Home ଓଡ଼ିଶା ମହାରାଷ୍ଟ୍ର ଏବଂ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହାରାଷ୍ଟ୍ର ଏବଂ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

493

ଭୁବନେଶ୍ୱର ୧୪-୩ (ଓଡ଼ିଆ ପୁଅ) ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ମହାରାଷ୍ଟ୍ର ଓ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟ, ମୁମ୍ବାଇ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ମହାରାଷ୍ଟ୍ରର ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭାବବିନିମୟ ଅବସରରେ ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ, ଜୀବନଜୀବିକା, ରାଜନୀତି ଆଦି ସମସ୍ତ କ୍ଷେତ୍ରରେ ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ସେମାନଙ୍କ ସହିତ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରର ପ୍ରତିନିଧିମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ମହାରାଷ୍ଟ୍ର ପ୍ରତିନିଧି ଦଳର ସଦସ୍ୟମାନେ ଓଡ଼ିଆ ଗଣମାଧ୍ୟମର କ୍ରମବିକାଶ, ସ୍ଥିତି ଓ ପ୍ରଗତି ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେହିପରି ଓଡ଼ିଆ ଆଧ୍ୟାତ୍ମିକ ସଂସ୍କୃତି ଉପରେ ମହାରାଷ୍ଟ୍ର ସଂସ୍କୃତିର ପ୍ରଭାବ ଏବଂ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସାଂସ୍କୃତିକ ସମ୍ପର୍କ ଉପରେ ସବିଶେଷ ଆଲୋଚନା କରାଯାଇଥିଲା।

ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଓ ସାମାଜିକ ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଉଦ୍ଦେଶ୍ୟରେ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧି ଦଳ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର, ଚିଲିକା ହ୍ରଦ ସମେତ ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ। ଏହାଛଡ଼ା ହସ୍ତକଳା, ହସ୍ତଶିଳ୍ପ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା କଟକ ଜିଲ୍ଲାର ମାଣିଆବନ୍ଧ, ପୁରୀ ଜିଲ୍ଲାର ପିପିଲି ଓ ରଘୁରାଜପୁର ୟୁନେସ୍କୋ ଐତିହ୍ୟ ଗ୍ରାମ ଆଦି ସ୍ଥାନ ପରିଦର୍ଶନ କରିବେ। ଏହି ଅବସରରେ ସେମାନେ ଓଡ଼ିଆ ଜୀବନଶୈଳୀ, ଭାଷା, କଳା ଓ ସଂସ୍କୃତି ବିଷୟରେ ଅଧ୍ୟୟନ କରିବେ।

ପିଆଇବି ମୁମ୍ବାଇର ଉପନିର୍ଦ୍ଦେଶକ ଡ. ରାହୁଲ ତିଡକେଙ୍କ ନେତୃତ୍ୱରେ ୬ଜଣିଆ ମହାରାଷ୍ଟ୍ର ପ୍ରତିନିଧି ଦଳରେ ଲୋକମତ ସମ୍ବାଦପତ୍ରର ନିଲେଶ ଡି., ସକାଲ ସମ୍ବାଦପତ୍ରର ବ୍ରିଜମୋହନ ପାଟିଲ, ନବଭାରତର ସୁନୀଲ ନନ୍ଦଗାଓଁକର, ପୂଣ୍ୟନଗରୀର ଦୀପକ ନିକମ, ଦୁରଦର୍ଶନର ବିଶ୍ୱଭୂଷଣ ଛୋଟରାୟ ସାମିଲ ଅଛନ୍ତି।

ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି)ର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ସୀତାନାଥ ମିଶ୍ର, ଗଣଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ କୁମାର ଚୌଧୁରୀ ଓ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.