Home Top News ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ: ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିବେ ୩ ଜଣିଆ...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ: ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିବେ ୩ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

84

– ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ, ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି
– ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ପ୍ରସଙ୍ଗରେ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବା ସତ୍ୱେ ମୁଖ୍ୟମନ୍ତ୍ରୀ ନିରବ ଅଛନ୍ତି : ସମ୍ବିତ ପାତ୍ର
– ମମିତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଦେଇ ମାଟି ତଳେ ପୋତି ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି
– ଘଟଣା ସଂପର୍କରେ ସଂପୂର୍ଣ୍ଣ ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ପ୍ରଦାନ କରିବେ ପ୍ରତିନିଧି ଦଳ
ଭୁବନେଶ୍ୱର / ନୂଆଦିଲ୍ଲୀ, ୨୬/୧୦ (ଓଡ଼ିଆ ପୁଅ) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଅତ୍ୟନ୍ତ ହୃଦୟ ବିଦାରକ। ମମିତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଦେଇ ମାଟି ତଳେ ପୋତି ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ସନସାଇନ ସ୍କୁଲର ମୁଖ୍ୟ ସଂଚାଳକ ଗୋବିନ୍ଦ ସାହୁ ସେକ୍ସ ରାକେଟରେ ସଂପୃକ୍ତ ରହି ଛାତ୍ରୀ ଓ ମହିଳାମାନଙ୍କୁ ଶୋଷଣ କରୁଥିଲେ। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଏବଂ ପ୍ରାୟଦିନ ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲକୁ ଆସି ରାତ୍ରିଯାପନ କରିବା; ମମିତାଙ୍କ ନିଖୋଜ ସଂପର୍କରେ ଏଫଆଇଆରକୁ ପୋଲିସ ଗ୍ରହଣ ନକରିବା; ବିଦ୍ୟୁତ କାଟ କରାଯାଇ ଅଭିଯୁକ୍ତ ଗୋବିନ୍ଦଙ୍କୁ ପୋଲିସ ହେପାଜତରୁ ଖସାଇଦେବା; ‘ସନସାଇନ ସ୍କୁଲକୁ ଆସିଲେ, ମୁଁ ଯୁବକ ହୋଇଯାଏ’ ଭଳି ମନ୍ତ୍ରୀଙ୍କ ବିବୃତି; ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଦି ଶ୍ରୀ ମିଶ୍ରଙ୍କ ସଂପୃକ୍ତିକୁ ସ୍ପଷ୍ଟ ପ୍ରମାଣିତ କରୁଛି। କ୍ଷମତାର ଅପବ୍ୟବହାର କରି ମନ୍ତ୍ରୀ ଶ୍ରୀ ମିଶ୍ର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସୁରକ୍ଷା ଯୋଗାଇ ଦେବା ସହ ହତ୍ୟାକାଣ୍ଡ ସଂପର୍କରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାର ଷଡଯନ୍ତ୍ର କରିଛନ୍ତି। ଏ ସମସ୍ତ ଷଡଯନ୍ତ୍ରରେ ଏକାଧିକ ବ୍ୟକ୍ତି ସଂପୃକ୍ତି ଥିବାର ସନ୍ଦେହ ଦୃଢୀଭୂତ ହେଉଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ପ୍ରସଙ୍ଗରେ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି। ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ସବୁ ଜାଣି ମଧ୍ୟ ନିରବ ଅଛନ୍ତି। ଅପରାଧିଙ୍କ ପାଇଁ ରାଜ୍ୟ ସରକାରଙ୍କ ଅହେତୁକ କୋହଳ ମନୋଭାବ ଏବଂ ସେମାନଙ୍କୁ ପ୍ରତ୍ୟକ୍ଷ ସୁରକ୍ଷା ଯୋଗାଇ ଦେଉଥିବା କାରଣରୁ ରାଜ୍ୟରେ କ୍ରମାଗତ ଭାବେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯ୍ୟାତନା ବୃଦ୍ଧି ପାଇଚାଲିଛି ବୋଲି ଡ.ସମ୍ବିତ ପାତ୍ର କହିଛନ୍ତି।

ମମିତା ହତ୍ୟାକାଣ୍ଡ ଘଟଣାକୁ ଭାରତୀୟ ଜନତା ପାର୍ଟୀ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାରକୁ ନେଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ୩ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ଘଟଣା ସଂପର୍କରେ ବିସ୍ତୃତ ଅନୁଧ୍ୟାନ କରିବେ। ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଭାନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ, ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି। ଏହି ପ୍ରତିନିଧି ଦଳ ଘଟଣା ସଂପର୍କରେ ସଂପୂର୍ଣ୍ଣ ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରିବେ ବୋଲି ଡ.ପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.