Home ଓଡ଼ିଶା ମହାବାତ୍ୟା ଫନୀ: ଗତ ୪୩ ବର୍ଷ ମଧ୍ୟରେ ଓଡିଶାରେ ଏହା ପ୍ରଥମ ଏବଂ ୧୫୦ ବର୍ଷ...

ମହାବାତ୍ୟା ଫନୀ: ଗତ ୪୩ ବର୍ଷ ମଧ୍ୟରେ ଓଡିଶାରେ ଏହା ପ୍ରଥମ ଏବଂ ୧୫୦ ବର୍ଷ ମଧ୍ୟରେ ଏହା ତୃତୀୟ

1126

ଲୋକଙ୍କ ସହ ସରକାର ଅଛନ୍ତି, ସମସ୍ତେ ନିରାପଦ ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ସକ୍ଷମ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୪.୫ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଫନୀ ମହାବାତ୍ୟା ପରେ ଏକ ପ୍ରେସ୍ ବିଜ୍ଞପ୍ତିରେ ମାଧ୍ୟମରେ ସୂଚନା ପ୍ରକାଶ କରିଛନ୍ତି। “ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଗ୍ରୀଷ୍ମ ଋତୁରେ ବାତ୍ୟା ହେବାରେ ଫନୀ ଏକ ବିରଳ ପ୍ରାକୃତିକ ବିପର୍ଯ୍ୟୟ। ଗତ ୪୩ ବର୍ଷ ମଧ୍ୟରେ ଓଡିଶାରେ ଏହା ପ୍ରଥମ ଗ୍ରୀଷ୍ମକାଳୀନ ବାତ୍ୟା ଏବଂ ୧୫୦ ବର୍ଷ ମଧ୍ୟରେ ଏହା ତୃତୀୟ। ଏହା କାରଣକୁ ଏହି ବାତ୍ୟାର ଗତିପଥକୁ ଆକଳନ କରିବା ଏକ ଆହ୍ବାନ ଥିଲା। ବାସ୍ତବରେ ସ୍ଥଳ ଭାଗ ଛୁଇଁବାର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଏହାର ନିର୍ଦ୍ଦିଷ୍ଟ ଗତିପଥକୁ କୌଣସି ପାଣିପାଗ ସଂସ୍ଥା ଠିକ୍ ଭାବରେ ଆକଳନ କରିପାରି ନଥିଲେ। କିନ୍ତୁ ଆମେ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିଥିଲୁ। ଇତିହାସରେ ଆମେ ସବୁଠାରୁ ଅଧିକ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସକ୍ଷମ ହୋଇପାରିଲୁ। ଏହା ଥିଲା ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା।ଗଞ୍ଜାମର ୩.୨ ଲକ୍ଷ ଲୋକ, ପୁରୀର ୧.୩ ଲକ୍ଷ ଲୋକ, ୭୦୦୦ ଅସ୍ଥାୟୀ ରୋଷଶାଳ ଜରିଆରେ ୯୦୦୦ ଆଶ୍ରୟସ୍ଥଳରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଣ ସମ୍ଭବ ହୋଇପାରିଛି। ଏଭଳି ବିଶାଳ କାର୍ଯ୍ୟକ୍ରମରେ ୪୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ, ୩୦ ଲକ୍ଷ ବାର୍ତ୍ତା (Targeted Messages), ୨୦୦୦ ଜରୁରୀକାଳୀନ କର୍ମୀ, ୟୁଥ କ୍ଲବ ଏବଂ ଅନ୍ୟାନ୍ୟ ସମାଜସେବୀ ସଂସ୍ଥା, ODRAF, NDRF, ପଞ୍ଚାୟତିରାଜ ସଂସ୍ଥା ଏବଂ ଏମାନଙ୍କ ସହିତ ଏକ ଲକ୍ଷରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀ ୨୪ ଘଣ୍ଟା ନିରନ୍ତରଭାବେ ନିୟୋଜିତ ହୋଇଥିଲେ। ଏହାଛଡା ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ଆମ ସହିତ ଲକ୍ଷ ଲକ୍ଷ ଲୋକଙ୍କ ସହଯୋଗ ମଧ୍ୟ ମିଳିଥିଲା।ପୁରୀରେ ସ୍ଥଳଭାଗ ଛୁଇଁବା ସମୟରେ ଏହାର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟରରୁ ଅଧିକ ଥିଲା ଏବଂ ସର୍ବାଧିକ ବେଗ ୨୪୦ କିଲୋମିଟର ପର୍ଯ୍ୟନ୍ତ ଥିଲା। ବିଜୁଳି, ଟେଲି ଯୋଗାଯୋଗ ଓ ପାନୀୟ ଜଳ ଯୋଗାଣ ପରି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥାକୁ ଏହା ଛାରଖାର କରିଦେଲା। ଲକ୍ଷ ଲକ୍ଷ ଗଛ ଉପୁଡି ରାସ୍ତା ଅବରୋଧ କଲା, ଘର ଭାଙ୍ଗିଲା ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମିକୁ ମଧ୍ୟ ନଷ୍ଟ କଲା। ବାସ୍ତବରେ ପୁରୀ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶରେ ବିଦ୍ୟୁତ ଭିତ୍ତିଭୂମି ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇଯାଇଛି। ଏହି ଭିତ୍ତଭୂମିକୁ ଆମକୁ ଆଉ ଥରେ ନୂଆ କରି ନିର୍ମାଣ କରିବାକୁ ପଡିବ। କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ମୟୁରଭଂଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାଗୁଡିକ ପ୍ରଭାବିତ ହୋଇଛନ୍ତି ଏବଂ କ୍ଷୟକ୍ଷତି ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। କାରଣ ଗତ ରାତି ପର୍ଯ୍ୟନ୍ତ ମଧ୍ୟ ପବନର ବେଗ ବହୁତ ଅଧିକ ଥିଲା। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ପୁରୀ, ଖୋର୍ଦ୍ଧା ଜିଲ୍ଲାର ବହୁ ଅଂଶ ଏବଂ ଅନ୍ୟାନ୍ୟ ଜିଲ୍ଲାଗୁଡିକରେ ଥିବା କଚ୍ଚା ଘର ଗୁଡିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ମୋ ପାଇଁ ଏବଂ ମୋ ସରକାର ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଆମେ ସମସ୍ତେ ସେହି ଲକ୍ଷ୍ୟ ନେଇ କାମ କରୁଛୁ। ନିଃସ୍ୱାର୍ଥପର ଭାବେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ କରିବା କାର୍ଯ୍ୟକ୍ରମରେ ନିୟୋଜିତ ଥିବା ସମସ୍ତ ସ୍ୱେଚ୍ଛାସେବୀ, ପଞ୍ଚାୟତିରାଜ ସଂସ୍ଥା ଗୁଡିକ ସଦସ୍ୟବୃନ୍ଦ, ସରକାରୀ କର୍ମଚାରୀ ଏବଂ ସମସ୍ତଙ୍କୁ ମୁଁ ମୋ ହୃଦୟର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଅର୍ପଣ କରୁଛି।ସାଧାରଣତଃ ଅକ୍ଟୋବରରେ ଓଡିଶା ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥାଏ। କିନ୍ତୁ ମୋ ମାସରେ ବାତ୍ୟା, ସାଧାରଣ ଲୋକଙ୍କ ସ୍ବପ୍ନରେ ବି ନଥିଲା। କିନ୍ତୁ ୨୦୧୯ ମେ ୩ ତାରିଖରେ ଏହା ଘଟିଲା ଏବଂ ଓଡିଶାବାସୀଙ୍କ ସହଯୋଗରୁ ଆମେ ଏହାର ସଫଳ ମୁକାବିଲା କଲୁ। ଯେତେବେଳେ ସାରା ବିଶ୍ବରୁ ମୃତ୍ୟୁ ସଂଖ୍ୟା (Casualty) ସଂପର୍କରେ ପ୍ରଶ୍ନ ଆସୁଛି, ସେତେବେଳେ ପ୍ରଭାବିତ ଲୋକ ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କଥା ପଚାରୁଛନ୍ତି। କାରଣ ସେ ଭଲ ଭାବରେ ଜାଣିଛନ୍ତି ଯେ ସରକାର ତା ସହିତ ଅଛନ୍ତି। ସେ ନିରାପଦ ଏବଂ ତାର ପ୍ରିୟଜନ ମାନେ ମଧ୍ୟ ସମସ୍ତେ ନିରାପଦ।ମହାବାତ୍ୟା ପରି ଏତେ ବଡ ବାତ୍ୟା ଘଟିଗଲା ଏବଂ ସବୁଠାରୁ ବଡ କଥା ହେଉଛି ଜନସାଧାରଣଙ୍କ ସହଯୋଗରେ ଆମେ ଆମ ଲୋକମାନଙ୍କୁ ନିରାପଦ ରଖିପାରିଛୁ। ଏହା ହିଁ ପରିବର୍ତ୍ତନ ଆମ ବ୍ୟବସ୍ଥାର ଓ ଆମ ପ୍ରସ୍ତୁତିରେ। ଆମେ ସବୁବେଳେ ପ୍ରସ୍ତୁତ। ସବୁ ପରିସ୍ଥିତିର ମୁକାବିଲା ପାଇଁ ଲୋକଙ୍କ ସହଯୋଗରେ ଆମେ ପୁରାପୁରି ସକ୍ଷମ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.