Home ଓଡ଼ିଶା ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ

ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ

304

ବାଲିଗୁଡା, ୨୮/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସୁଛନ୍ତି। ମଝିରେ ମଝିରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସୁଛନ୍ତି। ଶୁକ୍ରବାର କାନାଡାର ୬ଜଣ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବଜାର ସମେତ ବିଭିନ୍ନ ପର୍ଯ୍ୟଟନକେନ୍ଦ୍ର ବୁଲି ମଜା ନେବା ସହ ରାସ୍ତାକଡ ଦୋକାନରେ ଚା’ ପିଇଥିଲେ। ମାତ୍ର ଏନେଇ ପୋଲିସ ପାଖରେ ସୂଚନା ନ ଥିଲା। ୨୦୧୨ରେ ଦାରିଙ୍ଗବାଡି ଆସିଥିବା ୨ଇଟାଲୀୟ ପର୍ଯ୍ୟଟକଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ। ଏହାପରେ ସରକାର ମାଓବାଦୀ ପ୍ରବଣ ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ ନେଇ ଗାଇଡଲାଇନ ଜାରି କରିଥିଲେ। ଏବେ ଗାଇଡଲାଇନକୁ କଡାକଡି ପାଳନ କରାଯାଉ ନ ଥିବାରୁ ଏହାର ପୁନରାବୃତ୍ତି ଘଟିବା ଆଶଙ୍କା ଦେଖାଦେଇଛି। ମିଳିଥିବା ସୂଚନା ପ୍ରକାରେ, ଉକ୍ତ ବିଦେଶୀ ପର୍ଯ୍ୟଟକମାନେ ଅନୁସୂଚିତ ଜନଜାତି ଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ଟୁର୍କରିଛନ୍ତି। କନ୍ଧମାଳ ଜିଲା ସମେତ କୋରାପୁଟ, ମାଲକାନାଗିରି, ଲମତାପୁଟ, ନବରଙ୍ଗପୁର ଆଦି ଅଞ୍ଚଳର ଜନଜାତିଙ୍କ ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ବଜାର ସମେତ ସାପ୍ତାହିକ ହାଟ, ଦୁର୍ଗମ ଗ୍ରାମ ବୁଲୁଛନ୍ତି। ଏହି ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ସି. ଜୁଲି, ବି. ଡି. ଆଲକ୍ଜାଣ୍ଡାର, ଏମ. ସେଲି ମେ, ଆର୍. ଷ୍ଟେପିନ ମେରୀ, ବି. ଲେଜଲେ ଆନ୍, ବି. ତିମଥି ଜୋହନ ରହିଛନ୍ତି। ହେଲେ ଏନେଇ ସ୍ଥାନୀୟ ପୋଲିସ ନିକଟରେ କୌଣସି ସୂଚନା ନ ଥିବା ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ କହିଛନ୍ତି। ପର୍ଯ୍ୟଟକ କିମ୍ବା ସେମାନେ ରହୁଥିବା ହୋଟେଲ ପକ୍ଷରୁ ଦାରିଙ୍ଗବାଡ଼ିରେ ବୁଲିବା ପାଇଁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଏନେଇ ଆଇଆଇସି ମାଝୀ କହିଛନ୍ତି ଯେ, ବିଦେଶୀ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ପହଂଚିବା ପୂର୍ବରୁ ତାଙ୍କୁ ସୂଚନା ଦିଆଯିବା ନିୟମ ରହିଛି। ମାତ୍ର ସୂଚନା ମିଳିନାହିଁ। ବିଦେଶୀ ପର୍ଯ୍ୟଟକ କେଉଁସବୁ ଅଞ୍ଚଳରେ ବୁଲୁଛନ୍ତି ସେଥିପ୍ରତି ନଜର ରଖାଯିବ। ପ୍ରକାଶ ଥାଉକି, ୨୦୧୨ ମାର୍ଚ୍ଚ ୧୪ରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଗଡାପାକାଲିରେ ୨ଜଣ ଇଟାଲୀୟ ନାଗରିକ ବୁଲୁଥିବାବେଳେ ସେମାନଙ୍କୁ ମାଓବାଦୀମାନେ ଏକ ଝରଣା ନିକଟରୁ ଅପହରଣ କରି ନେଇଥିଲେ। ଦୀର୍ଘଦିନ ପରେ ପ୍ରଥମେ ବାସୁସ୍କୋ ପାଉଲ ଏବଂ ୧୧ଦିନ ପରେ କ୍ଲାଉଡିଓ କେଲାଞ୍ଜୋଲୋଙ୍କୁ ମାଓବାଦୀମାନେ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ସର୍ତ୍ତ ରଖିବା ସହ ଚୁକ୍ତିନାମା ପରେ ଛାଡ଼ିଥିଲେ। ସେହି ସମୟରେ ଘଟଣାଟି ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସିବା ଏକପ୍ରକାର ବନ୍ଦ ହୋଇଯାଇଥିଲା। ଏହା ପରେ ମାଓବାଦୀ ପ୍ରବଣ ଅଞ୍ଚଳକୁ ବିଦେଶୀ ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିରୁ ଛଡ଼ାଯାଉନଥିଲା। କିଛିବର୍ଷ ପରେ ଜିଲା ପ୍ରଶାସନର ଅନୁମତି ମିଳିବା ପରେ ହିଁ ବିଦେଶୀ ପର୍ଯ୍ୟଟକଙ୍କୁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଛଡ଼ାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.