ତାଳମୂଳି:
ତାଳମୂଳି ଏକ ତୃଣଜାତୀୟ ଔଷଧୀୟ ଉଦ୍ଭିଦ। ଏହା ସାଧାରଣତଃ ବରଗଛ ବା ମହୁଲ ଗଛ ମୂଳରେ ଉଠିଥିବାର ଦେଖାଯାଏ। ଏହାକୁ “କାଳୀ ମୁସୁଲୀ” ମଧ୍ୟ କୁହାଯାଏ। ବର୍ଷା ଆରମ୍ଭରେ ଏହା ଗ୍ରାମାଂଚଳରେ ଖଜୁରୀ ପତ୍ର ବା ଜଙ୍ଗଲୀ ପିଆଜର ପତ୍ରପରି ଦେଖିବାକୁ ମିଳିଥାଏ। ଏହାର ଉଚ୍ଚତା ୧-୧.୫ ଫୁଟ ମଧ୍ୟରେ ହୋଇଥାଏ। ଏହାର ଫୁଲ ଛୋଟ ଛୋଟ ହଳଦିଆ ରଙ୍ଗର ହୋଇଥାଏ। ଏହା “ଧଳା ମୁସୁଲୀ” ଠାରୁ ଅଧିକ ଉପକାରୀ ଅଟେ। ଏହାର କନ୍ଦା ମାଟିତଳୁ ୧ଫୁଟ ଗଭୀରରୁ ଖୋଳିଲେ ୧ଫୁଟ ଲମ୍ବାର ମିଳିଥାଏ। କନ୍ଦାର ଉପର ପରସ୍ତ କଳା ରଙ୍ଗର ହୋଇଥାଏ ଓ ଭିତର ଅଂଶ ଧଳା ଏବଂ ନରମ ହୋଇଥାଏ।
ତାଳମୂଳିର ଉପକାରିତା: ଆର୍ୟୁବେଦିକ ଔଷଧ ରୂପରେ ଏହି କନ୍ଦାର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହା ମହା ଔଷଧୀ ନାମରେ ମଧ୍ୟ ଜଣାଶୁଣା। କାରଣ ଶରୀରର ପ୍ରତ୍ୟେକ ରୋଗ ଦୂର କରିବାର ସାମର୍ଥ୍ୟ ଏହି ଗଛରେ ରହିଥାଏ। ଆସନ୍ତୁ ଏହାର ଆଉ କେତେକ ଔଷଧୀୟ ଗୁଣ ବିଷୟରେ ଜାଣିବା – ୧) ତାଳମୂଳିର କନ୍ଦା ଯୌନ ଦୂର୍ବଳତା ଓ ଯୌନରୋଗ ଦୂର କରିବା ପାଇଁ ଏକ ଅନୁପମ ଔଷଧ ଅଟେ। ଏହି କନ୍ଦାର ୫ ଗ୍ରାମ ଚୂର୍ଣ୍ଣ କ୍ଷୀର ସହିତ କିଛିଦିନ ସେବନ କଲେ, ଏହାର ଲାଭ ଦେଖିବାକୁ ମିଳିଥାଏ। ୨) ତାଳମୂଳିର ଚୂର୍ଣ୍ଣ ଶକ୍ତି ବର୍ଦ୍ଧକ ଓ ପୃଷ୍ଟିଯୁକ୍ତ। ବୈଦଙ୍କ ପରାମର୍ଶ ଅନୁସାରେ କ୍ଷୀର ସହିତ ଏହାର ସେବନ କରିବା ଦରକାର। ୩) ୫ ଗ୍ରାମ ତାଳମୂଳି ଚୂର୍ଣ୍ଣ, ଗରମ କ୍ଷୀର ଓ ମିଶ୍ରି ମିଶାଇ କିଛିଦିନ ବ୍ୟବହାର କଲେ ପ୍ଲୀହା ରୋଗରୁ ମୁକ୍ତି ମିଳିଥାଏ। ୪) ଏହାର ଶୁଖିଲା ଚୂର୍ଣ୍ଣର ଧ୍ୱନି ନିଆଁରେ ଦେବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁରୁ ଶ୍ୱାସ, କାଶ ଆଦି ରୋଗକୁ ସମାପ୍ତ କରାଯାଇପାରେ। ୫) ଏହାର କନ୍ଦାର ଚୂର୍ଣ୍ଣକୁ ଘିଅରେ ଭାଜି ସେବନ କରିବା ଦ୍ୱାରା ମୁଣ୍ଡବିନ୍ଧା ଶୀଘ୍ର ଦୂରହୁଏ। ୬) ଗଣ୍ଠି ଏବଂ ଅଂଟା ଦରଜରେ ଏହାର ଚୂର୍ଣ୍ଣ ସହିତ ତିଳ ତେଲ ମିଶାଇ ଗରମ କରି ଛାଣି ଲଗାଇଲେ ଗଣ୍ଠି ଓ ଅଂଟା ଦରଜରୁ ଶୀଘ୍ର ଉପଶମ ମିଳିଥାଏ। ୭) ପଥୁରୀ ରୋଗରେ, ଏହାର କନ୍ଦା ଚୂର୍ଣ୍ଣରେ ମିଶ୍ରି ମିଶାଇ ଏକ ଏକ ଚାମଚ କ୍ଷୀର ସହିତ ସେବନ କଲେ ପଥୁରୀ ଶୀଘ୍ର ଭାଙ୍ଗି ବାହାରିଯାଏ।
ତାଳମୂଳିର ଚାଷ ପ୍ରଣାଳୀ:
ଚାରା ପ୍ରସ୍ତୁତି:- ନର୍ସରୀରେ କୌଣସି ଚାରା ତିଆରି କରାଯାଏ ନାହିଁ। ଜୁନ୍-ଜୁଲାଇ ମାସରେ ମୌସୁମୀ ବର୍ଷା ଆରମ୍ଭ ହେବା ମାତ୍ରେ ମାତୃ ଗଛରୁ ମାତ୍ରେମାତୃ ଗଛରୁ ସଂଗୃହୀତ ୧.୫୍ଠ ୨ସେ.ମି. ଆକାର ବିଶିଷ୍ଠ ଛୋଟ କନ୍ଦା ଗୁଡ଼ିକୁ ସିଧାସଳଖ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜମିରେ ଲଗାଇ ଦିଆଯାଏ। କନ୍ଦାଖଣ୍ଡ ଗୁଡ଼ିକୁ ୧୦୍ଠ ୧୦ ସେ.ମି. ଦୂରତାରେ ରୋପଣ କରିଦିଆଯାଏ।
ଚାରାର ହାର ଓ ପ୍ରାକ ଉପଚାର:- ୧ ହେକଟର ଜମିରେ ପର୍ଯ୍ୟାପ୍ତ ପରିମାଣର ଚାରା ଲଗାଇବା ପାଇଁ ପ୍ରାୟ ୬୦୦-୭୫୦କି.ଗ୍ରା. ଚେରଖଣ୍ଡ ଆବଶ୍ୟକ ହୋଇଥାଏ। ଜମିରେ ଲଗାଯିବା ପୂର୍ବରୁ କନ୍ଦାଖଣ୍ଡ ଗୁଡ଼ିକର କୌଣସି ପ୍ରାକ୍ ଉପଚାର ଦରକାର ହୋଇନଥାଏ।
ଜମି ପ୍ରସ୍ତୁତି ଓ ସାର ପ୍ରୟୋଗ:- ତାଳମୂଳି ଆର୍ଦ୍ର ଓ ହ୍ୟୁମସ୍ ଅଧିକ ଥିବା ମାଟିରେ ଭଲ ବଢ଼ିପାରେ। ମୌସୁମୀ ବର୍ଷା ଆରମ୍ଭହେଲେ ଜମିିକୁ ଭଲ ଭାବରେ ହଳକରାଯାଏ। କନ୍ଦା ଗୁଡ଼ିକ ଲଗାଯିବା ପୂର୍ବରୁ ଜୌବିକ ଖତକୁ ଭଲଭାବରେ ମାଟି ସହିତ ମିଶାଯାଏ ଓ ପାଣି ଜମିନରହିବା ପାଇଁ ହୁଡ଼ା ଟେକାଯାଏ। ଜମି ପ୍ରସ୍ତୁତି ସମୟରେ ହେକ୍ଟର ପିଛା ୨୦ ଟନ୍ ଗୋବର ଖତ ପ୍ରୟୋଗ କରାଯାଏ। ଅକ୍ଟୋବର-ନଭେମ୍ବର ରେ ମୂଳସାର ଭାବରେ ହେକ୍ଟର ପ୍ରତି ୨୫କି.ଗ୍ରା. ଯବକ୍ଷାରଜାନ, ୧୫କି.ଗ୍ରା. ଫସଫରସ ଓ ୧୦କି.ଗ୍ରା. ପଟାସ ଦିଆଯାଇପାରେ।
ପରିରୋପଣ ଓ ଉପଯୁକ୍ତ ବ୍ୟବଧାନ:- କନ୍ଦାଖଣ୍ଡ ଗୁଡ଼ିକୁ ସିଧାସଳଖ ଜମିରେ ଧାଡ଼ି ଧାଡ଼ି କରି ଲଗାଯାଏ। କେରଳ ଭଳି ଉର୍ଷ୍ଣ-ଆଦ୍ର ଅଂଚଳରେ ଲଗାଯିବାର ଦୁଇମାସ ପରେ ପ୍ରାୟ ୭୦%-୮୦% କନ୍ଦାଖଣ୍ଡ ଗୁଡ଼ିକ ଅଂକୁରିତ ହୋଇଥାଏ। ଏକ ଉତମ ଶୁଦ୍ଧ ଫସଲ ପାଇଁ ଏକ ହେକ୍ଟରରେ ୧୦୍ଠ ୧୦ ସେ.ମି. ବା ୧୦୍ଠ ୧୫ ସେ.ମି. ବ୍ୟବଧାନରେ ୬-୬.୫ଲକ୍ଷ ଗଛ ଏବଂ ନଡ଼ିଆ ସହିତ ଆନ୍ତଃଫସଲ ଭାବରେ ୨୦୍ଠ ୨୫ ସେ.ମି. ବ୍ୟବଧାନରେ ୨ଲକ୍ଷ ଗଛ ଆଶା କରାଯାଏ।
ଆନ୍ତଃ ଫସଲର ବ୍ୟବସ୍ଥା:- ଜଳସେଚିତ ଶ୍ରୀଫଳ ଉଦ୍ୟାନରେ ତାଳମୁଳି ବଢ଼େ। ଯଦି ଏହାକୁ ବିଶୁଦ୍ଧ ତାଳମୁଳି ଫସଲ ଭାବରେ ବଢ଼ାଜାଏ, ତାହେଲେ ୨୫% ସାନ୍ଧ୍ରତା ବିଶିଷ୍ଟ ସେଡ଼ନେଟ୍ ବ୍ୟବହାର କରି କୃତ୍ରିମ ଛାୟା ପ୍ରଦାନ କରିବା ପାଇଁ ପଡ଼େ।
ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ:- ଫସଳ ପରିଚାଳନା ପାଇଁ ଅତିରିକ୍ତ ଖତସାର ଆବଶ୍ୟକ ହୁଏନାହିଁ। ଫସଲରେ ସଫଳ ଘାସ ନିୟନ୍ତ୍ରଣ ପାଇଁ ୨ମାସ ପରେ ଓ ୪ମାସ ପରେ ଦୁଇଥର ଲେଖାଏଁ ହାତରେ ଘାସ ବଛାବଛି କରାଯାଏ। ନିୟମିତ ଘାସ ବଛାବଛି ଓ ଖରାଦିନେ ପାଣି ମଡ଼େଇବା ଛଡ଼ା କୌଣସି ସ୍ୱତନ୍ତ୍ର ରକ୍ଷଣାବେକ୍ଷଣର ଦରକାର ହୁଏନାହିଁ।
ଜଳସେଚନ:- ମୌସୁମୀ ବର୍ଷା ସମୟରେ ବୃଷ୍ଟିଛାୟା ଅଂଚଳରେ ଏହି ଫସଲ କରାଯାଏ। ମୌସୁମୀ ବର୍ଷା ଅପସରି ଗଲାପରେ ଏହାକୁ ପାକ୍ଷିକ ୫ସେ.ମି. ମଡ଼ା ଜଳସେଚନ ପଦ୍ଧତିରେ ଜଳସେଚିତ କରାଯାଏ।
ରୋଗ ଓ ପୋକ ନିୟନ୍ତ୍ରଣ:- ଏଥିରେ ସାଧାରଣତଃ ଛୋଟ ଗଛର ମୂଳ ପଚା ରୋଗ ବର୍ଷାଦିନେ ଦେଖାଯାଏ। ଏହାକୁ ମାଟିରେ ୧% ବଡ଼ମିକ୍ସଚର୍ ସିଂଚନ ଦ୍ୱାରା ନିୟନ୍ତ୍ରଣ କରାଯାଏ। ବେଳେବେଳେ ଏହାର କନ୍ଦା ଗୁଡ଼ିକୁ ମୂଷା ଜାତୀୟ ଜୀବମାନେ ଖାଇଯାଆନ୍ତି, ସେଥିପାଇଁ ଏହାର ଉପଯୁକ୍ତ ନିୟନ୍ତ୍ରଣ ପଦକ୍ଷେପ ନିଆଯାଏ।
ଫସଲ ପରିପକ୍ୱତା ଓ ଅମଳ:- ଜମିରେ ଲଗାଜିବାର ଏକ ମାସ ପରେ ଗଛଗୁଡ଼ିକରେ ଫୁଲ ବାହାରିବା ଆରମ୍ଭ ହୁଏ ଓ ସର୍ବାଧିକ ଫୁଲ ଦ୍ୱିତୀୟ ଏବଂ ତୃତୀୟ ମାସ ମଧ୍ୟରେ ଦେଖାଯାଏ। ଗଛର ଚେର ଗୁଡ଼ିକ ଜମିରେ ୭-୮ ମାସ ମଧ୍ୟରେ ପରିପକ୍ୱ ହୁଏ ଓ ମାଟିତଳୁ ଖୋଳି ଅମଳ କରାଯାଏ।
ଅମଳ ପରର ପକ୍ରିୟାକରଣ:- ଅମଳ ହୋଇଥିବା ସମ୍ପୂର୍ଣ୍ଣ ଶୁଷ୍କ କନ୍ଦାଗୁଡ଼ିକୁ ଭଲ ଭାବରେ ପାଣିରେ ଧୋଇ ମାଟି ସଫାକରି ଛାଇରେ ଶୁଖାଯାଏ ଓ ଶୁଖିଗଲାପରେ ଅଖା ବସ୍ତାରେ ଭର୍ତିକରି ବାୟୁ ଚଳାଚଳ କରୁଥିବା ଘରଭିତରେ ଥାକକରି ରଖାଯାଏ।
ଅମଳ ଓ ଲାଭ:- ତାଳମୂଳି ଫସଲରେ ଏକ ହେକଟରରୁ ପ୍ରାୟ ୧୦୦୦ ରୁ ୧୭୦୦ କି.ଗ୍ରା. ଶୁଷ୍କ କନ୍ଦା ମିଳେ। ଏଥିରୁ ଏକ ହେକଟରରୁ ପ୍ରାୟ ୧, ୦୫, ୦୦୦.୦୦ ଟଙ୍କା ଲାଭ ମିଳିଥାଏ।
– ନଳିନୀ କୁମାର ପଣ୍ଡା,
ବନ ଗବେଷକ, ସ୍ନାତକତର, ଓ.ୟୁ.ଏ.ଟି