Home ଜିଲ୍ଲା ପରିକ୍ରମା ମହରମ ପର୍ବ ପାଳନର ପ୍ରଶାସନର ପ୍ରସ୍ତୁତି ବୈଠକ,ଶାନ୍ତିଶୃଙ୍ଖଳା ସଦ୍‌ଭାବନା ବଜାୟ ରହିଲେ ପର୍ବ ପାଳନର ମହତ୍ୱ...

ମହରମ ପର୍ବ ପାଳନର ପ୍ରଶାସନର ପ୍ରସ୍ତୁତି ବୈଠକ,ଶାନ୍ତିଶୃଙ୍ଖଳା ସଦ୍‌ଭାବନା ବଜାୟ ରହିଲେ ପର୍ବ ପାଳନର ମହତ୍ୱ ବଢେ – ଜିଲାପାଳ

11

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶାନ୍ତିଶୃଙ୍ଖଳା ଓ ସଦ୍‌ଭାବନା ବଜାୟ ରହିଲେ ପର୍ବ ପାଳନର ମହତ୍ୱ ବଢେ ବୋଲି ଆଜି ମୁସଲିମ୍ ସଂପ୍ରଦାୟର ପବିତ୍ର ମହରମ୍ ପର୍ବ ପାଳନ ନେଇ ଅନୁଷ୍ଠିତ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାଏ ମତପ୍ରକାଶ କରିଛନ୍ତି। ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ପି ମନୋଜ ରାଉତ, ଦୁଇ ଅତିରିକ୍ତ ଜିଲାପାଳଙ୍କ ମଧ୍ୟରେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ରବି ନାରାୟଣ ସାହୁ ଓ ପୂର୍ବତନ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ଅତିରିକ୍ତ ଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ସମେତ ପୌରପାଳିକା କର୍ତୃପକ୍ଷ ଏବଂ ଲାଇନ୍ ଡିପାର୍ଟମେଂଟ, ପୂର୍ତ ଓ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ସିଡିଏମ୍‌ଓ, ଅବକାରୀ ଓ ଆଂଚଳିକ ପରିବହନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ମହରମ୍ କମିଟି, ଶାନ୍ତି କମିଟି ଓ ହିନ୍ଦୁ ସୁରକ୍ଷା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକର ପ୍ରାରମ୍ଭରେ କମିଟିର ଉପଦେଷ୍ଟା ହାଜି ଅବଦୁଲ ମୁକିତ ଖାଁ, ମହରମ୍ ପର୍ବ ପାଳନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଗତ ଜୁନ୍ ୨୬ ସନ୍ଧ୍ୟା ଠାରୁ ଜୁଲାଇ ୬ ସନ୍ଧ୍ୟା ପର୍ଯ୍ୟନ୍ତ ପବିତ୍ର ମହରମ ପର୍ବ ପାଳନ କରାଯିବ। ଜିଲାରେ ପ୍ରତ୍ୟେକ ମୁସଲିମ୍ ବସ୍ତି ଓ ମସ୍‌ଜିଦ୍‌ରେ ହଜରତ ଏମାମ ହୋସେନଙ୍କ ଜୀବନୀ ଓ କରବଲାର ବିବରଣୀ ପାଠ କରାଯିବା ସହ ସିରିଣି ଭୋଗ ଓ ସର୍ବତ୍ର ବଂଟାଯିବ। ଘର, ସାହି, ବସ୍ତି ଓ ବଜାରକୁ ଆଲୋକିତ କରାଯିବ। ଜୁଲାଇ ୩, ୪ ଓ ୫ ତାରିଖ ଦିନ ୧୧ଟା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ମିର୍ଜାପୁର ପଂଜା ନିକଟରେ ସ୍ୱତନ୍ତ୍ର ଫାତେହା ଓ ସିରିଣି ବଂଟାଯିବ। ସେହିପରି ଜୁଲାଇ ୫ତାରିଖରେ ନଙ୍ଗାମହଲା ପଂଜା ନିକଟରେ ସ୍ୱତନ୍ତ୍ର ଫାତେହା ଅନୁଷ୍ଠିତ ହେବ ଓ ସିରିଣି ବଂଟାଯିବ। ଜୁଲାଇ ୫ ତାରିଖ ଦିନ ୩ଟାରୁ ରାତି ୮ ଘଟିକା ମଧ୍ୟରେ କାଜିମହଲା ବସ୍ତି ସମେତ ଅନ୍ୟ କେତେକ ବସ୍ତିରେ ସିରିଣି ଓ ଫାତେହା କରିବା ପାଇଁ ନିଜ ଅଂଚଳରୁ ଶୋଭାଯାତ୍ରାରେ ବାହାରି ଖାନ୍‌କା ସରିଫ ସରକାରନଗରସ୍ଥିତ ସରକାର ବାବାଙ୍କ ପୀଠକୁ ଯିବେ। ଏବଂ ସେଠାରେ ଫାତେହା (ଭୋଗ) କରାଇ ନିଜ ଗାଁକୁ ଫେରିବେ। ଜୁଲାଇ ୬ ତାରିଖରେ ୪ ଗୋଟି ରୁଟ୍‌ରେ ୪୦ ତାଜିଆ କାଫେଲା ଶୋଭାଯାତ୍ରା ବାହାରିବାର ନିଷ୍ପତି ନିଆଯାଇଛି। ଜୁଲାଇ ୬ ତାରିଖ ମଦିନା ମଇଦାନ ଠାରେ ଧର୍ମସଭା ଓ ୭ ତାରିଖରେ ନଙ୍ଗାମହଲା ମସଜିଦ୍ ନିକଟରେ ଥିବା ପଡିଆରେ ରାତି ୧୦ ଟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧର୍ମସଭା ଅନୁଷ୍ଠିତ ହେବ। ହଜରତ ଏମାମ ହୋସେନ ରଯିଅଲ୍ଲାହୋ ତାଆଲା ଅନହୋଙ୍କ ଜୀବନୀ ଏବଂ କରବଲାର ବିବରଣୀ ପାଠ କରାଯିବ ବୋଲି ଉପଦେଷ୍ଟା ମୁକିତ ଖାନ ବୈଠକରେ ଉପସ୍ଥାପନା କରିଥିଲେ। ଏହାବ୍ୟତୀତ ମହରମ୍ ୧୦ ଦିନ ଯାଏଁ କୌଣସି ମୁସଲିମ୍ ବସ୍ତିରେ ଢୋଲ ବାଜିବ ନାହିଁ କିମ୍ବା ଆଖଡା ଖେଳା ଯିବନାହିଁ। ଏହି ମହରମ ପର୍ବ ପାଳନ ସକାଶେ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ପରିକ୍ରମା କରୁଥିବା ରାସ୍ତାଘାଟ ଗୁଡିକର ମରାମତି ସହ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ଓ ଯେଉଁ ବିଦ୍ୟୁତ୍ ତାର ଝୁଲିପଡିଛି, ତାକୁ ଉପରକୁ ଉଠାଇବା ପାଇଁ ଜିଲାପାଳ ପୌରପାଳିକା କର୍ତୃପକ୍ଷ ଓ ବିଦ୍ୟୁତ୍ ବିଭାଗକୁ କଡା ତାଗିଦ କରିଥିଲେ। ଏହାବ୍ୟତୀତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଜିଲାପାଳ ଗୁରୁତ୍ୱ ଦେବା ସହ ଜନସ୍ୱାସ୍ଥ୍ୟ ବିଭାଗକୁ ସତର୍କ ଦୃଷ୍ଟି ଦେବା ସହ ବିଭାଗ ପକ୍ଷରୁ ରାସ୍ତାରେ ଖୋଳାଯାଇଥିବା ପାଇପ୍ ଗୁଡିକ ଉପରେ ଭଲ ଭାବରେ ମାଟି ପକାଇ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଷ୍ଠିତ ବୈଠକରେ ମହରମ୍ କମିଟିର ମହମ୍ମଦ ଜକାଉଲା, ତାହେର ମହମ୍ମଦ, ସାଧାରଣ ସଂପାଦକ ଅଖତର ଅଲ୍ଲୀ ଖାଁ, ଇଂ ସେକ୍ ରେଜାଇ ରସୁଲୋ, ସେକ୍ ଏନାମ ମହମ୍ମଦଙ୍କ ସହ ହିନ୍ଦୁ ସୁରକ୍ଷା କମିଟିର ପ୍ରମୁଖ ବିଦ୍ୟାଧର ସାହୁ, ଶାନ୍ତି କମିଟିର ପ୍ରମୁଖ ସୁଧାକର ରାଉତ, ଅତିଶ ବେହେରା, ନିରଂଜନ ଗୁପ୍ତା, ଗୌରାଙ୍ଗ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.