Home ଓଡ଼ିଶା ମାଇଁ ସିଟି ଲିଙ୍କସ୍ ପକ୍ଷରୁ ମାଇଁ ସିଟି ଆୱାର୍ଡସ୍ ର ଦ୍ୱିତୀୟ ସଂସ୍କରଣ ଆୟୋଜିତ

ମାଇଁ ସିଟି ଲିଙ୍କସ୍ ପକ୍ଷରୁ ମାଇଁ ସିଟି ଆୱାର୍ଡସ୍ ର ଦ୍ୱିତୀୟ ସଂସ୍କରଣ ଆୟୋଜିତ

142

ଭୁବନେଶ୍ୱର, ୭ ଅଗଷ୍ଟ ୨୦୧୯ (ଓଡ଼ିଆ ପୁଅ) : ଓଡିଶାର ପ୍ରଥମ ଇଂରାଜୀ ପଡୋଶ ପ୍ରକାଶନ, ମାଇଁ ସିଟି ଲିଙ୍କସ୍ ପକ୍ଷରୁ ଆଜି ଏଠାରେ ଆୟୋଜିତ ମାଇଁ ସିଟି ଆୱାର୍ଡସ୍ ର ଦ୍ୱିତୀୟ ସଂସ୍କରଣ ଅବସରରେ ଭୁବନେଶ୍ୱର, କଟକ ଓ ପୁରୀକୁ ନେଇ ଗଠିତ ସ୍ୱର୍ଣ୍ଣିମ ତ୍ରିଭୂଜର ନୂତନ ଚିନ୍ତାଧାରାର ବ୍ୟକ୍ତି ଓ ପ୍ରତିଷ୍ଠାନମାନଙ୍କୁ ମାଇଁ ସିଟି ଆୱାର୍ଡସ୍ ରେ ସମ୍ବର୍ଦ୍ଧିତ କରାଯିବା ସହିତ ସମାଜ ପାଇଁ ଅଙ୍ଗୀକାରବଦ୍ଧତା ଓ ଉକ୍ରୃଷ୍ଟ କାର୍ଯ୍ୟକଳାପ ନିମନ୍ତେ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା।

ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶକ୍ତି, ଉଦ୍ୟୋଗ, ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବରେ ଅତିରିକ୍ତ ଦାୟିତ୍ୱ ବହନ କରିଥିବା ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟକ୍ରମକୁ ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଉଦ୍ ଘାଟନ କରିଥିଲେ।

ଚଳିତ ସଂସ୍କରଣର ମାଇଁ ସିଟି ଆୱାର୍ଡସ୍ ରେ ସ୍ୱସ୍ତି ଗ୍ରୁପ୍ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମହାନ୍ତି, ମେଁ ଫେୟାର ହୋଟେଲ, କଳା ଓ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି, ଗୁପ୍ତା ପାୱାର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଗୁପ୍ତା, ଅଞ୍ଜଳୀ ମହୋତ୍ସବର ଡଃ. ଶ୍ରୁତି ମହାପାତ୍ର, ମଦର୍ସ୍ ପବ୍ଲିକ୍ ସ୍କୁଲର ଶ୍ରୀମତୀ ପଲ୍ଲୀ ପଟ୍ଟନାୟକ, ଶ୍ରୀଯୁକ୍ତ ଅନୀଲ ଧୀର୍, ସୁପରିଚିତ ରଘୁ ଦହିବରା ଭାବରେ ଜଣାଶୁଣା ଶ୍ରୀଯୁକ୍ତ ରଘୁନାଥ ସାସମଲ୍, ଅଲିଭ୍ ରିଡ୍ ଲେ କଇଁଛମାନଙ୍କର ସୁରକ୍ଷା ନିମନ୍ତେ ପୁରୀ ଠାରୁ ଏକ ଅଭିଯାନରେ ବାହାରିଥିବା ପ୍ରସିଦ୍ଧ ପରିବେଶବିତ୍ ଓ ସାମାଜିକ କର୍ମୀ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ବିଶ୍ୱାଳ ଏବଂ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବିଶ୍ୱାଳ ମହୋଦୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଶ୍ରୀଯୁକ୍ତ ମିଶ୍ର କହିଥିଲେ, ମୁଁ ଅତ୍ୟନ୍ତ ଖୁସି କାରଣ ଏପରି ପୁରସ୍କାର ଆମକୁ ଏକ ନୂତନ ସମାଜ ଗଠନ କରିବାରେ ସାହାଯ୍ୟ କରିବ। ଏହିପରି ବ୍ୟକ୍ତି ଓ ପ୍ରତିଷ୍ଠାନମାନଙ୍କୁ ସମ୍ପର୍ଦ୍ଧିତ କରିବା ଏକ ବଡ ଅଭିଯାନ ଏବଂ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସେ ମାଇଁ ସିଟି ଲିଙ୍କସ୍ ପରିବାରକୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଅବସରରେ ଶ୍ରୀଯୁକ୍ତ ପାଣିଗ୍ରାହୀ କହିଥିଲେ, ନାୟକ ଓ ପ୍ରତୀକ ବ୍ୟକ୍ତିବିଶେଷଙ୍କ ସମାଜ ଗଠନରେ ଏହିପରି କାର୍ଯ୍ୟକ୍ରମ ସହାୟକ ହେବ। ସେ ଏଥି ପାଇଁ ମାଇଁ ସିଟି ଲିଙ୍କସ୍ ପରିବାରକୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ ଆହୁରି କହିଥିଲେ ଏହିପରି କାର୍ଯ୍ୟକ୍ରମ ଓଡିଶାରେ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବ।

ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜନ ସମ୍ପର୍କରେ ମାଇଁ ସିଟି ଲିଙ୍କସ୍ ର ପ୍ରକାଶକ ଶ୍ରୀଯୁକ୍ତ ହଂସ୍ କହିଥିଲେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାର ଉଦ୍ଦେଶ୍ୟ ଅତି ସରଳ ଓ ସ୍ପଷ୍ଟ। ଆମ ରାଜ୍ୟ ଓ ସହରଗୁଡିକୁ ବିକଶିତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିଚାଲିଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କୁ ସେମାନଙ୍କର ସମାଜସେବୀ କାମ ନିମନ୍ତେ ପୁରସ୍କୃତ କରିବା ହିଁ ଏହି ସମ୍ବର୍ଦ୍ଧନା ସମାରୋହର ମୂଳ ଲକ୍ଷ୍ୟ। ଏହା କେବଳ ସେହି ସମାଜସେବୀମାନଙ୍କୁ ସଲାମ କରିବା ଓ ଆମ ରାଜ୍ୟ ଏବଂ ସହରଗୁଡିକର ବିକାଶ ନିମନ୍ତେ ସେମାନଙ୍କର ସହଭାଗୀତା ପାଇଁ ଧନ୍ୟବାଦ ଜ୍ଞାପନ ନିମନ୍ତେ ଆୟୋଜନ କରାଯାଇଥିଲା। ମାଇଁ ସିଟି ଆୱାର୍ଡସ୍ ପ୍ରଦାନ ସ୍ୱରୂପ ଏକ ନୂତନ ଆଶା ସହିତ ଆମେ ସେହି ଅଦ୍ଭୁତ ବିନ୍ଧାଣୀମାନଙ୍କ ସମାଜ ପ୍ରତି ସେମାନଙ୍କ ଅଙ୍ଗୀକାରବଦ୍ଧତାର ଗୌରବମୟ ଗାଥାକୁ ଜନମାନସରେ ପରିପ୍ରକାଶ କରିବାକୁ ଚାହୁଁଛୁ ଯାହା ରାଜ୍ୟର ବିକାଶ ଦିଗରେ ଅଧିକ ମାତ୍ରାରେ ସକରାତ୍ମକ ଓ ଉତ୍ସାହୀ ଭାବରେ କାର୍ଯ୍ୟ କରିବାକୁ ଲୋକମାନଙ୍କୁ ଅନୁପ୍ରେରିତ ଓ ପ୍ରେରଣା ପ୍ରଦାନ କରିବ।

ଏହି ଅବସରରେ ଶ୍ରୀଯୁକ୍ତ ରଥ କହିଥିଲେ ଯେ ମାଇଁ ସିଟି ଲିଙ୍କସ୍ ପ୍ରକାଶନ ପ୍ରତିଷ୍ଠା କରିବାର ବିଚାରଧାରା ଥିଲା ସକରାତ୍ମକ ଓ ପ୍ରେରଣାଦାୟୀ କାହାଣୀମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ଏପରି କରିବା କ୍ଷେତ୍ରରେ ଆମେ କିଛି ମାତ୍ରାରେ ସଫଳତା ହାସଲ କରିପାରିଛୁ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମେମାନେ ଅତ୍ୟନ୍ତ ଖୁସି କାରଣ ଆମେ ଏକ ଯୁବକ ଧର୍ମୀ ୱେବ୍ ଚ୍ୟାନେଲ୍ ମୋ ଟିଭି ଆରମ୍ଭ କରିବାକୁ ଯାଉଛୁ। ସଦ୍ୟ ଓ ସତ୍ୟ ଆଧାରିତ କଥାବସ୍ତୁ ପ୍ରସ୍ତୁତ ଏବଂ ନବାଗତ ପ୍ରତିଭାମାନଙ୍କୁ ସୁଯୋଗ ଦେବା ପାଇଁ ଆମେ ସଦାସର୍ବଦା କାର୍ଯ୍ୟ କରୁଛୁ।

ମାଇଁ ସିଟି ଲିଙ୍କସ୍ ର ଗ୍ରୁପ୍ ସମ୍ପାଦକ ଶ୍ରୀଯୁକ୍ତ ସନ୍ଦୀପ ମିଶ୍ର କହିଥିଲେ, ଭୁବନେଶ୍ୱର, କଟକ ଓ ପୁରୀର ବିକାଶ ଓ ପ୍ରଗତିରେ ପଥ ପ୍ରଦର୍ଶକ ସାଜିଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ସମ୍ମାନ ଏବଂ ପ୍ରେରଣା ଦେବା ପାଇଁ ମାଇଁ ସିଟି ଆୱାର୍ଡସ୍ ଏକ ଅନନ୍ୟ ଅଭିଯାନ। ଆମେ ଏହାକୁ ୨୦୧୮ ମସିହାରେ ଆରମ୍ଭ କରିଥିଲୁ ଯାହା ସେତେବେଳେ ଭୁବନେଶ୍ୱର କୈନ୍ଦ୍ରିକ ଥିଲା କିନ୍ତୁ ସ୍ୱର୍ଣ୍ଣିମ ତ୍ରିଭୂଜରେ ଅର୍ନ୍ତଗତ କଟକ ଓ ପୁରୀ ସହରର ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କର ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆମେ ଏହାକୁ ସୁଦୂରପ୍ରସାରୀ କରିଛୁ। ଭବିଷ୍ୟତରେ ଏହି ସହରମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ବହୁ ଲୁକାୟିତ ପ୍ରତିଭାମାନଙ୍କ ଗହଣରେ ଆମେ ଏହି ସମାବେଶକୁ ଅଧିକ ଋଦ୍ଧିମନ୍ତ କରିବାକୁ ଆଶା ରଖିଛୁ।

ମାଇଁ ସିଟି ଲିଙ୍କସ୍ ର ବରିଷ୍ଠ ସହକାରୀ ସମ୍ପାଦିକା ଓ ଜଣେ ସୁପରିଚିତ ଆଙ୍କର ଭାବରେ ଖ୍ୟାତ ଶ୍ରୀମତୀ ଦୀକ୍ଷା ତିୱାରୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ପରିଶେଷରେ ଭୁବନେଶ୍ୱର ରନ୍ ୱେ ୱିକ୍ ନାମକ ଏକ ଭବ୍ୟ ଫ୍ୟାସନ ଶୋର ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.