ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧୀ ବିଚାର ମଂଚ ପକ୍ଷରୁ ବଳିଦାନ ଦିବସ ଅବସରରେ ଏକ ସ୍ମୃତିସଭା ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ କବି ନିରାକାର ଦାସ, ଅବସରପ୍ରାପ୍ତ ଦୂରଦର୍ଶନ ନିର୍ଦ୍ଦେଶକ ଜୟନ୍ତୀ ରଥ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଅଧ୍ୟାପକ କୀର୍ତନ ବିହାରୀ ରାଉତ ଏବଂ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଭାରତ ସ୍ୱାଧିନତାରେ ମହାତ୍ମା ଗାନ୍ଧୀଙ୍କ ଅବଦାନ, ତ୍ୟାଗ ଓ ଅହିଂସା ନୀତି ଭାରତ ବର୍ଷ ପାଇଁ ଚିରକାଳ ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଅଜୟ କୁମାର ନାୟକ ସ୍ୱାଗତ ଭାଷଣ, ସଭ୍ୟା ସେବାନିବୃତ ପ୍ରାଧ୍ୟାପିକା ଉତ୍ପଳା ନାୟକ ଅତିଥି ପରିଚୟ ଏବଂ ସମ୍ପାଦକ ସୁଧାକର ରାଉତ ସଂପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରତିଷ୍ଠାଲବ୍ଧ ପ୍ରଧାନଶିକ୍ଷକ ବାବାଜୀ ଚରଣ ପଣ୍ଡା ଓ ପରିବେଶ ରକ୍ଷକ ଗୟାଧର ବିଶ୍ୱାଳଙ୍କୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ୰ ମୁକ୍ତିକାନ୍ତ ଗୋସ୍ୱାମୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାପତି ଶାନ୍ତନୁ କୁମାର ରାଉତଙ୍କ ସଡ଼ିଆ କବିତା ପୁସ୍ତକ ‘ଦୁର୍ଲଭ ବସୁଧା’ ଲୋକାର୍ପଣ ହୋଇଥିଲା। ସୁଶ୍ରୀ ସ୍ନେହଲତା ବେହେରା ଓ ସଂଯୁକ୍ତା ଯାଦବ ମାନପତ୍ର ପାଠ କରିଥିଲେ। କୋଷାଧ୍ୟକ୍ଷ କରୁଣାକର ଉପାଧ୍ୟାୟଙ୍କ ସଂଯୋଜନାରେ ହାଇସ୍କୁଲ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା ଏବଂ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପୂର୍ବାହ୍ନରେ ଗାନ୍ଧୀ ପଡ଼ିଆରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ଣରେ ଡାକ୍ତର ଅନିଲ କୁମାର ଦାଶଙ୍କ ପୌରୋହିତ୍ୟରେ ଗାନ୍ଧୀଙ୍କ ଉପରେ ଆଧାରିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ କବିତାର କବିଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଜିତ କୁମାର ନାୟକ, ବିଚିତ୍ରାନନ୍ଦ ମହାନ୍ତି, ବିବେକାନନ୍ଦ ମୁଖାର୍ଜୀ, ଆଦିତ୍ୟ ଗୋସ୍ୱାମୀ, ମୁକ୍ତିକାନ୍ତ ମହାପାତ୍ର, ପରମାନନ୍ଦ ସାହୁ, ମନୋରଞ୍ଜନ ଦାସ, ହରମୋହନ କୁଅଁର, ବସୁମିତ୍ରା ସାହୁ, ଅରବିନ୍ଦ ବସନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ମଦନ ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।