ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମଲ୍ଲିଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଡମ୍ବର ଓ ଉତ୍ସାହ ମଧ୍ୟରେ ବାର୍ଷିକ ଉତ୍ସବ ସହ ପୁରସ୍କାର ବିତରଣ ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼. ବ୍ୟାମେକେଶ ରାୟ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ “ଶିକ୍ଷା ହେଉଛି ଜୀବନର ସର୍ବୋତମ ଧନ ବୋଲି ଅତି ପ୍ରାଞ୍ଜଳ ଭାବେ ଉଦବୋଧନ ଦେଇଥିଲେ । ଶିକ୍ଷା ଦ୍ୱାରା ଜଣେ ମଣିଷ ନିଜ ଜୀବନ ସହ ସମାଜ ଓ ଦେଶକୁ ଆଲୋକିତ କରିପାରେ ।” ସେ ପିଲାମାନଙ୍କୁ ଅଧ୍ୟୟନ ସହ ନୀତି, ଶିଷ୍ଟାଚାର ଓ ସଂସ୍କାରରେ ଆଗେଇ ଯିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ କବି, ସ୍ତମ୍ଭକାର ତଥା ଭାରତୀୟ ରେଳ ପଥର ପୂର୍ବ ଅଧିକାରୀ ନିରାକାର ଦାସ ଯୋଗ ଦେଇ ଶିକ୍ଷାର ମୂଲ୍ୟବୋଧ, ଛାତ୍ରଜୀବନର ଗୁରୁତ୍ୱ ଓ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ । ସେ କହିଥିଲେ ଯେ, ଶିକ୍ଷା କେବଳ ପୁସ୍ତକୀୟ ଜ୍ଞାନ ନୁହେଁ, ବରଂ ଜୀବନକୁ ସଠିକ୍ ଦିଗରେ ନେବାର ଏକ ଶକ୍ତି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଧଳ,ଯୁବ ସମାଜସେବୀ ସତ୍ୟାନନ୍ଦ ରାଉତ, ସିଆରସି ଭାସ୍କର ଦାସ, ସରପଂଚ ପ୍ରମିଳା ମାଝୀ ଓ ସମିତି ସଭ୍ୟ ଶ୍ରୀବାସ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥିମାନେ ବିଦ୍ୟାଳୟର ଶିକ୍ଷା ପରିବେଶ ଓ ଶିକ୍ଷକମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତିକ କ୍ଷେତ୍ରରେ ଉତ୍କୃଷ୍ଟ କୃତିତ୍ୱ ଦେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ହାତରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ପାଇଥିବା ଛାତ୍ରଛାତ୍ରୀମାନଙ୍କ ମୁହଁରେ ଖୁସି ଓ ଉତ୍ସାହ ଝଲକି ଉଠୁଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପୁରୁଷୋତମ ବାରିକ, ଅମୁଲ୍ୟ ଜେନା, ଲଷ୍ମୀଧର ରାଉତ, ତ୍ରିଲୋଚନ ସାହୁ ଓ ପ୍ରଧାନଶିକ୍ଷକ ଶଶିକାନ୍ତ ସାହୁ ମଂଚାସିନ ଥିଲେ । ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶିତ ସଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ନାଟକ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା । ସମଗ୍ର କାର୍ଯ୍ୟକ୍ରମ ଶାନ୍ତି, ସୌହାର୍ଦ୍ୟ ଓ ଉତ୍ସାହର ପରିବେଶରେ ସମାପ୍ତ ହୋଇଥିଲା ।
Home ଜିଲ୍ଲା ପରିକ୍ରମା ମଲ୍ଲିଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା








