜବତ କରିଛି। ମାଛଗାଡି ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ମୃତ ଚାଳକର ପଡୋଶୀ ଗବସାହିର ଅନିଲ କୁମାର ସାହୁଙ୍କ ଅଭିଯୋଗ କ୍ରମେ ଥାନାରେ ୧୩୪/୨୬ ମୂଳେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ତେବେ ସମ୍ମୁଖରେ ଯାଉଥିବା ମାଛ ବୋଝେଇ ଟ୍ରକ୍ଟି ଅନିୟନ୍ତ୍ରିତ ଭାବେ ବ୍ରେକ୍ ମାରିବାରୁ ହାଇୱା ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା ବୋଲି ଏତଲାରେ ଦର୍ଶାଯାଇଛି।








